୨୦ ବର୍ଷ ତଳେ ₹୧ ଲକ୍ଷ ନିବେଶ କରିଥିଲେ ଆଜି କେତେ ହୋଇଥାନ୍ତା? ସୁନା , ରୂପା ନା FD – କିଏ ଦେଇଛି ସର୍ବାଧିକ ରିଟର୍ଣ୍ଣ?
ଆଜିଠାରୁ ୨୦ ବର୍ଷ ତଳେ ଯଦି ଆପଣ Gold, Silver କିମ୍ବା Fixed Deposit (FD)ରେ ₹୧ ଲକ୍ଷ ନିବେଶ କରିଥାନ୍ତେ, ତେବେ ଆଜି ଆପଣଙ୍କ ପାଖରେ କେତେ ଟଙ୍କା ଥାଆନ୍ତା? ଐତିହାସିକ ଦର ଆଧାରରେ ଏହାର ହିସାବ କଲେ ମିଳୁଛି ରୋଚକ ତଥ୍ୟ। ୨୦୦୬ରେ ପ୍ରାୟ ₹୧୭,୪୦୫ ପ୍ରତି କିଲୋଗ୍ରାମ ଥିବା ରୂପାର ଦର ୨୦୨୫-୨୬ରେ ପ୍ରାୟ ₹୧,୬୨,୬୭୨ରେ ପହଞ୍ଚିଛି। ଅର୍ଥାତ୍ ₹୧ ଲକ୍ଷର ନିବେଶ ପ୍ରାୟ ₹୯.୩୫ ଲକ୍ଷ ହୋଇଥାନ୍ତା। ସେହିପରି ସୁନାରେ ନିବେଶ କରିଥିଲେ ଏହାର ମୂଲ୍ୟ ପ୍ରାୟ ₹୧୭.୧୬ ଲକ୍ଷ ହୋଇଥାନ୍ତା।
ଅନ୍ୟପଟେ, ଯଦି ୨୦ ବର୍ଷ ପାଇଁ ବାର୍ଷିକ ୭% ସୁଧ ହାରରେ ₹୧ ଲକ୍ଷକୁ Fixed Depositରେ ରଖାଯାଇଥାନ୍ତା ଏବଂ ସୁଧକୁ ପୁନଃନିବେଶ କରାଯାଇଥାନ୍ତା, ତେବେ ଏହାର ମୂଲ୍ୟ ପ୍ରାୟ ₹୩.୮୭ ଲକ୍ଷ ହୋଇଥାନ୍ତା। ଏହି ହିସାବ ଅନୁସାରେ ସୁନା ସର୍ବାଧିକ ରିଟର୍ଣ୍ଣ ଦେଇଥିବାବେଳେ ରୂପା ଦ୍ୱିତୀୟ ସ୍ଥାନରେ ରହିଛି। ତେବେ FDର ସୁଧ ହାର ସମୟ ଅନୁସାରେ ବଦଳିଥାଏ। ତେଣୁ ୭% ସୁଧ ହାରର ହିସାବ କେବଳ ଏକ ଉଦାହରଣ।
ନିବେଶ ବିଶେଷଜ୍ଞଙ୍କ ମତରେ, ଅତୀତର ରିଟର୍ଣ୍ଣ ଭବିଷ୍ୟତର ଲାଭର ଗ୍ୟାରେଣ୍ଟି ନୁହେଁ। ସୁନା ଆର୍ଥିକ ଅନିଶ୍ଚିତତା ସମୟରେ ଏକ ସୁରକ୍ଷିତ ନିବେଶ ଭାବେ ଗୁରୁତ୍ୱ ପାଉଥିବାବେଳେ, ରୂପାର ଚାହିଦା ସୋଲାର ପ୍ୟାନେଲ୍, ଇଲେକ୍ଟ୍ରୋନିକ୍ସ ଓ ଇଲେକ୍ଟ୍ରିକ୍ ଯାନ ଭଳି ଶିଳ୍ପ କ୍ଷେତ୍ରରେ ବଢ଼ୁଛି। ଅନ୍ୟପଟେ FD ତୁଳନାତ୍ମକ ଭାବେ ସ୍ଥିର ରିଟର୍ଣ୍ଣ ଦେଇଥାଏ। ତେଣୁ କେବଳ ଅତୀତର ଲାଭ ଦେଖି ନିବେଶ ନକରି ନିଜର ଆର୍ଥିକ ଲକ୍ଷ୍ୟ, ବିପଦ ନେବାର କ୍ଷମତା ଓ ନିବେଶ ଅବଧିକୁ ଧ୍ୟାନରେ ରଖିବା ଜରୁରୀ।

