Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଡାକ ପାର୍ସଲ ଗାଡ଼ି ଧକ୍କାରେ ଦୁଇ ସାଙ୍ଗଙ୍କ ମୃତ୍ୟୁ: ପରିବାର ପକ୍ଷରୁ କ୍ଷତିପୂରଣ ଓ କଠୋର କାର୍ଯ୍ୟାନୁଷ୍ଠାନ ଦାବି

ବଲାଙ୍ଗୀର,୨୪।୧୧: ବଲାଙ୍ଗୀର-ସମ୍ବଲପୁର ଜାତୀୟ ରାଜପଥ (NH-26)ର ହିରାପୁର ଛକ ନିକଟରେ ଆଜି ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଦୁଇଜଣ ସାଙ୍ଗଙ୍କ ମୃତ୍ୟୁ ଘଟିଛି। ମୃତକମାନେ ଗୁଡ଼ଭେଳା ବ୍ଲକ୍ ଅନ୍ତର୍ଗତ ବିରାମଣ୍ଡା ପଞ୍ଚାୟତର କର୍ଲାଖମନ ଗାଁର ଉଜ୍ଜ୍ୱଳ ଭୋଇ (୨୫) ଏବଂ ସଞ୍ଜୟ ଦତ୍ତ ବଗର୍ତ୍ତି (୨୨) ଓ ସେମାନେ ଉଭୟେ ୨ ଜଣ ସାଙ୍ଗ ବୋଲି ଜଣାପଡିଛି ।
ସୂଚନା ଅନୁଯାୟୀ, ଉଭୟ ଯୁବକ ଗତକାଲି ସନ୍ଧ୍ୟାରେ ବାଇକ୍ ଯୋଗେ ଲୋଇସିଂହା ପଟରୁ ବଲାଙ୍ଗୀର ଅଭିମୁଖେ ଆସୁଥିବା ବେଳେ ହିରାପୁର ଛକ ନିକଟରେ ଝାରଖଣ୍ଡ ନମ୍ବର ଥିବା ଏକ ଡାକ ପାର୍ସଲ ଗାଡ଼ି ସେମାନଙ୍କୁ ଧକ୍କା ଦେଇଥିଲା। ଧକ୍କା ଏତେ ଭୟଙ୍କର ଥିଲା ଯେ ଘଟଣାସ୍ଥଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭୀମଭୋଇ ମେଡିକାଲ୍ କଲେଜ ଓ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମଧ୍ୟ ମୃତ୍ୟୁ ଘଟିଛି।
ଦୁର୍ଘଟଣା ପରେ ଉତ୍ତେଜନା ଓ ଶୋକର ବାତାବରଣ ସୃଷ୍ଟି ହୋଇଥିଲା। ମୃତକଙ୍କ ପରିବାର ପକ୍ଷରୁ ପ୍ରଥମେ ଶବ ବ୍ୟବଚ୍ଛେଦ (ପୋଷ୍ଟମର୍ଟମ୍) ପାଇଁ ଅରାଜି ପ୍ରକାଶ କରାଯାଇଥିଲା। ପରେ ପୋଲିସ୍ ଘଟଣାସ୍ଥଳ ଓ ହସ୍ପିଟାଲ୍‌ରେ ପହଞ୍ଚି ପରିବାର ଲୋକଙ୍କୁ ବୁଝାସୁଝା କରିବା ପରେ ଶବ ବ୍ୟବଚ୍ଛେଦ କରାଯାଇଛି।
ଅନ୍ୟପଟେ, ମୃତକଙ୍କ ପରିବାର ଲୋକେ ଗାଡ଼ି ଚାଳକଙ୍କ ବେପରୁଆ ଗାଡ଼ି ଚାଳନାକୁ ଦାୟୀ କରିବା ସହିତ କଡ଼ା କାର୍ଯ୍ୟାନୁଷ୍ଠାନ ଗ୍ରହଣ ଏବଂ ସରକାରଙ୍କ ପକ୍ଷରୁ ଉପଯୁକ୍ତ କ୍ଷତିପୂରଣ ପ୍ରଦାନ ପାଇଁ ଦାବି କରିଛନ୍ତି। ଏହି ଘଟଣାରେ ଲୋଇସିଂହା ପୋଲିସ୍ ସମ୍ପୃକ୍ତ ଡାକ ପାର୍ସଲ ଗାଡ଼ିର ଡ୍ରାଇଭରକୁ ଅଟକ ରଖି ଅଧିକ ତଦନ୍ତ ଚଳାଇଥିବା ସୂଚନା ମିଳିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories