Modi Kahin Nahi Jaayenge: ହାରମୋନିୟମ୍ ବଜାଇ ‘ମୋଦି କହିଁ ନହିଁ ଯାଏଙ୍ଗେ’ ଗାଇଲେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ମେଘୱାଲ, ବିଜେପି ନେତାଙ୍କ ଅଭିଯାନ ଜୋରଦାର
ନୂଆଦିଲ୍ଲୀ: କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ‘ମୋଦି କା ବାପ୍ ଭି ଯାଏଗା’ ମନ୍ତବ୍ୟ ପରେ ବିଜେପି ନେତାମାନେ ‘ମୋଦି କହିଁ ନହିଁ ଯାଏଙ୍ଗେ’ ସ୍ଲୋଗାନ୍କୁ ନେଇ ପ୍ରଚାର ଜୋରଦାର କରିଛନ୍ତି। ଏହି କ୍ରମରେ କେନ୍ଦ୍ରମନ୍ତ୍ରୀ ଅର୍ଜୁନ ରାମ ମେଘୱାଲ ହାରମୋନିୟମ୍ ବଜାଇ ଭଜନ ଶୈଳୀରେ ଏହି ସ୍ଲୋଗାନ୍କୁ ଗୀତ ଆକାରରେ ଗାଇଛନ୍ତି। ମଙ୍ଗଳବାର ସେ ଏହାର ଭିଡିଓ ସୋସିଆଲ ମିଡିଆ Xରେ ପୋଷ୍ଟ କରିଛନ୍ତି।
ଗୀତରେ ମେଘୱାଲ କହିଛନ୍ତି, ମୋଦି କେଉଁଆଡ଼େ ଯିବେ ନାହିଁ, ବରଂ ଯେଉଁମାନେ ନିଜ ବିଶ୍ୱସନୀୟତା ହରାଇଛନ୍ତି ସେମାନେ ରାଜନୀତିରୁ ହଟିବେ। ଏହାସହ ମାଗଣା ରାସନ, ଗ୍ୟାସ୍ ସିଲିଣ୍ଡର, ଘର, ରାସ୍ତା, ବିଦ୍ୟୁତ୍, ଔଷଧ, ପାଣି ଓ ସ୍ୱଚ୍ଛ ଭାରତ ଅଭିଯାନ ଭଳି ସରକାରୀ ଯୋଜନାର ଉଲ୍ଲେଖ କରିଛନ୍ତି। ଏହାପୂର୍ବରୁ ଗୁଜରାଟର ବନାସକାଣ୍ଠାରେ ଏକ କାର୍ଯ୍ୟକ୍ରମକୁ ଯିବା ସମୟରେ ମୋଦିଙ୍କ ରୋଡ୍ ଶୋ’ରେ ମଧ୍ୟ ଏହି ସ୍ଲୋଗାନ୍ ଲେଖାଥିବା ପ୍ଲାକାର୍ଡ ଦେଖିବାକୁ ମିଳିଥିଲା।
ଏହି ସ୍ଲୋଗାନ୍କୁ ନେଇ ଅନ୍ୟ ବିଜେପି ନେତାମାନେ ମଧ୍ୟ ସାମିଲ ହୋଇଛନ୍ତି। ଦିଲ୍ଲୀ ମନ୍ତ୍ରୀ କପିଲ ମିଶ୍ର ଏକ କାର୍ଯ୍ୟକ୍ରମରେ ଏହି ସ୍ଲୋଗାନ୍ ଦେଇଥିବା ବେଳେ ବିଜେପି ସାଂସଦ ତଥା ଭୋଜପୁରୀ ଗାୟକ ମନୋଜ ତିୱାରୀ ମଧ୍ୟ ଗୀତ ଗାଇଛନ୍ତି। ଏପରିକି ହରିୟାଣା ବିଜେପି ପକ୍ଷରୁ ଏହି ସ୍ଲୋଗାନ୍ ଲେଖାଥିବା ଟି-ସାର୍ଟ ମଧ୍ୟ ଜାରି କରାଯାଇଛି। ୨୦୨୯ରେ ପୁଣି ମୋଦି ସରକାର ଆସିବେ ବୋଲି ଗୀତରେ ଉଲ୍ଲେଖ କରି ବିଜେପି ନେତାମାନେ ଏହାକୁ ରାଜନୈତିକ ସ୍ଲୋଗାନ୍ ଭାବେ ଆଗକୁ ବଢ଼ାଉଛନ୍ତି।

