Surabhi 2026: ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’ର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ, ୩୭୫ ଜଣଙ୍କୁ ଶିକ୍ଷା ପୁରସ୍କାର ପ୍ରଦାନ
ଭୁବନେଶ୍ୱର: ଭୁବନେଶ୍ୱରରେ ଆରମ୍ଭ ହୋଇଛି ରାଜ୍ୟସ୍ତରୀୟ ଶିଶୁ ମହୋତ୍ସବ ‘ସୁରଭି-୨୦୨୬’। ଗୁରୁବାର ୟୁନିଟ୍-୩ ସ୍ଥିତ କ୍ୟାପିଟାଲ ହାଇସ୍କୁଲ ପଡ଼ିଆରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏହାର ଉଦ୍ଘାଟନ କରିଛନ୍ତି। ଚଳିତ ବର୍ଷ ମହୋତ୍ସବର ବିଷୟବସ୍ତୁ ରହିଛି ‘ସମୃଦ୍ଧ ଭାଷା, ସମୃଦ୍ଧ ଓଡ଼ିଶା’। ନଭେମ୍ବର ୧୨ରୁ ୧୪ ତାରିଖ ପର୍ଯ୍ୟନ୍ତ ତିନିଦିନ ଧରି ଏହି କାର୍ଯ୍ୟକ୍ରମ ଚାଲିବ।
ଏହି ଅବସରରେ ୨୦୨୪-୨୫ ବର୍ଷର ପୁରସ୍କାର ତାଲିକାକୁ ମିଶାଇ ମୋଟ ୩୭୫ ଜଣ ବ୍ୟକ୍ତି ଓ ଅନୁଷ୍ଠାନଙ୍କୁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାରରେ ସମ୍ମାନିତ କରାଯାଇଛି। ଏଥିପାଇଁ ୧୯ କୋଟି ୫୬ ଲକ୍ଷ ୨୫ ହଜାର ଟଙ୍କାର ପ୍ରୋତ୍ସାହନ ରାଶି ବ୍ୟବସ୍ଥା ହୋଇଛି। ଏହା ସହ ୧୦ ଜଣଙ୍କୁ ଓଡ଼ିଆ ଭାଷା ବୃଦ୍ଧି ପୁରସ୍କାର ଦିଆଯାଇଛି। ଏହି ଅବସରରେ ‘ନିପୁଣ’ ଆପ୍ର ମଧ୍ୟ ଶୁଭାରମ୍ଭ ହୋଇଛି। ଏହା ଶ୍ରେଣୀଗୃହ ପର୍ଯ୍ୟବେକ୍ଷଣ, ଶିକ୍ଷାର୍ଥୀଙ୍କ ବ୍ୟକ୍ତିଗତ ଶିକ୍ଷଣ ଦକ୍ଷତା ଆକଳନ ଓ ଶ୍ରେଣୀଗୃହ ପରିଚାଳନାରେ ସହାୟକ ହେବ।
ଏହି ମହୋତ୍ସବରେ ୨,୫୦୦ରୁ ଅଧିକ ଛାତ୍ରଛାତ୍ରୀ ଓ ସହଯୋଗୀ ଶିକ୍ଷକ-ଶିକ୍ଷୟିତ୍ରୀଙ୍କ ସହ ୧,୦୦୦ରୁ ଅଧିକ ସରକାରୀ ଅଧିକାରୀ ଓ କର୍ମଚାରୀ ଯୋଗ ଦେଉଛନ୍ତି। ଛାତ୍ରଛାତ୍ରୀଙ୍କ ପାଇଁ ଜ୍ଞାନ ଆହରଣ କାର୍ଯ୍ୟକ୍ରମ, ବିଶିଷ୍ଟ ବ୍ୟକ୍ତିଙ୍କ ସହ ଆଲୋଚନା, ବିଜ୍ଞାନ ପ୍ରକଳ୍ପ ପ୍ରଦର୍ଶନୀ, ବିଭିନ୍ନ କର୍ମଶାଳା, ବକ୍ତୃତା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି।

