Strait of Hormuz: ଭାରତୀୟ ଜାହାଜକୁ ହର୍ମୁଜ୍ ଦେଇ ମୁକ୍ତ ଯାତାୟାତ ପାଇଁ ଇରାନର ଅନୁମତି
ନୂଆଦିଲ୍ଲୀ: ହର୍ମୁଜ୍ ପ୍ରଣାଳୀ ଦେଇ ଭାରତୀୟ ବାଣିଜ୍ୟିକ ଜାହାଜର ଯାତାୟାତକୁ ନେଇ ଇରାନ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେଇଛି। ଭାରତ ସମେତ ଚୀନ୍, ଇରାକ୍ ଓ କତାରର ବାଣିଜ୍ୟିକ ଜାହାଜକୁ ଏହି ଜଳପଥ ଦେଇ ମୁକ୍ତ ଭାବେ ଯାତାୟାତ କରିବାକୁ ଅନୁମତି ଦିଆଯାଇଛି। ଇରାନ ସଂସଦର ଜାତୀୟ ସୁରକ୍ଷା ଓ ବୈଦେଶିକ ନୀତି କମିଟିର ଉପାଧ୍ୟକ୍ଷ ଅମିର ହାୟାତ୍-ମୋଘଦ୍ଦମ୍ ଏନେଇ ସୂଚନା ଦେଇଛନ୍ତି। ଏହି ନିଷ୍ପତ୍ତି ଭାରତର ସାମୁଦ୍ରିକ ବାଣିଜ୍ୟ ପାଇଁ ଗୁରୁତ୍ୱପୂର୍ଣ୍ଣ ହୋଇପାରେ।
ଭାରତର ଶକ୍ତି ଆବଶ୍ୟକତା ପୂରଣରେ ହର୍ମୁଜ୍ ପ୍ରଣାଳୀର ବଡ଼ ଭୂମିକା ରହିଛି। ଦେଶର ଅଶୋଧିତ ତୈଳ ଆମଦାନୀର ପ୍ରାୟ ୩୦ ପ୍ରତିଶତ ଏହି ଜଳପଥ ଦେଇ ଆସୁଥିବା ବେଳେ ଏଲ୍ପିଜି ଆମଦାନୀର ପ୍ରାୟ ୯୦ ପ୍ରତିଶତ ମଧ୍ୟ ଏହା ଉପରେ ନିର୍ଭରଶୀଳ। ଏହାସହ କତାର ଓ ୟୁଏଇରୁ ଭାରତକୁ ଆସୁଥିବା ୫୦ ପ୍ରତିଶତରୁ ଅଧିକ ଗ୍ୟାସ୍ ଏହି ପ୍ରଣାଳୀ ଦେଇ ଆସିଥାଏ। ତେଣୁ ଏହି ଜଳପଥରେ ଯାତାୟାତ ସହଜ ହେଲେ ତୈଳ, ଗ୍ୟାସ୍ ଓ ସାର ଭଳି ଅତ୍ୟାବଶ୍ୟକ ସାମଗ୍ରୀର ଯୋଗାଣକୁ ନେଇ ଭାରତ ଆଶ୍ୱସ୍ତ ହୋଇପାରେ।
ଏହା ପୂର୍ବରୁ ହର୍ମୁଜ୍ ପ୍ରଣାଳୀ ଦେଇ ଯାତାୟାତ କରୁଥିବା ଭାରତୀୟ ଓ ଚୀନ୍ ଜାହାଜଠାରୁ ଇରାନ ଟ୍ରାଞ୍ଜିଟ୍ ଶୁଳ୍କ ଆଦାୟ କରୁଥିବା ନେଇ ଖବର ଆସିଥିଲା। ଏବେ ଭାରତୀୟ ବାଣିଜ୍ୟିକ ଜାହାଜକୁ ମୁକ୍ତ ଯାତାୟାତର ଅନୁମତି ମିଳିବା ଦ୍ୱାରା ସାମୁଦ୍ରିକ ବାଣିଜ୍ୟ ଓ ଜରୁରୀ ସାମଗ୍ରୀ ଆମଦାନୀରେ ସହଜତା ଆସିବା ଆଶା କରାଯାଉଛି।

