ମହାପ୍ରଭୁଙ୍କୁ ସୁସ୍ଥ କରିବା ପାଇଁ ଆଜି ଲାଗି ହେବ ଦଶମୂଳ ମହୌଷଧୀ


ପୁରୀ: ସ୍ନାନ ଯାତ୍ରାରେ ୧୦୮ ସୁବାସିତ ଜଳରେ ସ୍ନାନ କରି ଜ୍ବରରେ ପଡିଥିଲେ ମହାପ୍ରଭୁ। ଅଣସର ଘରେ ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ଦଇତାପତି ସେବାୟତ ପ୍ରାଣପଣେ ଉଦ୍ୟମ ଚଳାଇଛନ୍ତି। ତିନିଠାକୁରଙ୍କ ଚାଲିଛି ଗୁପ୍ତ ସେବା। ଧୀରେ ଧୀରେ ସୁସ୍ଥ ହେଉଛନ୍ତି ମହାପ୍ରଭୁ । ରାଜବୈଦ୍ୟଙ୍କ ପରାମର୍ଶରେ ଚାଲିଛି ଶ୍ରୀଜିଉଙ୍କ ଉପଚାର ।

ମହାପ୍ରଭୁଙ୍କୁ ସୁସ୍ଥ କରିବା ଲାଗି ଫୁଲୁରୀ ତେଲ ଏବଂ ବିଭିନ୍ନ ପ୍ରକାର ଔଷଧୀୟ ସାମଗ୍ରୀ ଦିଆଯାଉଛି। ମହାପ୍ରଭୁଙ୍କ ଜ୍ୱର ଲାଘବ କରିବା ପାଇଁ ରାଜବୈଦ୍ୟଙ୍କ ପରାମର୍ଶରେ ଆଜି ଶ୍ରୀମନ୍ଦିରକୁ ଦଶମୂଳ ମହୌଷଧୀ ଆସିବ । ପରମ୍ପରା ଅନୁସାରେ ଏହି ଔଷଧ ଶ୍ରୀମନ୍ଦିର ରାଜବୈଦ୍ୟଙ୍କ ଘରୁ ଆସିଥାଏ। ରୋଗର ଉପଚାର ପାଇଁ ବୈଦ୍ୟଙ୍କ ପରାମର୍ଶରେ ଆଜି ମଧ୍ୟରାତିରେ ଦଶମୂଳ ମହୌଷଧୀ ଲାଗି କରାଯିବ ।