ଗାଁ କୁ ଫେରିଲା ପୁଣିଜଣେ ଦାଦନ ଶ୍ରମିକଙ୍କ ଶବ, କାନ୍ଦ ବୋବାଳି ରେ ଫାଟି ପଡୁଛି ଗାଁ ଦାଣ୍ଡ ।


କୋକସରା:୧୦/୦୬
କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୁ ପ୍ରତି ମାସେ ଦୁଇମାସ ଅନ୍ତରାଲ ରେ ରାଜ୍ୟ ବାହାରୁ ଫେରୁଛି ଦାଦନ ଶ୍ରମିକଙ୍କ ଶବ। ଚଳିତ ବର୍ଷ ଆରମ୍ଭ ରୁ ବର୍ତ୍ତମାନ ପର୍ଯ୍ୟନ୍ତ ଆଜି ର ଘଟଣା ସହ ୫ ଜଣ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ଫେରି ସାରିଛି। ଶନିବାର ପୁଣି କୋକସରା ବ୍ଲକ ଆମପାଣି ଥାନା ଅନ୍ତର୍ଗତ ନୂଆଗାଁ ର ବାସୁ ମାଝୀ ଙ୍କ ଭେଣ୍ଡିଆ ପୁଅ ଚରଣ ମାଝୀ (୨୩) ଗତ ଦେଢ଼ ମାସ ତଳେ ପରିବାର ପ୍ରତିପୋଷଣ ପାଇଁ ହାଇଦ୍ରାବାଦ ରାଜ୍ୟ ସିକନ୍ଦରାବାଦ ର କୌଣସି ଏକ କମ୍ପାନୀ ରେ କାମ କରିବାକୁ ଯାଇଥିଲେ, ଯିବାବେଳେ ମା କୁ ରଥଯାତ୍ରା କୁ ଫେରି ଆସିବି ଓ ରୋଜଗାର ଟଙ୍କା ରେ ଚାଷ କରିବା ବୋଳି କହି ଯାଇଥିଲେ। ହେଲେ ଶୁକ୍ରବାର ସନ୍ଧ୍ୟାରେ ଚରଣ ର ଛାତି ରେ ଯନ୍ତ୍ରଣା ହୋଇ ସ୍ଵାସ୍ଥ୍ୟବସ୍ଥା ଅସୁସ୍ଥ ପରେ ସ୍ଥାନୀୟ ଏକ ଘରୋଇ ଡାକ୍ତରଖାନାରେ ସାଥି ଶ୍ରମିକ ମାନେ ଭର୍ତ୍ତି କରିଥିଲେ ହେଲେ ଯୁବକ ଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଥିଲା।ମୃତ୍ୟୁ ପରେ ସାଥି ଶ୍ରମିକ ମାନେ ଚରଣ ମାଝୀ ର ପରିବାର କୁ ଫୋନ କରି ଖବର ଦେଇଥିଲେ। ପରିବାର ପକ୍ଷରୁ କମ୍ପାନୀ ମାଲିକ ଙ୍କୁ ହାରି ଗୁହାରି କରିବା ପରେ କାମ କରୁଥିବା କମ୍ପାନୀ ର ମାଲିକ ଏକ ଆମ୍ବୁଲାନ୍ସ ରେ ମୃତଦେହ କୁ ଯୁବକଙ୍କ ନିଜ ଗାଁ କୁ ପଠାଇଥିବା ଥିବା ବେଳେ ଶନିବାର ରାତି ୮ ଟା ରେ ଦାଦନ ଶ୍ରମିକଙ୍କ ଶବ ଗାଁ କୁ ପହଞ୍ଚିବା ପରେ ଗାଁ ଦାଣ୍ଡ ରେ କାନ୍ଦ ବୋବାଳି ସହ ଶୋକାକୁଳ ପରିବେଶ ଦେଖିବାକୁ ମିଳିଛି। ପରେ ଗାଁ ମଶାଣି ରେ ଶେଷକୃତ୍ୟ ଶେଷ ହୋଇଛି। ରୋଜଗାରିଆ ଭେଣ୍ଡିଆ ପୁଅ ର ଅକାଳ ମୃତ୍ୟୁ ରେ ପରିବାର ଭାଙ୍ଗି ପଡିଛନ୍ତି।