Bali Jatra 2026: ଚଳିତ ବର୍ଷ ୨୪ରେ ବାଲିଯାତ୍ରାର ଉଦ୍ଘାଟନ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ!
କଟକ: ଏଥର କଟକର ଐତିହାସିକ ବାଲିଯାତ୍ରାରେ ଯୋଡ଼ିହେବ ନୂଆ ଅଧ୍ୟାୟ। ପ୍ରଥମ ଥର ପାଇଁ ଏହି ମହୋତ୍ସବରେ ଯୋଗଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଆସନ୍ତା ନଭେମ୍ବର ୨୪ ତାରିଖ ସନ୍ଧ୍ୟାରେ ସେ କଟକରେ ପହଞ୍ଚି ବାଲିଯାତ୍ରାକୁ ଉଦ୍ଘାଟନ କରିବେ। ରାଷ୍ଟ୍ରପତିଙ୍କ ଗସ୍ତ ସମ୍ପର୍କରେ କଟକ ଜିଲ୍ଲାପାଳ ସୂଚନା ଦେଇଥିବା ବେଳେ ଏଥିପାଇଁ ପ୍ରସ୍ତୁତି ଚାଲିଛି।
ଚଳିତବର୍ଷ ନଭେମ୍ବର ୨୪ରୁ ଡିସେମ୍ବର ୧ ପର୍ଯ୍ୟନ୍ତ ଆଠ ଦିନ ଧରି ଆୟୋଜିତ ହେବ ବାଲିଯାତ୍ରା। ମେଳାକୁ ଆହୁରି ବଡ଼ ଓ ଆକର୍ଷଣୀୟ କରିବା ପାଇଁ ରାଜ୍ୟ ସରକାର, କଟକ ଜିଲ୍ଲା ପ୍ରଶାସନ ଏବଂ କଟକ ମହାନଗର ନିଗମ ପକ୍ଷରୁ ପ୍ରସ୍ତୁତି ଚାଲିଛି। ଏଥର ଉପର ପଡ଼ିଆ ସହ ତଳ ପଡ଼ିଆରେ ମଧ୍ୟ ମେଳା ଆୟୋଜନ କରାଯିବ। ଏହାଦ୍ୱାରା ଅଧିକ ଷ୍ଟଲ୍ ଓ ବ୍ୟବସାୟୀଙ୍କ ପାଇଁ ସୁଯୋଗ ସୃଷ୍ଟି ହେବ।
ମେଳା ସମୟରେ ଭିଡ଼ ନିୟନ୍ତ୍ରଣ, ପାର୍କିଂ ଓ ଟ୍ରାଫିକ୍ ପରିଚାଳନା ପାଇଁ ମଧ୍ୟ ପ୍ରଶାସନ ସ୍ୱତନ୍ତ୍ର ଯୋଜନା କରୁଛି। ଗତବର୍ଷ ତୁଳନାରେ ଏଥର ଅଧିକ ପାର୍କିଂ ସୁବିଧା ଯୋଗାଇବା ଉପରେ ଗୁରୁତ୍ୱ ଦିଆଯାଉଛି। ରାଷ୍ଟ୍ରପତିଙ୍କ ଗସ୍ତକୁ ଦୃଷ୍ଟିରେ ରଖି ସୁରକ୍ଷା ବ୍ୟବସ୍ଥାର ମଧ୍ୟ ଯୋଜନା କରାଯାଉଛି।

