ବଙ୍ଗୋମୁଣ୍ଡା ଧନୁଯାତ୍ରାକୁ ହାତୀ ନେଇ ଆସିଥିବା ମାହୁନ୍ତଙ୍କ ମୃତ୍ୟୁ ।
ବଲାଙ୍ଗୀର,୨୩।୧୧: ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଠାରେ ଆୟୋଜିତ ୪୦ ତମ ଧନୁଯାତ୍ରା ମହୋତ୍ସବର ଉଦଘାଟନୀ ଦିବସର ବିଳମ୍ବିତ ରାତିରେ ଏକ ଅଭାବନୀୟ ତଥା ଦୁଃଖଦ ଘଟଣା ଘଟିଛି। ଗତକାଲି ଧନୁଯାତ୍ରାର ଉଦଘାଟନୀ ଦିବସ ଥିବା ବେଳେ ଏହି ଧନୁଯାତ୍ରାକୁ ହାତୀ ନେଇ ଆସିଥିବା ମାହୁନ୍ତଙ୍କ ମୃତ୍ୟୁ ଘଟିଥିବା ସୂଚନା ମିଳିଛି। ମୃତକ ହେଲେ ବନାରସ-ଆଲ୍ଲାହାବାଦ ଅଞ୍ଚଳର କାକେଶ୍ୱର ନାଥ ଦୁବେ ବୋଲି ଚିହ୍ନଟ କରାଯାଇଛି।
ସୂଚନା ଅନୁଯାୟୀ, ଚଳିତ ବର୍ଷ ବଙ୍ଗୋମୁଣ୍ଡାର ୪୦ ତମ ଧନୁଯାତ୍ରା ମହୋତ୍ସବ (୨୨ରୁ ୨୬ ନଭେମ୍ବର ପର୍ଯ୍ୟନ୍ତ ପାଞ୍ଚ ଦିନ ବ୍ୟାପୀ ଆୟୋଜିତ କରାଯାଇଛି) ଏଥିପାଇଁ କାକେଶ୍ୱର ନାଥ ଦୁବେ ହାତୀକୁ ନେଇ ଆସିଥିଲେ ଏବଂ ସେ ହାତୀର ମାହୁନ୍ତ ଓ ହାତୀର ମାଲିକ ବୋଲି ଜଣାପଡିଛି । ମହୋତ୍ସବର ପ୍ରଥମ ରାତିରେ ହଠାତ୍ ସେ କୌଣସି କାରଣରୁ ଗୁରୁତର ହୋଇଥିଲେ।
ଗୁରୁତର ଅବସ୍ଥାରେ ତାଙ୍କୁ ତୁରନ୍ତ ବଙ୍ଗୋମୁଣ୍ଡା ଡାକ୍ତରଖାନା ଏବଂ ପରବର୍ତ୍ତୀ ସମୟରେ ଅଧିକ ଚିକିତ୍ସା ପାଇଁ କଣ୍ଟାବାଞ୍ଜି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା। ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।
ଘଟଣା ସମ୍ପର୍କରେ ମୃତକ ମାହୁନ୍ତଙ୍କ ସହ ଆସିଥିବା ରାମ କୁମାର ସୋନକର କାହିଁକି ଏବଂ କିଭଳି ଅବସ୍ଥାରେ ହାତୀ ମାଲିକ ତଥା ମାହୁନ୍ତ ଙ୍କ ମୃତ୍ୟୁ ହେଲା ସେ ଜାଣିନଥିବା କହିଛନ୍ତି । ତେବେ ଯେଉଁ ହାତୀକୁ ସେନେଇ ଧନୁଯାତ୍ରାକୁ ଆସିଥିଲେ ସେହି ହାତୀ ଆକ୍ରମଣରେ ହିଁ ମାହୁନ୍ତ ଙ୍କ ମୃତ୍ୟୁ ହୋଇଥିବା ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ହେଉଛି । ଘଟଣାକୁ ନେଇ ବଙ୍ଗୋମୁଣ୍ଡା ଧନୁଯାତ୍ରା ପରିଚାଳନା କମିଟି ସଦସ୍ୟଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରାଯାଇଥିବା ବେଳେ ସମ୍ଭବ ପର ହୋଇନାହିଁ । ଅନ୍ୟପକ୍ଷରେ, ଏହି ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି। ଶବ ବ୍ୟବଚ୍ଛେଦ ପରେ ମୃତଦେହକୁ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ସୂଚନା ରହିଛି। ପୋଲିସ ଘଟଣାର ପ୍ରାଥମିକ ତଦନ୍ତ ଆରମ୍ଭ କରିଛି।

