Taj Mahal Security: ତାଜମହଲର ନିଷିଦ୍ଧ ରେଡ୍ ଜୋନ୍ରେ ପଶିଲେ ୨ ବିଦେଶୀ ପର୍ଯ୍ୟଟକ, ଆଣ୍ଟି-ଡ୍ରୋନ୍ ଟାୱାର ଉପରେ ଉଠାଇଲେ ଫଟୋ
ଉତ୍ତରପ୍ରଦେଶ: ଆଗ୍ରାର ତାଜମହଲର ସୁରକ୍ଷା ବ୍ୟବସ୍ଥାକୁ ନେଇ ପୁଣି ପ୍ରଶ୍ନ ଉଠିଛି। ଦୁଇ ଜଣ ବିଦେଶୀ ପର୍ଯ୍ୟଟକ ସୁରକ୍ଷା ବଳୟ ଅତିକ୍ରମ କରି ନିଷିଦ୍ଧ ରେଡ୍ ଜୋନ୍ରେ ଥିବା ଶାହି ମସଜିଦ ନିକଟ ଟାୱାର ନମ୍ବର-୪ରେ ପହଞ୍ଚିଥିଲେ। ଏହି ଟାୱାରର ଛାତ ଉପରେ ଆଣ୍ଟି-ଡ୍ରୋନ୍ ସିଷ୍ଟମ୍ ଲଗାଯାଇଛି। ଦୁଇ ପର୍ଯ୍ୟଟକ ସେଠାରେ ଦୀର୍ଘ ସମୟ ରହି ଫଟୋ ମଧ୍ୟ ଉଠାଇଥିଲେ।
ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ୍ ହେବା ପରେ ସୁରକ୍ଷା ଏଜେନ୍ସିଗୁଡ଼ିକ ତତ୍ପର ହୋଇଥିଲେ। ପରେ ଦୁଇ ପର୍ଯ୍ୟଟକଙ୍କୁ ଟାୱାରରୁ ତଳକୁ ଅଣାଯାଇଥିଲା। ସିଆଇଏସ୍ଏଫ୍ର କହିବା ଅନୁସାରେ, ସ୍ଥାନ ସମ୍ପର୍କରେ ଠିକ୍ ତଥ୍ୟ ନଥିବାରୁ ପର୍ଯ୍ୟଟକ ଦୁଇ ଜଣ ମସଜିଦ ପାଖ ରାସ୍ତା ଦେଇ ଟାୱାର ଉପରକୁ ଚଢ଼ିଯାଇଥିଲେ। ଏହି ଘଟଣା ସମ୍ପର୍କରେ ଏଏସ୍ଆଇ ପକ୍ଷରୁ ସିଆଇଏସ୍ଏଫ୍କୁ ରିପୋର୍ଟ ମଗାଯାଇଛି।
ଅନ୍ୟପଟେ, ତାଜମହଲ ପରିସରରେ ପ୍ରତିବନ୍ଧକ ସତ୍ତ୍ୱେ ପ୍ରି-ୱେଡିଂ ଫଟୋସୁଟ୍ ଚାଲୁଥିବା ନେଇ ମଧ୍ୟ ଅଭିଯୋଗ ଆସିଛି। ଏହି ଦୁଇଟି ଘଟଣା ପରେ ଐତିହାସିକ ସ୍ମାରକୀର ସୁରକ୍ଷା ବ୍ୟବସ୍ଥା ଏବଂ ନିୟମ ପାଳନ ଉପରେ ନଜର ରଖିବାକୁ ନେଇ ପ୍ରଶ୍ନ ଉଠିଛି।

