କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ AAPର ମହାରାଲି, ରାମଲୀଲା ମଇଦାନରେ କଡ଼ା ସୁରକ୍ଷା


ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ଆରପାର ଲଢେଇ କରିବାକୁ ଅଣ୍ଟା ଭିଡିଛି ଅରବିନ୍ଦ କେଜ୍ରିଓ୍ଵାଲଙ୍କ ଆମ୍ ଆଦମୀ ପାର୍ଟି। ଏହାକୁ ନେଇ ଆଜି ଆପ୍ ରାମଲୀଲା ମଇଦାନରେ ମହାରାଲି ଆୟୋଜନ କରିବାକୁ ଯାଉଛି। ପାର୍ଟି ଦେଶର ସମ୍ବିଧାନ ବଞ୍ଚାଇବା ପାଇଁ ମହାରାଲିରେ ବହୁ ସଂଖ୍ୟାରେ ସାମିଲ୍ ହେବାକୁ ଲୋକଙ୍କୁ ଅପିଲ୍ କରିଛି। ରାଲିରେ ଏକ ଲକ୍ଷରୁ ଅଧିକ ଲୋକ ସାମିଲ୍ ହେବେ ବୋଲି ପାର୍ଟି ଦୃଢୋକ୍ତି ପ୍ରକାଶକ କରିଛି। ସ୍ଥିତିକୁ ଦୃଷ୍ଟିରେ ରଖି ରାମଲୀଲା ମଇଦାନରେ କଡ଼ା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି।

ଅରବିନ୍ଦ କେଜରିଓ୍ଵାଲ ଶନିବାର ଟୁଇଟ୍ କରି ଲେଖିଥିଲେ ଯେ, ଦିଲ୍ଲୀବାସୀଙ୍କ ଅଧିକାର ଛଡ଼ାଉଥିବା କେନ୍ଦ୍ର ସରକାରଙ୍କ ଏକଛତ୍ରବାଦ ଅଧ୍ୟାଦେଶ ବିରୋଧରେ ଦିଲ୍ଲୀର ରାମଲୀଲା ମଇଦାନରେ ବହୁ ସଂଖ୍ୟାରେ ଲୋକ ଏକଜୁଟ୍ ହେବେ। ସମ୍ବିଧାନ ଏବଂ ଗଣତନ୍ତ୍ରକୁ ବଞ୍ଚାଇବା ପାଇଁ ହେଉଥିବା ଏହି ମହାରାଲିକୁ ଆପଣମାନେ ନିଶ୍ଚୟ ଆସନ୍ତୁ ବୋଲି କେଜରିଓ୍ଵାଲ୍ ଅପିଲ୍ କରିଛନ୍ତି।

ସୂଚନାଯୋଗ୍ୟ, ଏହି ରାମଲୀଲା ମଇଦାନରେ ୨୦୧୨ରେ ଆନ୍ନା ହଜାରେ ଏବଂ କେଜରିଓ୍ଵାଲ ଦୁର୍ନୀତି ବିରୋଧରେ ଆନ୍ଦୋଳନ କରିଥିଲେ। ଆପର ଗଠନ ମଧ୍ୟ ସେହି ବର୍ଷ ନଭେମ୍ବରରେ ହୋଇଥିଲା। ଆପ୍ ୨୦୧୩ରେ ବିଧାନସଭା ନିର୍ବାଚନ ଲଢିଥିଲା ଏବଂ କଂଗ୍ରେସ ସମର୍ଥନରେ ସରକାର ଗଠନ କରିଥିଲା। ହେଲେ କେଜରିଓ୍ଵାଲ ୪୯ ଦିନ ଭିତରେ ଇସ୍ତଫା ଦେଇଥିଲେ। ପୁଣି ୨୦୧୫ରେ ଯେବେ ପୁନର୍ବାର ନିର୍ବାଚନ ହେଲା ଆମ୍ ଆଦମୀ ପାର୍ଟି ରାଜ୍ୟର ୭୦ଟି ଆସନରୁ ୬୭ ଜିତି ପ୍ରଚଣ୍ଡ ବହୁମତ ସହ କ୍ଷମତାକୁ ଫେରିଥିଲା।

ମହାରାଲିକୁ ନେଇ ଦିଲ୍ଲୀର ଅନେକ ସ୍ଥାନରେ ଟ୍ରାଫିକ ଜାମ ସମସ୍ୟା ସୃଷ୍ଟି ହୋଇପାରେ। ଏଥିପାଇଁ ଦିଲ୍ଲୀ ଟ୍ରାଫିଲ ପୋଲିସ୍ ଲୋକଙ୍କ ପାଇଁ ଆଡଭାଇଜରି ଜାରି କରିଛି। ପୋଲିସ ଏମିତି ଅନେକ ସ୍ଥାନ ଚିହ୍ନଟ କରିଛି ଯେଉଁଠି ଜମା ନ ହେବାକୁ ଲୋକଙ୍କୁ ପରାମର୍ଶ ଦିଆଯାଇଛି। ଦିଲ୍ଲୀରେ ଟ୍ରାଫିକ ଡାଇଭର୍ଜନ ସକାଳ ୮ଟାରୁ ଲାଗୁ ହୋଇ ଯାଇଛି ଏବଂ ଏହା ଅପରାହ୍ନ ୩ଟା ପର୍ଯ୍ୟନ୍ତ ଜାରି ରହିବ।