ବେକରେ ରସି ଲଗାଇ ଗଛଡ଼ାଳରେ ଝୁଲି ପଡିଲେ ଯୁବକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତଥା ବୀରମହାରାଜପୁର ଥାନା ଅନ୍ତର୍ଗତ ପଧାନପାଲି ଗ୍ରାମର ଏକ ଗଛରୁ ଜଣେ ଯୁବକଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର ହୋଇଥିବା ବେଳେ ମୃତକ ଉକ୍ତ ଗ୍ରାମର ସୁବର୍ଣ୍ଣ ପଧାନ ବୋଲି ଜଣାପଡିଛି । ସୁବର୍ଣ୍ଣ ସୋମବାର ବିଳମ୍ବିତ ରାତ୍ରୀରେ ବେକରେ ରଶି ଲଗାଇ ଉକ୍ତ ଗଛରେ ଆତ୍ମହତ୍ୟା କରିଥିବା ଜଣାପଡିଛି । ସେପଟେ ଘଟଣାସ୍ଥଳରେ ସୁବର୍ଣ୍ଣଙ୍କ ପ୍ୟାଂଟ ପକେଟରୁ ହାତରେ ଲେଖାଯାଇଥିବା ଏକ ସୁଇସାଇଡ ନୋଟ ପୁଲିସ ଜବତ କରିଛି । ନିଜ ସ୍ତ୍ରୀ’ ପାଇଁ ଆତ୍ମହତ୍ୟା କରିଥିବା ସୁବର୍ଣ୍ଣ ଉକ୍ତ ଚିଠିରେ ଉଲ୍ଲେଖ କରିଥିବା ବେଳେ କୌଣସି ନିର୍ଦ୍ଦିଷ୍ଟ ଘଟଣା ଉଲ୍ଲେଖ କରିନାହାନ୍ତି । ଏଥିସହ ଉକ୍ତ ସୁଇସାଇଟ ନୋଟରେ ନିଜ ଏଟିଏମର ପିନକୋର୍ଡ ମଧ୍ୟ ଲେଖାଥିବା ଜଣାପଡିଛି । ପରିବାର ଲୋକଙ୍କ ସୂଚନା ଅନୁଯାୟୀ ଏକ ବାହାଘରରେ ଯୋଗଦେବା ପାଇଁ ସୁବର୍ଣ୍ଣ ତାଙ୍କ ସ୍ତ୍ରୀ ସହ ଶାଶୁ ଘର ଲୁଚାବନ୍ଧକୁ ଯାଇଥିଲେ । ମାତ୍ର ସେଠୀ କୌଣସି ଘଟଣାକୁ ନେଇ ସୁବର୍ଣ୍ଣ ଏବଂ ତାଙ୍କ ସ୍ତ୍ରୀ ମଧ୍ୟରେ କଥା କଟାକଟି ହୋଇଥିଲା । ଫଳରେ ସୁବର୍ଣ୍ଣ ସୋମବାର ସନ୍ଧ୍ୟାରେ ନିଜ ଘରକୁ ଫେରି ଆସିଥିଲେ । ତାଙ୍କ ମାନସିକ ଅବସ୍ଥା ଠିକ ନଥିବା ଗାଁର କିଛି ସାଙ୍ଗସାଥିଙ୍କୁ କହିବା ସହ ଆସନ୍ତାକାଲି ମୁଁ ଆଉ ଦୁନିଆରେ ନଥିବି ବୋଲି ପ୍ରକାଶ କରିଥିଲେ । ପରେ ବିଳମ୍ବିତ ରାତି ବେକରେ ରଶି ଲଗାଇ ଆତ୍ମହତ୍ୟା କରିଥିବା ଜଣାପଡିଛି । ବିଳମ୍ବିତ ରାତି ପର୍ଯ୍ୟନ୍ତ ଘରକୁ ନଆସିବାରୁ ପରିବାର ଲୋକ ଖୋଜାଖୋଜି କରିବାରୁ ଝୁଲନ୍ତା ଅବସ୍ଥାରେ ତାଙ୍କ ମୃତ ଦେହ ଦେଖିବାକୁ ପାଇଥିଲେ । ଏନେଇ ବୀରମହାରାଜପୁର ଥାନା ପୁଲିସ ସୂଚନା ପାଇ ଶବ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇ ଦେଇଥିଲା. l ଏନେଇ ଏକ ମାମଲା ରୁଜୁ କରିବା ସହ ପୁଲିସ ଅଧିକ ତଦନ୍ତ କରୁଥିବା ଜଣାପଡିଛି ।