Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଭଦ୍ରକ ରେ ମର୍ମଦୁନ୍ତ ସଡ଼କ ଦୁର୍ଘଟଣା, ପୁରୀ ପୋଲିସ ର ୨ମୃତ ୨ଗୁରୁତର

*ଅସ୍ତରଙ୍ଗ, ୧୩/୧୧:* ଭଦ୍ରକ ଜିଲ୍ଲା ବାସୁଦେବପୁର-ଧାମରା ମୁଖ୍ୟ ରାସ୍ତାର ବିରସ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ଏକ ଭୟଙ୍କର ସଡ଼କ ଦୁର୍ଘଟଣା ଘଟିଛି। ପୋଲିସ ଭ୍ୟାନ୍ ସହ ଲୁହା ପ୍ଲେଟ୍ ବୋଝେଇ ଟ୍ରେଲର ଟ୍ରକ୍ ର ମୁହାଁମୁହିଁ ଧକ୍କା ହେବା ଫଳରେ ୨ ଜଣ ପୋଲିସ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବା ବେଳେ ୨ ଜଣ ଗୁରୁତର ଆହତ ହୋଇଛନ୍ତି। ମୃତକ ହେଲେ ସୁନ୍ଦରଗଡ଼ ଜିଲ୍ଲାର କନଷ୍ଟେବଳ ଅଜୟ ବାଗ ଏବଂ ଝାରସୁଗୁଡ଼ା ଜିଲ୍ଲାର କନଷ୍ଟେବଳ ହିମାଂଶୁ ରାୟ। ଆହତ ହେଲେ ଅସ୍ତରଙ୍ଗ ଥାନାର ଏସଆଇ ଦିବ୍ୟ ରଞ୍ଜନ ସାହୁ ଏବଂ ହୋମଗାର୍ଡ ପ୍ରଶାନ୍ତ ଜେନା।
ସୂଚନା ଅନୁସାରେ, ପୁରୀ ଜିଲ୍ଲା ଅସ୍ତରଙ୍ଗ ଥାନାର ଏକ ପୋଲିସ ଟିମ୍ ଏକ ମୋବାଇଲ୍ ଫୋନ୍ ଚୋରି ମାମଲାର ତଦନ୍ତ ପାଇଁ ଭଦ୍ରକ ଜିଲ୍ଲା ନାୟକାଣିଡିହି ଥାନା ଅଞ୍ଚଳକୁ ଆସିଥିଲେ। ତଦନ୍ତ କାର୍ଯ୍ୟ ସାରି ବାସୁଦେବପୁର ଅଭିମୁଖେ ଫେରୁଥିବା ବେଳେ ବିରସ ଛକ ନିକଟରେ ଧାମରା ଆଡ଼କୁ ଯାଉଥିବା ଏକ ଦ୍ରୁତଗାମୀ ଲୁହା ବୋଝେଇ ଟ୍ରେଲର ଭାରସାମ୍ୟ ହରାଇ ପୋଲିସ ଭ୍ୟାନ୍ କୁ ସାମ୍ନାରୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ ପୋଲିସ ଭ୍ୟାନ୍ ଟି ସମ୍ପୂର୍ଣ୍ଣ ଭାବେ ଚୁରମାର ହୋଇଯାଇଥିଲା ଏବଂ ଭିତରେ ଥିବା ପୋଲିସ କର୍ମଚାରୀମାନେ ରାସ୍ତା ଉପରକୁ ଛିଟିକି ପଡ଼ିଥିଲେ।
ଖବର ପାଇ ସ୍ଥାନୀୟ ଲୋକେ ଏବଂ ବାସୁଦେବପୁର ଅଗ୍ନିଶମ ବିଭାଗ ପହଞ୍ଚି ଆହତଙ୍କୁ ଉଦ୍ଧାର କରି ବାସୁଦେବପୁର ଡାକ୍ତରଖାନାକୁ ନେଇଥିଲେ। ସେଠାରେ ଡାକ୍ତର ୨ ଜଣଙ୍କୁ ମୃତ ଘୋଷଣା କରିଥିବା ବେଳେ ଗୁରୁତର ୨ ଜଣଙ୍କୁ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଓ ପରେ କଟକ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ଏସଆଇ ଦିବ୍ୟ ରଞ୍ଜନ ସାହୁଙ୍କୁ ବର୍ତ୍ତମାନ କଟକର ଏକ ଘରୋଇ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିବା ବେଳେ ହୋମଗାର୍ଡ ପ୍ରଶାନ୍ତ ଜେନା ଏସସିବିରେ ଚିକିତ୍ସାଧୀନ ଅଛନ୍ତି। ପୁରୀ ଏସପି ନିଜେ ଏସସିବି ଯାଇ ଆହତଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଛନ୍ତି। ନାୟକାଣିଡିହି ପୋଲିସ ଟ୍ରେଲର ଟ୍ରକ୍ କୁ ଅଟକ ରଖି ଘଟଣାର ତଦନ୍ତ ଚଳାଇଛି। ଏହି ମର୍ମନ୍ତୁଦ ଦୁର୍ଘଟଣା ପରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ