Cyclone Akvan Update: ଓଡ଼ିଶାରେ ବଡ଼ କ୍ଷୟକ୍ଷତି ନାହିଁ, ଜଣେ ବି ମୃତାହତ ହୋଇନାହାନ୍ତି – ସୁରେଶ ପୂଜାରୀ
ଭୁବନେଶ୍ୱର: ବାତ୍ୟା ‘ଅକଭାନ୍’ର ପ୍ରଭାବରେ ଓଡ଼ିଶାରେ ପ୍ରବଳ ବର୍ଷା ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ବଡ଼ ଧରଣର କ୍ଷୟକ୍ଷତି କିମ୍ବା ଜୀବନହାନିର ଖବର ମିଳିନାହିଁ ବୋଲି ରାଜ୍ୟର ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି। ଭାରତୀୟ ପାଣିପାଗ ବିଭାଗ (IMD) ଅନୁଯାୟୀ, ଶୁକ୍ରବାର ସକାଳ ପ୍ରାୟ ୮ଟାରେ ଗୋପାଳପୁର ନିକଟରେ ସ୍ଥଳଭାଗ ଅତିକ୍ରମ ପ୍ରକ୍ରିୟା ଆରମ୍ଭ ହୋଇ ୧୧ଟା ୨୦ ସୁଦ୍ଧା ଶେଷ ହୋଇଥିଲା। ସ୍ଥଳଭାଗ ଅତିକ୍ରମ ସମୟରେ ପବନର ବେଗ ଘଣ୍ଟାପ୍ରତି ୭୦ରୁ ୮୦ କିମି ରହିଥିବା ବେଳେ ଝଟକା ପବନ ୯୦ କିମି ପର୍ଯ୍ୟନ୍ତ ପହଞ୍ଚିଥିଲା। ପରେ ବାତ୍ୟା ଦୁର୍ବଳ ହୋଇ ଗଭୀର ଅବପାତରେ ପରିଣତ ହୋଇଛି। ଗଞ୍ଜାମ ଜିଲ୍ଲାର ପାତ୍ରପୁରରେ ସର୍ବାଧିକ ୨୦୯ ମିମି ବର୍ଷା ରେକର୍ଡ ହୋଇଥିବା ବେଳେ ହିଞ୍ଜିଳିରେ ୨୦୭, ଚିକିଟିରେ ୧୯୯, ଗୋପାଳପୁରରେ ୧୯୦ ଓ ଛତ୍ରପୁରରେ ୧୩୯ ମିମି ବର୍ଷା ହୋଇଛି।
ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ସୂଚନା ଅନୁଯାୟୀ, ବିଭିନ୍ନ ଜିଲ୍ଲାରୁ ମୋଟ ୩ ଲକ୍ଷ ୭୨ ହଜାର ଲୋକଙ୍କୁ ସୁରକ୍ଷିତ ଆଶ୍ରୟସ୍ଥଳୀକୁ ସ୍ଥାନାନ୍ତର କରାଯାଇଛି ଏବଂ ପରିସ୍ଥିତି ନିୟନ୍ତ୍ରଣରେ ରହିଛି। ବାତ୍ୟା ପ୍ରଭାବରେ ଗଞ୍ଜାମ ପରେ ପୁରୀ, ଜଗତସିଂହପୁର ଓ ଖୋର୍ଦ୍ଧା ଜିଲ୍ଲାରେ ମଧ୍ୟ ପ୍ରବଳ ବର୍ଷା ଆଶଙ୍କା ରହିଛି। ଶନିବାର ସକାଳ ୮ଟା ୩୦ ପର୍ଯ୍ୟନ୍ତ ୧୪ଟି ଜିଲ୍ଲା ପାଇଁ Orange Alert ଓ ୧୧ଟି ଜିଲ୍ଲା ପାଇଁ Yellow Warning ଜାରି କରିଛି IMD। ମତ୍ସ୍ୟଜୀବୀଙ୍କୁ ଶନିବାର ପର୍ଯ୍ୟନ୍ତ ସମୁଦ୍ରକୁ ନଯିବାକୁ ପରାମର୍ଶ ଦିଆଯାଇଛି। ରାଜ୍ୟ ସରକାର ୪୨୩ଟି ଉଦ୍ଧାରକାରୀ ଦଳ ଓ ୯,୩୪୧ଟି ବାତ୍ୟା ଆଶ୍ରୟସ୍ଥଳୀ ପ୍ରସ୍ତୁତ ରଖିଥିଲେ। ବର୍ଷା ଓ ବାତ୍ୟା ପ୍ରଭାବରୁ ପୁରୀ, ଗୋପାଳପୁର, ସାତପଡ଼ା ଓ ଚିଲିକା ଭଳି ଉପକୂଳ ପର୍ଯ୍ୟଟନସ୍ଥଳୀକୁ ପର୍ଯ୍ୟଟକଙ୍କ ଯିବା ଉପରେ କଟକଣା ଲଗାଯାଇଛି।

