Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

Retail Inflation: ଅକ୍ଟୋବରରେ ୬.୦୯%କୁ ବଢ଼ିଲା ଖୁଚୁରା ମୁଦ୍ରାସ୍ଫୀତି, ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ବଢ଼ାଇଲା ଚିନ୍ତା

ନୂଆଦିଲ୍ଲୀ: ପାର୍ବଣ ପରେ ଏବେ ସାଧାରଣ ଲୋକଙ୍କ ଉପରେ ମହଙ୍ଗା ମାଡ଼। ଅକ୍ଟୋବର ୨୦୨୬ରେ ଦେଶର ଖୁଚୁରା ମୁଦ୍ରାସ୍ଫୀତି ବା ରିଟେଲ୍ ଇନଫ୍ଲେସନ୍ ୬.୦୯ ପ୍ରତିଶତକୁ ବୃଦ୍ଧି ପାଇଛି। ସେପ୍ଟେମ୍ବରରେ ଏହା ୫.୫୪ ପ୍ରତିଶତ ଥିଲା। ବିଶେଷକରି ପନିପରିବା ଓ ଖାଦ୍ୟ ସାମଗ୍ରୀର ଦରବୃଦ୍ଧି ମହଙ୍ଗା ହାର ବଢ଼ିବାର ପ୍ରମୁଖ କାରଣ ହୋଇଛି। ଅକ୍ଟୋବରରେ ଲେମ୍ବୁର ମହଙ୍ଗା ହାର ୩୬.୪୧ରୁ ୪୭.୩୦ ପ୍ରତିଶତ, ରସୁଣର ୫୪.୬୨ରୁ ୬୦.୭୪ ପ୍ରତିଶତ ଏବଂ ପିଆଜର ୧୦୮.୧୩ରୁ ୧୧୬.୨୨ ପ୍ରତିଶତକୁ ବଢ଼ିଛି। ଅନ୍ୟପଟେ ଆଳୁର ମହଙ୍ଗା ହାର ମାଇନସ୍ ୧୧.୫୨ରୁ ମାଇନସ୍ ୧୪.୨୪ ପ୍ରତିଶତକୁ ଖସିଛି। ରୁପା ଗହଣା କ୍ଷେତ୍ରରେ ମଧ୍ୟ ମହଙ୍ଗା ହାର ୮୭.୮୨ରୁ ୫୨.୩୯ ପ୍ରତିଶତକୁ ହ୍ରାସ ପାଇଛି। ତେବେ ଏହାର ଅର୍ଥ ଦାମ୍ କମିଛି ନୁହେଁ, ବରଂ ଦାମ୍ ବଢ଼ିବାର ଗତି କମିଛି।

ଖାଦ୍ୟ ଓ ପାନୀୟ ସାମଗ୍ରୀର ମହଙ୍ଗା ହାର ସେପ୍ଟେମ୍ବରରେ ୭.୭୪ ପ୍ରତିଶତ ଥିବାବେଳେ ଅକ୍ଟୋବରରେ ୮.୯୪ ପ୍ରତିଶତକୁ ବଢ଼ିଛି। ଗ୍ରାମାଞ୍ଚଳରେ ମହଙ୍ଗା ହାର ୬.୦୮ରୁ ୬.୬୩ ପ୍ରତିଶତ ଏବଂ ସହରାଞ୍ଚଳରେ ୪.୮୮ରୁ ୫.୪୧ ପ୍ରତିଶତକୁ ବୃଦ୍ଧି ପାଇଛି। ଅର୍ଥାତ୍ ଉଭୟ ଗାଁ ଓ ସହରରେ ମହଙ୍ଗା ଚାପ ବଢ଼ିଥିବାବେଳେ ଗ୍ରାମାଞ୍ଚଳରେ ଏହା ଅଧିକ ରହିଛି। ସରକାର ଖାଦ୍ୟ, ପୋଷାକ, ଘରଭଡ଼ା, ଶିକ୍ଷା, ସ୍ୱାସ୍ଥ୍ୟ ଓ ଯାତାୟାତ ଭଳି ବିଭିନ୍ନ ସାମଗ୍ରୀ ଓ ସେବାର ଦାମ୍‌କୁ ଆଧାର କରି ମୁଦ୍ରାସ୍ଫୀତି ମାପିଥାନ୍ତି। ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକଙ୍କ ଖର୍ଚ୍ଚ କରିବାର ଧାରା ଭିନ୍ନ ହୋଇଥିବାରୁ ଏହି ସୂଚକାଙ୍କରେ ବିଭିନ୍ନ ସାମଗ୍ରୀ ଓ ସେବାକୁ ଦିଆଯାଉଥିବା ଗୁରୁତ୍ୱ ମଧ୍ୟ ଅଲଗା ରହିଥାଏ।

ଖୁଚୁରା ମୁଦ୍ରାସ୍ଫୀତି ସାଧାରଣତଃ ପୂର୍ବବର୍ଷର ସମାନ ମାସ ସହ ତୁଳନା କରି ମପାଯାଏ। ତେଣୁ ଅକ୍ଟୋବର ୨୦୨୬ରେ ମୁଦ୍ରାସ୍ଫୀତି ୬.୦୯ ପ୍ରତିଶତ ରହିବାର ଅର୍ଥ ହେଉଛି, ଅକ୍ଟୋବର ୨୦୨୫ ତୁଳନାରେ ସାମଗ୍ରିକ ଉପଭୋକ୍ତା ମୂଲ୍ୟ ସୂଚକାଙ୍କ (CPI) ୬.୦୯ ପ୍ରତିଶତ ଅଧିକ। ଉଦାହରଣ ସ୍ୱରୂପ, ଗତବର୍ଷ ଅକ୍ଟୋବରରେ ଏକ ସାମଗ୍ରୀର ଦାମ୍ ୧୦୦ ଟଙ୍କା ଥିଲେ, ଏହି ହାରରେ ତାହାର ମୂଲ୍ୟ ୧୦୬.୦୯ ଟଙ୍କା ହୋଇପାରେ। ତେବେ ସବୁ ସାମଗ୍ରୀର ଦାମ୍ ସମାନ ହାରରେ ବଢ଼େ ନାହିଁ। ମୁଦ୍ରାସ୍ଫୀତି ବଢ଼ିବା ଅର୍ଥ ଲୋକଙ୍କୁ ସମାନ ସାମଗ୍ରୀ ଓ ସେବା କିଣିବା ପାଇଁ ପୂର୍ବାପେକ୍ଷା ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡ଼ୁଛି। ଏହା ସାଧାରଣ ପରିବାରର ମାସିକ ଖର୍ଚ୍ଚ ଓ ବଜେଟ୍ ଉପରେ ସିଧାସଳଖ ପ୍ରଭାବ ପକାଇଥାଏ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories