Delhi News: ଦିଲ୍ଲୀରେ ଖୋଲା ମ୍ୟାନହୋଲ୍ରେ ଖସିଲା ୪ ବର୍ଷର ଶିଶୁ, ଉଦ୍ଧାର ପାଇଁ NDRF ସମେତ ଏକାଧିକ ଟିମ୍ ନିୟୋଜିତ
ନୂଆଦିଲ୍ଲୀ: ଦିଲ୍ଲୀର ନାଙ୍ଗଲି ବିହାର ଅଞ୍ଚଳର ଦାସ ଗାର୍ଡେନ୍ କଲୋନି ନିକଟରେ ଏକ ଖୋଲା ମ୍ୟାନହୋଲ୍ରେ ଖସିପଡ଼ିଛି ଏକ ୪ ବର୍ଷର ଶିଶୁ। ମ୍ୟାନହୋଲ୍ଟି ରାସ୍ତାରେ ଖୋଲା ପଡ଼ିଥିବାବେଳେ ଶିଶୁଟି ନିଜ ମାଆଙ୍କ ସହ ଖେଳୁଥିବା ସମୟରେ ହଠାତ୍ ତାହା ଭିତରକୁ ଖସିପଡ଼ିଥିଲା। ମ୍ୟାନହୋଲ୍ ଭିତରେ ନର୍ଦ୍ଦମା ଜଳ ଥିବାରୁ ଉଦ୍ଧାର କାର୍ଯ୍ୟ ଆହୁରି ଚ୍ୟାଲେଞ୍ଜପୂର୍ଣ୍ଣ ହୋଇପଡ଼ିଛି।
ଘଟଣା ସମ୍ପର୍କରେ ରାତି ପ୍ରାୟ ୯ଟା ୪୫ ମିନିଟ୍ରେ ଅଗ୍ନିଶମ ବିଭାଗକୁ ସୂଚନା ମିଳିଥିଲା। ଖବର ପାଇବା ପରେ ଉଦ୍ଧାରକାରୀ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ଅପରେସନ୍ ଆରମ୍ଭ କରିଥିଲେ। ଏହି ଉଦ୍ଧାର କାର୍ଯ୍ୟରେ ଏନ୍ଡିଆରଏଫ୍, ଦିଲ୍ଲୀ ଅଗ୍ନିଶମ ବିଭାଗ, ପୁଲିସ, ଦିଲ୍ଲୀ ବିପର୍ଯ୍ୟୟ ପରିଚାଳନା କର୍ତ୍ତୃପକ୍ଷ (ଡିଡିଏମ୍ଏ) ଏବଂ ବିଏସ୍ଏଫ୍ର ଟିମ୍ ସାମିଲ ହୋଇଛନ୍ତି। ଶିଶୁଟିକୁ ସୁରକ୍ଷିତ ଭାବେ ମ୍ୟାନହୋଲ୍ରୁ ବାହାର କରିବା ପାଇଁ ଉଦ୍ୟମ ଜାରି ରହିଛି। ଅପରପକ୍ଷରେ ଘଟଣାକୁ ନେଇ ପରିବାର ଲୋକେ ଚିନ୍ତାରେ ଥିବାବେଳେ ଶିଶୁଟିର ସୁରକ୍ଷିତ ଉଦ୍ଧାର ପାଇଁ ଉଦ୍ଧାରକାରୀ ଦଳଙ୍କ ପ୍ରୟାସ ଜାରି ରହିଛି।

