ଗୁଡ଼ିଘାଟ୍-କଣ୍ଟାବାଞ୍ଜି ମୁଖ୍ୟ ରାସ୍ତାରେ ନମୋ ନାରାୟଣୀ ରାଇସ୍ ମିଲ୍ର ବେଆଇନ ବର୍ଜ୍ୟବସ୍ତୁ ଫିଙ୍ଗା ଘଟଣା: ପ୍ରଶାସନର କଡ଼ା ପଦକ୍ଷେପ, ତଦନ୍ତ ନିର୍ଦ୍ଦେଶ ।
ବଲାଙ୍ଗୀର,୧୬।୧୧: ବଲାଙ୍ଗୀର ଜିଲ୍ଲା ମୁରିବାହାଲ ତହସିଲ୍ ଅନ୍ତର୍ଗତ ଗୁଡିଘାଟ ଓ ପତ୍ରାପାଲି ମଧ୍ୟବର୍ତ୍ତୀ ମୁଖ୍ୟ ରାସ୍ତା ପାର୍ଶ୍ୱରେ ‘ନମୋ ନାରାୟଣୀ ରାଇସ୍ ମିଲ୍’ ପକ୍ଷରୁ ବେଆଇନ ଭାବେ ବିଷାକ୍ତ ବର୍ଜ୍ୟବସ୍ତୁ ଫିଙ୍ଗାଯିବା ଅଭିଯୋଗର ଗତକାଲିର ଖବର ପ୍ରକାଶ ପାଇବା ପରେ ଆଜି ପ୍ରଶାସନିକ ସ୍ତରରେ ତତ୍ପରତା ପ୍ରକାଶ ପାଇଛି। ସ୍ଥାନୀୟ ଜନସାଧାରଣଙ୍କ ସ୍ୱାସ୍ଥ୍ୟ ଏବଂ ପରିବେଶ ସୁରକ୍ଷାକୁ ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗୀୟ ଅଧିକାରୀମାନେ ନିଜର ପ୍ରତିକ୍ରିୟା ରଖିବା ସହ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
ଏହି ସମ୍ବେଦନଶୀଳ ଘଟଣାକୁ ନେଇ ଟିଟିଲାଗଡ଼ ଉପଜିଲ୍ଲାପାଳ ପଦ୍ମନାଭ ସାମନ୍ତରାୟଙ୍କୁ ପଚାରିବାରୁ, ସେ ଏନେଇ ମୁରିବାହାଲ ତହସିଲଦାରଙ୍କୁ ଅବଗତ କରାଯିବ ଏବଂ ଆଜି ହିଁ ତଦନ୍ତ ପାଇଁ ଜଣେ ଅଧିକାରୀଙ୍କୁ ପଠାଯିବ ବୋଲି ସ୍ପଷ୍ଟ କରିଛନ୍ତି।
ସେହିପରି ସରକାରୀ ରାସ୍ତା କଡ଼ରେ ବେଆଇନ୍ ଭାବେ ବର୍ଜ୍ୟବସ୍ତୁ ଫିଙ୍ଗାଯାଉଥିବା ପ୍ରସଙ୍ଗରେ ମୁରିବାହାଲ ତହସିଲଦାର ଜଗଦୀଶ କର୍ତ୍ତାମି କହିଛନ୍ତି ଯେ, “ଏହି ଘଟଣା ବାବଦରେ ମୁଁ ପୂର୍ବରୁ ଅବଗତ ନଥିଲି, ଏବେ ଆପଣଙ୍କ ମାଧ୍ୟମରେ ଜାଣିବାକୁ ପାଇଲି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ପ୍ରତି ଯେପରି କୌଣସି ପ୍ରକାର ଅସୁବିଧା ନହୁଏ, ସେଥିପାଇଁ ମୁଁ ସମ୍ପୃକ୍ତ ମିଲ୍ ମାଲିକଙ୍କୁ ୭ ଦିନ ଭିତରେ ସେହି ବର୍ଜ୍ୟବସ୍ତୁଗୁଡ଼ିକୁ ସଠିକ୍ ଭାବେ ପରିଚାଳନା କରିବାକୁ କଡ଼ା ନିର୍ଦ୍ଦେଶ ଦେବି।”
ଅନ୍ୟପକ୍ଷରେ, ଉକ୍ତ ରାଇସ୍ ମିଲ୍ର ପ୍ରଦୂଷଣ ନିୟନ୍ତ୍ରଣ ପ୍ରମାଣପତ୍ର ଏବଂ ବର୍ଜ୍ୟବସ୍ତୁ ପରିଚାଳନା ବ୍ୟବସ୍ଥା ନେଇ ରାଜ୍ୟ ପ୍ରଦୂଷଣ ବୋର୍ଡ ବଲାଙ୍ଗୀର ଜିଲ୍ଲାର କ୍ଷେତ୍ରୀୟ ଅଧିକାରିଣୀ ବବିତା ସିଂଙ୍କୁ ପଚାରିବାରୁ, ସେ କହିଛନ୍ତି ଯେ ତୁରନ୍ତ ଉକ୍ତ ରାଇସ୍ ମିଲ୍ ପରିଦର୍ଶନ (Visit) କରିବାକୁ ଅଧିକାରୀ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଘଟଣାଟିର ସତ୍ୟତା ଯାଞ୍ଚ କଲା ପରେ ଆସନ୍ତା ୧-୨ ଦିନ ଭିତରେ ଏହାର ପ୍ରକୃତ ସ୍ଥିତି ସ୍ପଷ୍ଟ କରାଯିବ।
ତେବେ ଖୋଲା ଆକାଶରେ ଏଭଳି ଦୂଷିତ ବର୍ଜ୍ୟବସ୍ତୁ ପଡ଼ିରହିବା ଯାହାକି ସ୍ଥାନୀୟ ଅଞ୍ଚଳରେ ଶ୍ୱାସକ୍ରିୟା ଏବଂ ଚର୍ମରୋଗ ଭଳି ସ୍ୱାସ୍ଥ୍ୟଗତ ସମସ୍ୟା ସୃଷ୍ଟି କରିପାରେ, ସେନେଇ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରିଣୀ ଡ଼. ପୁଷ୍ପାଞ୍ଜଳି ମିଶ୍ରଙ୍କୁ ଯୋଗାଯୋଗ କରାଯିବାରୁ, ଏହା ସିଧାସଳଖ ସ୍ୱାସ୍ଥ୍ୟ ବିଭାଗର କାର୍ଯ୍ୟପରିସର ଭୁକ୍ତ ନୁହେଁ ବୋଲି ଦର୍ଶାଇ ଏନେଇ ଜିଲ୍ଲାପାଳଙ୍କୁ ଲିଖିତ ଭାବେ ଅବଗତ କରାଇବାକୁ ସେ ପରାମର୍ଶ ଦେଇ କଲ୍ କାଟି ଦେଇଥିଲେ । ତେବେ ଏ ସମସ୍ତ ପ୍ରଶାସନିକ ତତ୍ପରତା ଭିତରେ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରିଣୀ (CDMO) ଡ଼. ପୁଷ୍ପାଞ୍ଜଳି ମିଶ୍ରଙ୍କ ଅତ୍ୟନ୍ତ ଦାୟିତ୍ୱହିନ, ଗର୍ହିତ ଓ ରକ୍ଷଣଶୀଳ ମନ୍ତବ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ଜନସାଧାରଣଙ୍କ ସ୍ୱାସ୍ଥ୍ୟ ସୁରକ୍ଷା ପାଇଁ ଦାୟିତ୍ୱରେ ଥିବା ଜଣେ ମୁଖ୍ୟ ସ୍ୱାସ୍ଥ୍ୟ ଅଧିକାରୀ ଏଭଳି ଏକ ଜନସ୍ୱାସ୍ଥ୍ୟ ସମସ୍ୟାକୁ ସିଧାସଳଖ “ଆମ ବିଭାଗର କାମ ନୁହେଁ” ବୋଲି କହି ଏଡ଼ାଇଦେବା ଏବଂ ଗଣମାଧ୍ୟମ ପ୍ରତିନିଧିଙ୍କ ଆଗରେ ଫୋନ୍ କାଟିଦେବା ତାଙ୍କର କର୍ତ୍ତବ୍ୟଗତ ଅବହେଳା ଏବଂ ଅପାରଗତାର ପରିଚୟ ଦେଉଛି।
ସମସ୍ତ ବିଭାଗୀୟ ଅଧିକାରୀଙ୍କ ଏପରି ମତାମତ ଏବଂ ପ୍ରଶାସନିକ ତତ୍ପରତା ପରେ, ନିୟମ ଉଲ୍ଲଂଘନକାରୀ ନମୋ ନାରାୟଣୀ ରାଇସ୍ ମିଲ୍ ମାଲିକଙ୍କ ବିରୁଦ୍ଧରେ ଆଗାମୀ ଦିନରେ କି କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉଛି, ତାହା ଉପରେ ଏବେ ସମସ୍ତଙ୍କର ନଜର ରହିଛି।

