କାଶୀନଗର ବ୍ଲକ ସାରା ଗ୍ରାମବାସୀଙ୍କ ସହ ଡଙ୍ଗା ଭସାଣୀ ଉତ୍ସବରେ ସାମିଲ ହେଲେ ବିଧାୟକ ରୂପେଶ ପାଣିଗ୍ରାହୀ
କାଶୀନଗର ବ୍ଲକ ସାରା ଗ୍ରାମବାସୀଙ୍କ ସହ ଡଙ୍ଗା ଭସାଣୀ ଉତ୍ସବରେ ସାମିଲ ହେଲେ ବିଧାୟକ ରୂପେଶ ପାଣିଗ୍ରାହୀ
ପାରଳାଖେମୁଣ୍ଡି:୨୫/୧୧(ଗରୁଡ଼ ଧ୍ଵଜ ଚୌଧୁରୀ) ଓଡ଼ିଆ ଜାତିର ଗୌରବମୟ ନୌବାଣିଜ୍ୟ ପରମ୍ପରା ଓ ସାଂସ୍କୃତିକ ଐତିହ୍ୟର ପ୍ରତୀକ ପବିତ୍ର କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଗଜପତି ଜିଲ୍ଲାର ବିଭିନ୍ନ ସ୍ଥାନରେ ଆନନ୍ଦ, ଉତ୍ସାହ ଓ ଭକ୍ତିମୟ ପରିବେଶରେ ଡଙ୍ଗା ଭସାଣୀ ଉତ୍ସବ ପାଳିତ ହୋଇଯାଇଛି। ଏହି ଅବସରରେ କାଶୀନଗର ବ୍ଲକ ଖଣ୍ଡବା ପଞ୍ଚାୟତ ଅନ୍ତର୍ଗତ ସାରା ଗ୍ରାମ ନିକଟସ୍ଥ ନଦୀରେ ଆୟୋଜିତ ପାରମ୍ପରିକ ଡଙ୍ଗା ଭସାଣୀ କାର୍ଯ୍ୟକ୍ରମରେ ଗ୍ରାମବାସୀଙ୍କ ସହ ସାମିଲ ହୋଇଥିଲେ ପାରଳାଖେମୁଣ୍ଡି ବିଧାୟକ ରୂପେଶ କୁମାର ପାଣିଗ୍ରାହୀ।ବିଧାୟକ ଶ୍ରୀ ପାଣିଗ୍ରାହୀ ଗ୍ରାମବାସୀଙ୍କ ସହ ମିଶି ଡଙ୍ଗା ଭସାଣୀ ଉତ୍ସବରେ ଭାଗ ନେବା ସହ ଓଡ଼ିଆ ଜାତିର ପାରମ୍ପରିକ ରୀତିନୀତି ଓ ସାଂସ୍କୃତିକ ମହତ୍ତ୍ୱକୁ ଉପଭୋଗ କରିଥିଲେ। ଏହି ଉତ୍ସବ ଗ୍ରାମବାସୀଙ୍କ ମଧ୍ୟରେ ଏକତା, ଭାଇଚାରା ଓ ସାମାଜିକ ସଦ୍ଭାବନାର ଏକ ସୁନ୍ଦର ଉଦାହରଣ ପାଲଟିଥିଲା।କାର୍ଯ୍ୟକ୍ରମରେ ଗଜପତି ଜିଲ୍ଲା ପରିଷଦ ଅଧ୍ୟକ୍ଷ ଜି. ତିରୁପତି ରାଓ, କାଶୀନଗର ବ୍ଲକ ଅଧ୍ୟକ୍ଷା ବାଲା ସାଇଆମ୍ମା, ସ୍ଥାନୀୟ ସରପଞ୍ଚ ଏବଂ ସମିତି ସଭ୍ୟଙ୍କ ସମେତ ଅନ୍ୟାନ୍ୟ ଜନପ୍ରତିନିଧି ଓ ବହୁ ସଂଖ୍ୟାରେ ଗ୍ରାମବାସୀ ଉପସ୍ଥିତ ଥିଲେ।ଉତ୍ସବକୁ ନେଇ ସାରା ଗ୍ରାମରେ ଏକ ଆନନ୍ଦମୟ ଓ ଉତ୍ସାହପୂର୍ଣ୍ଣ ପରିବେଶ ସୃଷ୍ଟି ହୋଇଥିଲା। ଗ୍ରାମବାସୀଙ୍କ ସହ ଜନପ୍ରତିନିଧିମାନଙ୍କ ଏହି ସାମୂହିକ ଯୋଗଦାନ ପାରମ୍ପରିକ ପର୍ବପର୍ବାଣୀର ଗୁରୁତ୍ୱକୁ ଆହୁରି ଉଜ୍ଜ୍ୱଳ କରିଥିଲା। ଆଧୁନିକତାର ଯୁଗରେ ମଧ୍ୟ ଆମର ପୂର୍ବପୁରୁଷଙ୍କ ଗୌରବମୟ ପରମ୍ପରାକୁ ଜୀବନ୍ତ ରଖିବା ସହ ନୂତନ ପିଢ଼ି ମଧ୍ୟରେ ଏହାର ମହତ୍ତ୍ୱ ପହଞ୍ଚାଇବାରେ ଏଭଳି ଆୟୋଜନ ଏକ ଗୁରୁତ୍ୱପୂର୍ଣ୍ଣ ମାଧ୍ୟମ ପାଲଟିଛି।

