Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅମର ସ୍ୱରର ପ୍ରଥମ ବାର୍ଷିକୀ: ଟିଟିଲାଗଡ଼ ମାଟିରେ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଓ ସଙ୍ଗୀତମୟ ସ୍ମୃତିଚାରଣରେ ଗୁଞ୍ଜରିତ ହେଲା ହ୍ୟୁମାନ୍ ସାଗରଙ୍କ ସ୍ମୃତି ।

ବଲାଙ୍ଗୀର,୧୭।୧୧: ଓଡ଼ିଆ ସଙ୍ଗୀତ ଜଗତର କୋଟି କୋଟି ପ୍ରଶଂସକଙ୍କ ହୃଦୟରେ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଥିବା ଜନପ୍ରିୟ କଣ୍ଠଶିଳ୍ପୀ ଦିବଂଗତ ହ୍ୟୁମାନ୍ ସାଗରଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ସମାରୋହ ତାଙ୍କର ଜନ୍ମମାଟି ଟିଟିଲାଗଡ଼ଠାରେ ମଙ୍ଗଳବାର ଅତ୍ୟନ୍ତ ଭାବବିହ୍ୱଳ ପରିବେଶରେ ପାଳିତ ହୋଇଯାଇଛି। ‘ଓଡ଼ିଶା କଳାକାର ଏକତା ମଞ୍ଚ’ର ଆନୁକୂଲ୍ୟରେ ସ୍ଥାନୀୟ ସରକାରୀ ବାଳକ ଉଚ୍ଚବିଦ୍ୟାଳୟ ଖେଳପଡ଼ିଆରେ ଆୟୋଜିତ ଏହି ସ୍ମୃତିସଭାରେ ରାଜ୍ୟର କୋଣ ଅନୁକୋଣରୁ ହଜାର ହଜାର ସଂଖ୍ୟାରେ ପ୍ରଶଂସକ ଓ କଳାକାରମାନେ ଯୋଗଦେଇ ନିଜର ପ୍ରିୟ ଗାୟକଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି।
ସାଂସ୍କୃତିକ କାର୍ଯ୍ୟକ୍ରମର ପ୍ରାରମ୍ଭରେ ଓଡ଼ିଶାର ବିଭିନ୍ନ ପ୍ରାନ୍ତରୁ ଆସିଥିବା କଳାକାରମାନେ ଏକାଠି ହୋଇ ହ୍ୟୁମାନ୍‌ଙ୍କ ସମାଧିସ୍ଥଳକୁ ଯାଇ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ। ପରେ ସେମାନେ ଦେବନ୍ଧ ପଡ଼ାସ୍ଥିତ ସ୍ୱର୍ଗତ ସାଗରଙ୍କ ବାସଭବନକୁ ଯାଇ ତାଙ୍କ ମା’ ଶିକ୍ଷୟତ୍ରୀ ସେଫାଳୀ ସୁନାଙ୍କୁ ଭେଟି ସାନ୍ତ୍ୱନା ପ୍ରଦାନ କରିଥିଲେ। ପୁଅକୁ ହରାଇବାର ଯନ୍ତ୍ରଣା ଭିତରେ ବି ମା’ଙ୍କ ଉପସ୍ଥିତି ସମସ୍ତଙ୍କୁ ଭାବୁକ କରିପକାଇଥିଲା।
କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଯୋଗଦେଇ ପୂର୍ବତନ ମନ୍ତ୍ରୀ ଟୁକୁନି ସାହୁ କହିଥିଲେ ଯେ, “ହ୍ୟୁମାନ୍ ସାଗରଙ୍କା ଅକାଳ ବିଯୋଗ ଓଡ଼ିଆ ସଙ୍ଗୀତ ଜଗତରେ ଏପରି ଏକ ଶୂନ୍ୟସ୍ଥାନ ସୃଷ୍ଟି କରିଛି, ଯାହା ଆଜିବର୍ଷକ ପରେ ମଧ୍ୟ ପୂରଣ ହୋଇପାରିନାହିଁ। ସେ ଆଜି ଶାରୀରିକ ଭାବେ ଆମ ଗହଣରେ ନଥିଲେ ମଧ୍ୟ ତାଙ୍କର ଅମର ସ୍ୱର ମାଧ୍ୟମରେ ସବୁଦିନ ପାଇଁ ଅମର ହୋଇ ରହିବେ।”
ଏହି ସଭାରେ ଅନ୍ୟମାନଙ୍କ ମଧ୍ୟରେ ସଙ୍ଗୀତ ଗୁରୁ ଶୁଭ୍ରାଂଶୁ ମିଶ୍ର, ପୌର ଉପାଧ୍ୟକ୍ଷା ପୁଷ୍ପମଞ୍ଜରୀ ଜାଲ, ଏବଂ ବଣିକ ସଂଘ ସଭାପତି ଶମ୍ଭୁ ପ୍ରସାଦ ଗୋଏଲ ପ୍ରମୁଖ ଯୋଗଦେଇ ହ୍ୟୁମାନ୍‌ଙ୍କ ସ୍ମୃତିଚାରଣ କରିଥିଲେ। ମଞ୍ଚରେ ହ୍ୟୁମାନ୍‌ଙ୍କ ମା’ ସେଫାଳି ସୁନା ମଧ୍ୟ ଉପସ୍ଥିତ ରହି ଏହି ଭାବବିହ୍ୱଳ ମୁହୂର୍ତ୍ତର ସାକ୍ଷୀ ହୋଇଥିଲେ।
ଶ୍ରଦ୍ଧାଞ୍ଜଳି ସଭା ପରେ ଆୟୋଜିତ ସଙ୍ଗୀତ ସନ୍ଧ୍ୟା ଥିଲା ଏହି କାର୍ଯ୍ୟକ୍ରମର ମୁଖ୍ୟ ଆକର୍ଷଣ। ପଶ୍ଚିମ ଓଡ଼ିଶାର ଲୋକପ୍ରିୟ ଗାୟକ ରୁକୁ ସୁନା, ହ୍ୟୁମାନ୍‌ଙ୍କ ମାମୁ ତଥା କଣ୍ଠଶିଳ୍ପୀ ଗଗନ ବାଗ ଏବଂ ଅନ୍ୟାନ୍ୟ କଳାକାରମାନେ ମଞ୍ଚରେ ହ୍ୟୁମାନ୍‌ଙ୍କ ଅତି ଲୋକପ୍ରିୟ ଓ ହୃଦୟସ୍ପର୍ଶୀ ଗୀତଗୁଡ଼ିକ ପରିବେଶଣ କରିଥିଲେ। ସେହି ସୁରର ମାୟାଜାଲରେ ସମଗ୍ର ପରିବେଶ ସଙ୍ଗୀତମୟ ହୋଇଉଠିଥିଲା ଏବଂ ଉପସ୍ଥିତ ପ୍ରଶଂସକମାନେ ଭାବବିହ୍ୱଳ ହୋଇପଡ଼ିଥିଲେ।
ଏହି ଅବସରରେ ସଙ୍ଗୀତ ଜଗତରେ ବିଶେଷ ଅବଦାନ ପାଇଁ ବିଭିନ୍ନ ପ୍ରତିଭାବାନ କଳାକାରମାନଙ୍କୁ ‘ହ୍ୟୁମାନ୍ ସାଗର ସ୍ମୃତି ସମ୍ମାନ’ରେ ସମ୍ମାନିତ କରାଯାଇଥିଲା। ଆଗାମୀ ଦିନରେ ପ୍ରତିବର୍ଷ ହ୍ୟୁମାନ୍‌ଙ୍କ ଜନ୍ମମାଟି ଟିଟିଲାଗଡ଼ରେ ଏହିଭଳି ଭବ୍ୟ ସଙ୍ଗୀତମୟ ଶ୍ରଦ୍ଧାଞ୍ଜଳି ସମାରୋହ ଆୟୋଜନ କରାଯିବ ବୋଲି ‘ଓଡ଼ିଶା କଳାକାର ଏକତା ମଞ୍ଚ’ ପକ୍ଷରୁ ସ୍ପଷ୍ଟ ଭାବେ ଘୋଷଣା କରାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories