Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମହା ସମାରୋହରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି ସହର ସମେତ ଗଜପତି ଜିଲ୍ଲାର ବିଭିନ୍ନ ଅଞ୍ଚଳରେ ମହା ସମାରୋହରେ କାର୍ତ୍ତିକ ପୂର୍ଣ୍ଣିମା ଓ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ

ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଗଜପତି ଜିଲ୍ଲାର ସଦର ମହକୁମା ପାରଳାଖେମୁଣ୍ଡି ସହର ସମେତ ବିଭିନ୍ନ ଅଞ୍ଚଳରେ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ପ୍ରତ୍ୟୁଷ ପାହାନ୍ତିଆ ରାତିରୁ ଆଖପାଖ ଅଞ୍ଚଳରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ବୋଇତ ବନ୍ଦାଣ ଉତ୍ସବ ଅନୁଷ୍ଠିତ ହୋଇଛି ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଓଡ଼ିଶାର ପ୍ରାଚୀନ ଐତିହ୍ୟ, ପରମ୍ପରା ଓ ନୌ-ବାଣିଜ୍ୟ’ର ସ୍ମୃତି ବହନ କରୁଥିବା ବୋଇତ ବନ୍ଦାଣ ପର୍ବ ପାରମ୍ପରିକ ଭାବେ ପାଳିତ ହୋଇଥିଲା। । ପାରଳାଖେମୁଣ୍ଡି ସହର ଉପକଣ୍ଠସ୍ଥ ଓଡ଼ିଶା-ଆନ୍ଧ୍ର ସୀମାନ୍ତରେ ଥିବା ତଥା ଗଜପତି ଜିଲ୍ଲାଞ୍ଚଳ’ର ପ୍ରକୃତି, ସଂସ୍କୃତି ଓ ଜନଜୀବନ ସହିତ ଜଡ଼ିତ ଥିବା ଏହି ଗୁରୁତ୍ୱପୂର୍ଣ୍ଣ ତଥା ପ୍ରବାହିତ ହେଉଥିବା ଏହି ପୁରାଣ ପ୍ରସିଦ୍ଧ ପୁଣ୍ୟତୋୟା ପବିତ୍ର ମହେନ୍ଦ୍ର ତନୟା ନଦୀ କୂଳରେ ଆଜି ଏହି ପର୍ବର ଧାର୍ମିକ ଓ ସାଂସ୍କୃତିକ ମହତ୍ତ୍ୱ ବେଶ୍ ସ୍ୱତନ୍ତ୍ର। ଯାହାକି, ଆଜିର ଦିବସରେ କେବଳ ମହେନ୍ଦ୍ର ତନୟା ନଦୀରେ ଉଭୟ ଓଡ଼ିଶା ଓ ଆନ୍ଧ୍ରର ଲକ୍ଷାଧିକ ଶ୍ରଦ୍ଧାଳୁ ପରମ୍ପରା ଅନୁଯାୟୀ ବୋଇତ ଭସାଇଛନ୍ତି । ଧର୍ମ ମାସ କାର୍ତ୍ତିକ ର ଆଜି ଅନ୍ତିମ ଦିବସ ହୋଇଥିବା ବେଳେ ପାରମ୍ପରିକ ଅନୁସାରେ ଆଜି ମଧ୍ୟରାତ୍ରରୁ ବିଭିନ୍ନ ପୁଷ୍କରିଣୀ, ସାଗର ଓ ନଦୀ ଝରଣା ମାନଙ୍କରେ ବୋଇତ ବନ୍ଦାଣ ତଥା ଡଙ୍ଗା-ଭସା ପର୍ବ ଦେଖିବାକୁ ମିଳିଥିଲା । ଉତ୍କଳୀୟ ପରମ୍ପରାରେ ଆଜି ଦିବସ’ଟିର ବିଶେଷ ମହତ୍ତ୍ୱ ରହିଥିବା ବେଳେ ଧାର୍ମିକ ବିଧି ପାଳନ ପାଇଁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁ ମାନେ ବିଭିନ୍ନ ନଦନଦୀ, ବନ୍ଧ, ସାଗର, ଝରଣା ମାନଙ୍କରେ ସାଜସଜ୍ଜା ହୋଇଥିବା ବିଭିନ୍ନ ରକମର ଡଙ୍ଗା ଭସାଇଥିବା ଦେଖିବାକୁ ମିଳିଥିଲା । ଶ୍ରଦ୍ଧାଳୁ ମାନେ ପବିତ୍ର ସ୍ନାନ କରି କଦଳୀ ପାଟୁଆ, ସୋଲ ଓ ରଙ୍ଗୀନ କାଗଜରେ ବିଭିନ୍ନ ଆକର୍ଷଣୀୟ ସାଜସଜ୍ଜାରେ ନିର୍ମିତ କ୍ଷୁଦ୍ର ବୋଇତରେ ଦୀପ, ପାନ ଓ ଗୁଆ ରଖି ତୁଳସୀ ଚଉଁରା ମୂଳେ ପୂଜାର୍ଚ୍ଚନା କରି ଡଙ୍ଗା ଭସାଇ ଥିଲେ। ଏହି ଅବସରରେ ପାରମ୍ପରିକ ପ୍ରସିଦ୍ଧ ଲୋକଗୀତ ଆ କା ମା ବୈ ପାନ-ଗୁଆ ଥୋଇ ଗୀତ ମାଧ୍ୟମରେ ପୂର୍ବପୁରୁଷଙ୍କ ସାମୁଦ୍ରିକ ଯାତ୍ରା ଓ ଗୌରବମୟ ନୌ-ବାଣିଜ୍ୟ ପରମ୍ପରାକୁ ସ୍ମରଣ କରିଥିଲେ । ମହିଳା ମାନଙ୍କ ହୁଳହୁଳୀରେ ସମଗ୍ର ନଦୀ ଅଞ୍ଚଳ ଆଧ୍ୟାତ୍ମିକ ତଥା ଭକ୍ତିମୟ ପରିବେଶ ସୃଷ୍ଟି ହୋଇଥିଲା । ଏହି ଅବସରରେ ଶ୍ରଦ୍ଧାଳୁ ମାନେ ମଧ୍ୟ ରାତ୍ରିରୁ ବୋଇତ ବନ୍ଦାଣ ଅଭିମୁଖେ ବାହାରି ନଦୀରେ ସ୍ନାନ ବୁଡ଼ ପକାଇ ତୁଳସୀ ଚଉରା ମୂଳେ ପାରମ୍ପରିକ ପୂଜାର୍ଚ୍ଚନା କରି ବୋଇତ ସଜବାଜ କରି ନୂଆ ଲୁଗା ପରିଧାନ କରି ବୋଇତ ଭସାଇ ଥିଲେ । ଅଧିକାଂଶ ରେ ଶ୍ରଦ୍ଧାଳୁ ମାନେ କଦଳୀ ପାଟୁଆ ରେ ବୋଇତ ପ୍ରସ୍ତୁତ କରି ଭସାଇଥିଲେ। । ମହେନ୍ଦ୍ର ତନୟା ନଦୀ ସମେତ ପାରଳାଖେମୁଣ୍ଡି ସହରର ସଦାରାମ ପୋଖରୀ , ଦୋଳ ବନ୍ଧ, ରାମ ସାଗର ଓ ସୀତା ସାଗରରେ ହଜାର ହଜାର ଶ୍ରଦ୍ଧାଳୁ ବୋଇତ ଭସାଇଥିଲେ । ସମଗ୍ର ଅଞ୍ଚଳ ଭକ୍ତିମୟ ପରିବେଶ ମଧ୍ୟରେ ଚଳଚଞ୍ଚଳ ହୋଇ ଉଠିଥିଲା । ବୋଇତ ଭସାଇବା ପରେ ଉପାନ୍ତ ଶ୍ରୀକ୍ଷେତ୍ର ପାରଳାଖେମୁଣ୍ଡି ଶ୍ରୀ-ମନ୍ଦିରରେ ତିନି ଠାକୁର’ଙ୍କ ଦର୍ଶନ ପାଇଁ ହଜାର ହଜାର ଶ୍ରଦ୍ଧାଳୁ’ଙ୍କ ଭିଡ ଜମିଥିଲା । ଏଥିସହ ଅନ୍ୟାନ୍ୟ ଦେବାଳୟରେ ଦର୍ଶନ ଏବଂ ପରେ ସହରରେ ଏକମାତ୍ର ମେଢ଼,ମାସ ବ୍ୟାପି ପୂଜା ପାଉଥିବା ଭଗବାନ କାର୍ତ୍ତିକ’ଙ୍କ ଦର୍ଶନ କରିଥିଲେ ଶ୍ରଦ୍ଧାଳୁ ମାନେ । ଜରୁରୀ ସେବା ପାଇଁ ନଦୀ , ସାଗର ଓ ପୋଖରୀ ମାନଙ୍କ ଠାରେ ଅଗ୍ନିଶମ ବିଭାଗ କର୍ମଚାରୀ ମାନେ ବିଭିନ୍ନ ସରଞ୍ଜାମ ସହ ସଜାଗ ପହରା ଦେଇଥିବା ବେଳେ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ବିଭିନ୍ନ ମନ୍ଦିର ମାନଙ୍କରେ ପୋଲିସ ମୃତୟନ ରହିଥିଲେ । ଏଠାରେ ଉଲ୍ଲେଖ ଯୋଗ୍ୟ ଯେ, ପ୍ରାଚୀନ କଳିଙ୍ଗର ସାଧବ ପୁଅ ମାନେ ସେତେବେଳେ ବାଣିଜ୍ୟ ପାଇଁ ବାଲି, ଜାଭା ଓ ସୁମାତ୍ରା ଆଦି ଦେଶକୁ ବୋଇତରେ ହିଁ ଯାତ୍ରା କରୁଥିଲେ । ସେହି ଗୌରବ ମୟ ମହତ୍ତ୍ୱପୂର୍ଣ୍ଣ ଐତିହ୍ୟକୁ ଆଜି ମଧ୍ୟ ବୋଇତ ବନ୍ଦାଣ ପରମ୍ପରା ଲୋକ ମାନସରେ ଜୀବନ୍ତ ରଖିଛି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ

More Stories