ପାଟନାରେ ଏକଜୁଟ୍ ହେବେ ୧୮ ବିରୋଧୀ ଦଳ, ଜାଣନ୍ତୁ ଯୋଗ ଦେବାକୁ କେଉଁ କେଉଁ ଦଳ ଦେଲେ ସହମତି


ନୂଆଦିଲ୍ଲୀ: ୨୦୨୪ ଲୋକସଭା ନିର୍ବାଚନକୁ ନେଇ ସମରସଜା ଆରମ୍ଭ ହୋଇଗଲାଣି। ବିଜେପିକୁ କ୍ଷମତାଚ୍ୟୁତ୍ କରିବା ପାଇଁ ଅଣ୍ଟା ଭିଡ଼ିଛନ୍ତି ସମସ୍ତ ବିରୋଧୀ। ଏହି ପରିପ୍ରେକ୍ଷୀରେ ପାଟନାରେ ଜୁନ ୨୩ରେ ହେବାକୁ ଥିବା ବିରୋଧୀ ଦଳଗୁଡ଼ିରକ ମହା ବୈଠକରେ ମୋଟ୍ ୧୮ ବିରୋଧୀ ଦଳ ଯୋଗ ଦେବେ। ନ୍ୟାସନାଲ କନଫରେନ୍ସ(ଏନସି)ର ଅଧ୍ୟକ୍ଷ ଫାରୁକ ଅବଦୁଲ୍ଲା ଏବଂ ପିପୁଲ୍ସ ଡେମୋକ୍ରାଟିକ ପାର୍ଟି(ପିଡିପି)ର ଅଧ୍ୟକ୍ଷ ମେହବୁବା ମୁଫତି ଆସନ୍ତା ସପ୍ତାହରେ ପାଟନା ଆସୁଛନ୍ତି।

ସହମତ ହେଲେ ୧୮ ଦଳର ନେତା
ଜନତା ଦଳ ୟୁନାଇଟେଡ(ଜେଡିୟୁ)ର ରାଷ୍ଟ୍ରୀୟ ଅଧ୍ୟକ୍ଷ ରାଜୀବ ରଞ୍ଜନ ସିଂ ଓରଫ ଲଲନ ସିଂ ପାର୍ଟିର ବିହାର ମୁଖ୍ୟାଳୟରେ ଏହି ସୂଚନା ଦେଇଛନ୍ତି। ଲଲନ କହିଛନ୍ତି, ମୋଟ୍ ୧୮ ଦଳର ନେତା ବୈଠକରେ ଯୋଗ ଦେବାକୁ ସହମତି ପ୍ରକାଶ କରିଛନ୍ତି। ଜାମ୍ମୁ-କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ ଅବଦୁଲ୍ଲା ଏବଂ ମେହବୁବା ମୁଫତି ମଧ୍ୟ ବୈଠକରେ ଯୋଗ ଦେବାକୁ ସହମତ ହୋଇଛନ୍ତି। ଏହା ପୂର୍ବରୁ କଂଗ୍ରେସର ରାହୁଲ ଗାନ୍ଧୀ ଏବଂ ମଲ୍ଲିକାର୍ଜୁନ ଖଡ଼ଗେ, ଆପର ଅରବିନ୍ଦ କେଜରିଓ୍ଵାଲ, ଟିଏମସିର ମମତା ବାନାର୍ଜୀ, ଡିଏମକେର ଏମକେ ଷ୍ଟାଲିନ, ଜେଏମଏମର ହେମନ୍ତ ସୋରେନ, ଏନସିପିର ଶରଦ ପାଓ୍ଵାର, ସପାର ଅଖିଳେଶ ଯାଦବ ଏବଂ ଶିବସେନା ଗୋଷ୍ଠୀର ଉଦ୍ଧବ ଠାକରେ ଯୋଗ ଦେବାକୁ ସହମତି ହୋଇଥିଲେ।

ଏହି ବୈଠକରେ ବିଜେପିକୁ କେମିତି ମାତ୍ ଦିଆଯାଇ ପାରିବ ସେ ଉପରେ ରଣନୀତି ପ୍ରସ୍ତୁତ କରିବା ସହ ଦୃଢ ବିରୋଧୀ ମେଣ୍ଟ କେମିତି ଆଗକୁ ଏକଜୁଟ୍ ହୋଇ କାମ କରିବ ତା ଉପରେ ବିସ୍ତୃତ ଆଲୋଚନା ହେବ। ଏଥିସହ ମିଳିତ ବିରୋଧୀ ପ୍ରାର୍ଥୀ ଛିଡ଼ା କରାଇବା ଉପରେ ସଭିଙ୍କର ମତାମତ ନିଆଯିବ। ଯେଉଁ ରାଜ୍ୟରେ ଯେଉଁ ଦଳ ମଜବୁତ ସେଠି ଅନ୍ୟ ବିରୋଧୀ ଦଳ ସହଯୋଗ କରିବେ ଏବଂ ମିଳିତ ସହଯୋଗରେ ପ୍ରାର୍ଥୀ ଦେବା ଉପରେ ମଧ୍ୟ ଆଲୋଚନା ହୋଇପାରେ। ଏବେ କୌଣସି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଉପରେ ଆଲୋଚନା କରାଯିବନି ବୋଲି ଲଲନ ସିଂ କହିଛନ୍ତି। ଲୋକସଭା ନିର୍ବାଚନ ପରେ ଏବଂ ପରିଣାମ ଆଶା ମୁତାବକ ରହିଲେ ସମସ୍ତ ବିରୋଧୀ ଦଳ ଏକାଠି ବସି ପ୍ରଧାନମନ୍ତ୍ରୀ ସ୍ଥିର କରିବେ ବୋଲି ଜେଡିୟୁର ଅଧ୍ୟକ୍ଷ କହିଛନ୍ତି।