ବିକଲପୁର ରେ ପାନୀୟ ଜଳ ସଙ୍କଟ; ଦୁଇଟି ପ୍ରକଳ୍ପ ଥାଇ ସୁଦ୍ଧା ହେଉନାହିଁ ଜଳ ଯୋଗାଣ , ଅଭିଯୋଗ ପରେ ବି ହେଉନାହିଁ କାର୍ଯ୍ୟକ୍ଷମ


ବୀରମହାରାଜପୁର :ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କମିରା ପଞ୍ଚାୟତର ବିକଲପୁର ଗ୍ରାମରେ ଦେଖାଦେଇଛି ପାନୀୟ ଜଳ ସଙ୍କଟ। ସଂପ୍ରତି ବୀରମହାରାଜପୁର ରେ ତାପମାତ୍ରା ୪୫ଡିଗ୍ରୀ ଉପରେ ରହୁଥିବା ବେଳେ ସବୁଠି ପାନୀୟ ଜଳ ସମସ୍ୟା ଦେଖା ଦେଇଛି । ଲୋକଙ୍କୁ ପାନୀୟ ଜଳ ଯୋଗାଇବା ପାଇଁ ପ୍ରଶାସନ ତରଫରୁ ବିଭାଗକୁ ନିର୍ଦ୍ଦେଶ ଦେଇଥିବାବେଳେ ଜଳ ଯୋଗାଣ ପ୍ରକଳ୍ପ ଓ ନଳକୂପ ଅଚଳ ହେଲେ ତୁରନ୍ତ ମରାମତି କରାଯିବାକୁ କଡା ନିର୍ଦ୍ଦେଶ ଦିଆଯାଇଛି। ମାତ୍ର ବିକଲପୁର ଗ୍ରାମରେ ପ୍ରକଳ୍ପ ଅଚଳ ହୋଇଥିଲେ ମଧ୍ୟ ମରାମତି କରାଯାଉ ନ ଥିବା ବିଭାଗ ର ଅପାରଗତା ର ପରିଚୟ ଦେଉଛି। ଗ୍ରାମରେ ଦୁଇ ଦୁଇ ଟି ପାନୀୟ ଜଳ ଯୋଗାଣ ପ୍ରକଳ୍ପ ଥିଲେ ମଧ୍ୟ କୌଣସି ଗୋଟିଏ ରୁ ମଧ୍ୟ ବୁନ୍ଦାଏ ପାଣି ବାହାରୁ ନାହିଁ।ଫଳରେ ଲୋକେ ପାଣି ବୁନ୍ଦେ ପାଇଁ ନାହିଁ ନ ଥିବା ଅବସ୍ଥା ଭୋଗୁଛନ୍ତି । ବିକଲପୁର ଗ୍ରାମଟି ଦୁଇଟି ୱାର୍ଡ ବିଶିଷ୍ଟ ଏବଂ ଗ୍ରାମରେ ପ୍ରାୟ ୧୫୦ ପରିବାର ବସବାସ କରନ୍ତି। ଗ୍ରାମରେ ପ୍ରାୟତଃ ସବୁ ଦିନେ ଜଳ ସମସ୍ୟା ଦେଖାଦେଇ ଥାଏ। ଗ୍ରାମରେ ନଳକୂପ ଗୁଡିକ ମଧ୍ୟରୁ କେତେକ ଅଚଳ ହୋଇଥିବା ବେଳେ ଆଉ କେତକ ରୁ ଆବଶ୍ୟକ ଠାରୁ କମ୍ ପାଣି ବାହାରୁଛି। ଆଉ କେତେକ ର ପାଣି ବ୍ୟବହାର ଅନୁପୋଯୋଗୀ ଅଟେ। ଏଣୁ ଗ୍ରାମରେ ପାନୀୟ ଜଳର ସମସ୍ୟା କୁ ଦେଖି ପ୍ରାୟ ଆଠ ବର୍ଷ ପୂର୍ବେ ଏକ ଜଳ ଯୋଗାଣ ପ୍ରକଳ୍ପ କରାଯାଇଥିଲା। ଉକ୍ତ ପ୍ରକଳ୍ପ ପାଇଁ ଓଭର ହେଡ ଟ୍ୟାଙ୍କ ନିର୍ମାଣ କରାଯାଇ ଥିଲା। ବୋରିଂ ଖନନ କରି ପାଇପ ଲାଇନ ବିଛା ହେବା ସହିତ ଷ୍ଟାଣ୍ଡ ପୋଷ୍ଟ ମଧ୍ୟ ଲଗା ହୋଇଥିଲା।ଉକ୍ତ ପ୍ରକଳ୍ପ କୁ ବିଦ୍ୟୁତ ସଂଯୋଗ କରାଯିବା ସହିତ ସୋଲାର ମଧ୍ୟ ଲଗାଯାଇଥିଲା। ମାତ୍ର ଉକ୍ତ ବୋରୱେଲ ରୁ ଆବଶ୍ୟକୀୟ ପାଣି ନ ବାହାରିବାରୁ ତାହା ଜଳ ଯୋଗାଣ ହେବା ପୂର୍ବରୁ ବନ୍ଦ ହୋଇଗଲା । ଏବେ ଉକ୍ତ ପ୍ରକଳ୍ପରେ ଲାଗିଥିବା ଟ୍ରାନ୍ସଫର୍ମର ଟି ପୋଡି ଯାଇଥିବା ବେଳେ ସୋଲାର ପ୍ଲେଟ ଗୁଡିକ ଚୋରି ହୋଇଯାଇଛି। ଫଳରେ ଉକ୍ତ ପ୍ରକଳ୍ପ ଅଚଳ ହେବାରୁ ଆଜିକୁ ପ୍ରାୟ ପାଞ୍ଚ ବର୍ଷ ପୂର୍ବେ ପୁଣି ଗୋଟିଏ ନୂତନ ପ୍ରକଳ୍ପ କରାଯାଇଛି। ଉକ୍ତ ପ୍ରକଳ୍ପ ର ଓଭର ହେଡ ଟାଙ୍କି ନିର୍ମାଣ ସରିଛି। ଉକ୍ତ ପ୍ରକଳ୍ପର ବୋରୱେଲ କରାଯିବା ସହିତ ବିଦ୍ୟୁତ ପାଇଁ ଟ୍ରାନ୍ସଫର୍ମର ମଧ୍ୟ ଲଗାଯାଇଛି । ମାତ୍ର ବିଦ୍ୟୁତ ସଂଯୋଗ କରାଯାଉ ନ ଥିବାରୁ ପାନୀୟ ଜଳ ଯୋଗାଣ କରାଯାଉ ନାହିଁ। ଗ୍ରାମର ଲୋକେ ସ୍ନାନ ସୌଚ ଠାରୁ ଆରମ୍ଭ କରି ପାନୀୟ ଜଳ ପାଇଁ ଲୋକେ ଏବେ ହନ୍ତସନ୍ତ ହେଉଛନ୍ତି । ଗ୍ରାମରେ ପାନୀୟ ଜଳ ଯୋଗାଣ ପାଇଁ ଉକ୍ତ ପ୍ରକଳ୍ପ କୁ କାର୍ଯ୍ୟକ୍ଷମ କରିବା ପାଇଁ ସ୍ଥାନୀୟ ଜନ ପ୍ରତିନିଧି ଙ୍କ ଠାରୁ ଆରମ୍ଭ କରି ବିଭାଗୀୟ ଅଧିକାରୀ ଙ୍କୁ ବାରମ୍ବାର ଅଭିଯୋଗ କଲେ ମଧ୍ୟ କେହି ଶୁଣୁ ନ ଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି। ଗ୍ରାମରେ ଦୁଇ ଦୁଇ ଟି ପ୍ରକଳ୍ପ ଥିଲେ ମଧ୍ୟ ସାମାନ୍ୟ ବିଦ୍ୟୁତ ସଂଯୋଗ କରାଯାଉ ନ ଥିବାରୁ ଗ୍ରାମବାସୀ ପାଣି ପାଇପାରୁ ନାହାନ୍ତି। ଏନେଇ କମିରା ସରପଞ୍ଚ ଅନୁସୟା ପ୍ରଧାନ ଙ୍କୁ ପଚାରିବାରୁ ଗ୍ରାମର ପାନୀୟ ଜଳ ସମସ୍ୟା କୁ ବିଭାଗର ଦୃଷ୍ଟି ଆକର୍ଷଣ କରି ଖୁବଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ କରି ପାନୀୟ ଜଳ ଯୋଗାଣ କରାଯିବ ବୋଲି ପ୍ରକାଶ କରିଛନ୍ତି।