ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ; ସାତ ବର୍ଷ ହେଲା ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି ନିର୍ମାଣ କାର୍ଯ୍ୟ, ଯଜ୍ଞ ମଣ୍ଡପର ଅବସ୍ଥା ମଧ୍ୟ ସମାନ
ଜମନକିରା : ସରକାରୀ ଅର୍ଥ ଖର୍ଚ୍ଚ ହେଉଛି, ହେଲେ ଲୋକଙ୍କ କାମରେ ଲାଗିପାରୁନି। ନିର୍ମାଣ ଅଧାରେ ଅଟକି ରହିଥିବାରୁ ଖତ ଖାଉଛି ଲକ୍ଷ ଲକ୍ଷ ଟଙ୍କାର କଲ୍ୟାଣ ମଣ୍ଡପ। ଏଭଳି ଏକ ଦୃଶ୍ୟ ଦେଖିବାକୁ ମିଳିଛି ଜମନକିରା ବ୍ଲକ ଅନ୍ତର୍ଗତ ଦେଓଗାଁସ୍ଥିତ ବାବା ଦେବେଶ୍ୱର ଶୈବପୀଠ ପରିସରରେ।
ସୂଚନା ଅନୁଯାୟୀ, ପ୍ରାୟ ସାତ ବର୍ଷ ପୂର୍ବେ ଏହି ଶୈବପୀଠ ପରିସରରେ ଲକ୍ଷାଧିକ ଟଙ୍କା ବ୍ୟୟରେ ଏକ କଲ୍ୟାଣ ମଣ୍ଡପ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ହେଲେ ଦୀର୍ଘ ସାତ ବର୍ଷ ବିତିଯାଇଥିଲେ ମଧ୍ୟ ଏହାର ନିର୍ମାଣ କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ। ଅଧାପନ୍ତରିଆ ଅବସ୍ଥାରେ ପଡ଼ି ରହିଥିବା ଏହି ମଣ୍ଡପ ଏବେ ଅବ୍ୟବହୃତ ହୋଇ ନଷ୍ଟ ହେବାକୁ ବସିଛି।
ସେହିପରି ଏହି ପରିସରରେ ୬ ଲକ୍ଷ ୫୫ ହଜାର ଟଙ୍କା ବ୍ୟୟରେ ନିର୍ମାଣାଧୀନ ଯଜ୍ଞ ମଣ୍ଡପ ମଧ୍ୟ ଅଧାପନ୍ତରିଆ ଅବସ୍ଥାରେ ପଡ଼ିରହିଛି। ଫଳରେ ସରକାରୀ ଅର୍ଥ ବ୍ୟୟ ହେବା ସତ୍ତ୍ୱେ ଏହାର ସୁଫଳ ସାଧାରଣ ଲୋକଙ୍କୁ ମିଳିପାରୁନାହିଁ।
ଉଲ୍ଲେଖଯୋଗ୍ୟ ଯେ, ବାବା ଦେବେଶ୍ୱର ଶୈବପୀଠ ପରିସରରେ ବିବାହ, ବ୍ରତ, ଏକୋଇଶିଆ ଭଳି ବିଭିନ୍ନ ସାମାଜିକ ଓ ଧାର୍ମିକ କାର୍ଯ୍ୟକ୍ରମ ନିୟମିତ ଅନୁଷ୍ଠିତ ହୋଇଥାଏ। ଏଭଳି ସ୍ଥଳେ କଲ୍ୟାଣ ମଣ୍ଡପ ଓ ଯଜ୍ଞ ମଣ୍ଡପର ନିର୍ମାଣ ଅଧାରେ ଅଟକି ରହିବା ଯୋଗୁଁ ଅଞ୍ଚଳବାସୀ ଏହାର ସୁବିଧାରୁ ବଞ୍ଚିତ ହେଉଛନ୍ତି।
ତେଣୁ ଦୀର୍ଘଦିନ ଧରି ଅଟକି ରହିଥିବା ଉଭୟ ନିର୍ମାଣ କାର୍ଯ୍ୟକୁ ତୁରନ୍ତ ସମ୍ପୂର୍ଣ୍ଣ କରିବା ସହ ଲୋକଙ୍କ ବ୍ୟବହାର ଉପଯୋଗୀ କରିବାକୁ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ହେଉଛି।

