Punjab Lottery:କନ୍ୟା ସନ୍ତାନ ଜନ୍ମର ପରଦିନ ୧.୫ କୋଟି ଟଙ୍କାର ଲଟେରି ଜିତିଲେ ବାପା! ଝିଅର ନାଁ ରଖିଲେ ‘ବରକତ’
ପଞ୍ଜାବ: ପଞ୍ଜାବର ମାନସା ଜିଲ୍ଲାର ବରେଟା ସହରରେ ଏକ ପରିବାରକୁ ମିଳିଛି ଦୁଇଟି ଖୁସି ଖବର। ୨୪ ବର୍ଷୀୟ ବଢ଼େଇ ଯୁଦ୍ଧବୀର ସିଂହଙ୍କ ଘରେ ନଭେମ୍ବର ୬ ତାରିଖରେ କନ୍ୟା ସନ୍ତାନ ଜନ୍ମ ନେଇଥିଲା। ଏହାର ପରଦିନ ଅର୍ଥାତ୍ ନଭେମ୍ବର ୭ରେ ସେ ପଞ୍ଜାବ ଷ୍ଟେଟ୍ ଡିଅର୍ ୨୦୦ ମାସିକ ଲଟେରିର ପ୍ରଥମ ପୁରସ୍କାର ଜିତିଥିଲେ।
ଏହି ଲଟେରିରେ ଯୁଦ୍ଧବୀରଙ୍କୁ ୧.୫ କୋଟି ଟଙ୍କାର ପୁରସ୍କାର ମିଳିଛି। ଝିଅ ଜନ୍ମ ହେବାର ମାତ୍ର ଗୋଟିଏ ଦିନ ପରେ ଏତେ ବଡ଼ ପୁରସ୍କାର ଜିତିବା ଖବର ପରିବାରର ଖୁସିକୁ ଦ୍ୱିଗୁଣିତ କରିଦେଇଛି। ପରିବାରର କିଛି ସଦସ୍ୟ ପୁଅ ଜନ୍ମ ହେବା ନେଇ ଆଶା ରଖିଥିବା ବେଳେ ଏହି ଖୁସି ଖବର ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।
ଯୁଦ୍ଧବୀର ନିଜ ଝିଅକୁ ପରିବାର ପାଇଁ ଶୁଭ ଭାଗ୍ୟର ପ୍ରତୀକ ଭାବେ ଦେଖି ତା’ର ନାଁ ‘ବରକତ’ ରଖିଛନ୍ତି। ଝିଅ ଜନ୍ମ ଓ ଲଟେରି ପୁରସ୍କାରକୁ ନେଇ ଏବେ ତାଙ୍କ ପରିବାରରେ ଉତ୍ସବର ମାହୋଲ ରହିଛି।

