Keonjhar Wife Murder: ଖାଇବାକୁ ମାଗିବାକୁ ନେଇ ବଚସା, ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ; ୪ ଦିନ ପରେ ଜଙ୍ଗଲରୁ ମିଳିଲା ମୃତଦେହ
କେନ୍ଦୁଝର: କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ୍ ନୟାକୋଟ ଥାନା ଅନ୍ତର୍ଗତ କୁଶକଳା ଗାଁର କାଳିଆଡ଼ିହି ସାହିରେ ସ୍ତ୍ରୀଙ୍କୁ ହତ୍ୟା କରିଥିବା ଅଭିଯୋଗରେ ସ୍ୱାମୀଙ୍କୁ ପୋଲିସ ଅଟକ ରଖିଛି। ମୃତ ମହିଳା ହେଉଛନ୍ତି ମେଞ୍ଜତି ମୁଣ୍ଡା ଏବଂ ଅଭିଯୁକ୍ତ ସ୍ୱାମୀଙ୍କ ନାଁ ଗଲୁ ମୁଣ୍ଡା। ହତ୍ୟାକାଣ୍ଡର ୪ ଦିନ ପରେ ଗାଁ ନିକଟସ୍ଥ ଜଙ୍ଗଲରୁ ମହିଳାଙ୍କ ମୃତଦେହ ଉଦ୍ଧାର ହୋଇଛି।
ସୂଚନା ଅନୁସାରେ, ମଙ୍ଗଳବାର ସନ୍ଧ୍ୟାରେ ଗଲୁ ମୁଣ୍ଡା ନିଶାସକ୍ତ ଅବସ୍ଥାରେ ଘରକୁ ଫେରି ସ୍ତ୍ରୀଙ୍କୁ ଖାଇବାକୁ ମାଗିଥିଲେ। ମେଞ୍ଜତି ମୁଣ୍ଡା ମଧ୍ୟ ନିଶାସକ୍ତ ଥିବା କୁହାଯାଉଛି। ଏହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ଏଥିରେ ଉତ୍ତ୍ୟକ୍ତ ହୋଇ ସ୍ୱାମୀ ତାଙ୍କୁ ମାଡ଼ ମାରି ହତ୍ୟା କରିଥିବା ଅଭିଯୋଗ ହୋଇଛି। ପରେ ମୃତଦେହକୁ ଗାଁ ନିକଟସ୍ଥ ଜଙ୍ଗଲରେ ଫିଙ୍ଗି ଦେଇଥିବା ପ୍ରାଥମିକ ସୂଚନାରୁ ଜଣାପଡ଼ିଛି।
ଘଟଣା ସମ୍ପର୍କରେ ଖବର ପାଇ ନୟାକୋଟ ପୋଲିସ ଜଙ୍ଗଲରୁ ମୃତଦେହ ଉଦ୍ଧାର କରିବା ସହ ଗଲୁ ମୁଣ୍ଡାଙ୍କୁ ଥାନାରେ ଅଟକ ରଖିଛି। ହତ୍ୟାକାଣ୍ଡର ପ୍ରକୃତ କାରଣ ଓ ଘଟଣାର ଅନ୍ୟାନ୍ୟ ଦିଗ ଜାଣିବା ପାଇଁ ପୋଲିସ ଅଧିକ ତଦନ୍ତ ଜାରି ରଖିଛି।

