ପ୍ରଥମ ପିଏମ ଦେଖିଲି ଯିଏ ସୁପ୍ରିମକୋର୍ଟଙ୍କୁ ମାନୁ ନାହିଁ, ଆମେ ଅଧ୍ୟାଦେଶ ଖାରଜ କରି କି ହିଁ ରହିବୁ:


ନୂଆଦିଲ୍ଲୀ: ଆମ୍ ଆଦମୀ ପାର୍ଟି କେନ୍ଦ୍ର ସରକାରଙ୍କ ଅଧ୍ୟାଦେଶ ବିରୋଧରେ ରବିବାର ଦିଲ୍ଲୀର ରାମଲୀଲା ମଇଦାନରେ ମହାରାଲିର ଆୟୋଜନ କରିଛି। ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ଵାଲ୍ ରାଲିକୁ ସମ୍ବୋଧିତ କରି କେନ୍ଦ୍ର ସରକାରଙ୍କ ଉପରେ ଖୁବ୍ ବର୍ଷିଛନ୍ତି। ସେ କହିଛନ୍ତି, ୧୨ ବର୍ଷ ପୂର୍ବେ ଏହି ମଇଦାନରେ ଦୁର୍ନୀତି ବିରୋଧରେ ହୁଙ୍କାର ଭରିଥିଲି। ଏବେ ପୁଣି ଥରେ ସେ ତାନାଶାହୀ ସରକାରକୁ ନିଶେଷ କରିବା ପାଇଁ ମଇଦାନରେ ଏକଜୁଟ୍ ହୋଇଛନ୍ତି। ଆଜି ତାନାଶାହୀ ସରକାର ବିରୋଧରେ ଲଢେଇ ଆରମ୍ଭ କରୁଛୁ ଏବଂ ଅଧ୍ୟାଦେଶ ଖାରଜ କରି କି ହିଁ ରହିବୁ।

କେଜରିଓ୍ଵାଲ କହିଛନ୍ତି, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦିଲ୍ଲୀବାସୀଙ୍କ ଘୋର ଅପମାନ କରିଛନ୍ତି। ପୂରା ଦେଶବାସୀ ଦିଲ୍ଲୀର ଜନତାଙ୍କ ସହ ଅଛନ୍ତି। ୧୪୦ କୋଟି ଜନତା ଏକାଠି ହୋଇ ସମ୍ଵିଧାନର ରକ୍ଷା କରିବୁ। ଯେମିତି ଲାଗୁଛି ଦିଲ୍ଲୀରେ ତାନାଶାହୀ ସରକାର ଚାଲୁଛି। ଆଗାମୀ ଦିନରେ ପୁଣି ରାଜସ୍ଥାନ ଏବଂ ପଶ୍ଚିମବଙ୍ଗରେ କେନ୍ଦ୍ର ସରକାର ଅଧ୍ୟାଦେଶ ଆଣି ପାରନ୍ତି। ଚତୁର୍ଥ ପାସ୍ କରିଥିବା ରାଜା ଏହା ବୁଝି ପାରୁନି ଯେ, ଦେଶ କେମିତି ଚଳାଯାଏ। ସବୁ ଆଡ଼େ ବେରୋଜଗାରୀର ଆର୍ତ୍ତନାଦ। ଜିଏସଟି କାରଣରୁ ବ୍ୟବସାୟୀଙ୍କ ଅଣ୍ଟା ଭାଙ୍ଗି ଯାଇଛି। ପୂରା ରେଲଓ୍ଵେକୁ ଦେବାଳିଆ କରି ଦିଆଯାଇଛି। ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ ସବୁ ମହଙ୍ଗା ଯାଇଛି ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି।

କେଜରିଓ୍ଵାଲ ଏହା ମଧ୍ୟ କହିଛନ୍ତି, ଦେଶରେ ଜନତନ୍ତ୍ର ବିପଦରେ ପଡ଼ିଛି। ସୁପ୍ରିମକୋର୍ଟ ଦିଲ୍ଲୀର ହକ୍ ସପକ୍ଷରେ ନିଷ୍ପତ୍ତି ଦେଇଛନ୍ତି। କିନ୍ତୁ ପ୍ରଧାନମନ୍ତ୍ରୀ ମୋଦୀ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମାନୁ ନାହାନ୍ତି। ମୁଁ ଏମିତି ପ୍ରଥମ ପ୍ରଧାନମନ୍ତ୍ରୀ ଦେକୁଛି ଯିଏ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ମାନିବାକୁ ପ୍ରସ୍ତୁତ ନୁହଁ। ଆଜି ଦେଶର ସମ୍ବିଧାନ ବଞ୍ଚାଇବାକୁ ଆନ୍ଦୋଳନ ଆରମ୍ଭ ହୋଇଛି। ବିଜେପିର ଲୋକେ ମୋତେ ନିୟମିତ ଗାଳି ଦେଉଛନ୍ତି। ହେଲେ ଦିଲ୍ଲୀବାସୀଙ୍କ ଅପମାନ ବରଦାସ୍ତ କରାଯାଇ ପାରିବ ନାହିଁ ବୋଲି କେଜରିଓ୍ଵାଲ କହିଛନ୍ତି।