ରାଜ୍ୟସଭାକୁ ୩ୟ ଥର ସୁଯୋଗ ଦିଏନି ବିଜେପି ! ଏବେ କ’ଣ କରିବେ ଧର୍ମେନ୍ଦ୍ର ପ୍ରଧାନ, ନିର୍ମଳା ସୀତାରମଣଙ୍କ ସମେତ ଏହି ସବୁ ସାଂସଦ


ନୂଆଦିଲ୍ଲୀ: ଦେଶରେ ସାଧାରଣ ନିର୍ବାଚନକୁ ଆଉ ଏକ ବର୍ଷରୁ କମ ସମୟ ବାକି ରହିଛି। ଶାସକଠୁ ନେଇ ସମସ୍ତ ବିରୋଧୀ ଦଳ ନିଜର ରଣନୀତି ପ୍ରସ୍ତୁତିରେ ଜୁଟି ଯାଇଛନ୍ତି। ବିଜେପି ପୁନର୍ବାର କ୍ଷମତାସୀନ ହେବାକୁ ଅଣ୍ଟା ଭିଡ଼ିଥିବା ବେଳେ ବିରୋଧୀଦଳ ଏକଜୁଟ୍ ହୋଇ ଦୃଢ ମେଣ୍ଟ ଗଠନ କରିବାକୁ ପ୍ରୟାସ ଚଳାଇଛନ୍ତି। ଏହା ମଧ୍ୟରେ ବିଜେପିର କେନ୍ଦ୍ରୀୟ ନେତୃତ୍ଵ ସ୍ପଷ୍ଟ ସନ୍ଦେଶ ଦେଇ ସାରିଛନ୍ତି ଯେ, ଦୁଇ କିମ୍ବା ସେଥିରୁ ଅଧିକ ଥର ରାଜ୍ୟସଭା ସାଂସଦ ରହିଥିବା ମନ୍ତ୍ରୀମାନେ ଏବଂ ସାଂସଦମାନଙ୍କୁ ପାର୍ଟି ପୁନର୍ବାର ରାଜ୍ୟସଭାକୁ ପଠାଇବ ନାହିଁ। ଏଥିପାଇଁ ଏବେ ଏହି ସବୁ ମନ୍ତ୍ରୀମାନଙ୍କୁ ନିଜ ରାଜ୍ୟରେ ଲୋକସଭା ନିର୍ବାଚନ ଲଢି ଜିତିବାକୁ ପଡ଼ିବ।

ଏହି ପରିପ୍ରେକ୍ଷୀରେ ଅନେକ ବରିଷ୍ଠ ନେତା ନିଜ ପାଇଁ ସୁରକ୍ଷିତ ଆସନ ଖୋଜି ଏହା ଉପରେ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ସାଧାରଣତଃ ବିଧାସନଭାଠୁ ନେଇ ଲୋକସଭା ଏବଂ ରାଜ୍ୟସଭାର ପ୍ରାର୍ଥୀଙ୍କ ନାମ ଉପରେ ବିଜେପି କେନ୍ଦ୍ରୀୟ ନିର୍ବାଚନ କମିଟି ପ୍ରାର୍ଥୀଙ୍କ ନାମରେ ମୋହର ମାରିଥାନ୍ତି। କିନ୍ତୁ ଏଥର ହାଇକମାଣ଼୍ଡଙ୍କ ସହ ଆଲୋଚନା ପରେ ମନ୍ତ୍ରୀମାନେ ଲୋକସଭା ସିଟରେ ପ୍ରସ୍ତୁତିରେ ଜୁଟି ଗଲେଣି। ଯଦ୍ଵାରା ନିର୍ବାଚନ ପୂର୍ବରୁ ହେଉଥିବା ଆଭ୍ୟନ୍ତରୀଣ ସର୍ଭେରେ ଜିତୁଥିବା ପ୍ରାର୍ଥୀଙ୍କ ତାଲିକାରେ ସେମାନଙ୍କର ନାଁ ଆସି ପାରିବ।

ଉଲ୍ଲେଖନୀୟ, ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, ମନସୁଖ ମାଣ୍ଡଭିୟ, ପରଷୋତ୍ତମ ରୂପାଲା, ପୀୟୂଷ ଗୋଏଲ ଏବଂ ନିର୍ମଳା ସୀତାରମଣ ଦୁଇ କିମ୍ବା ସେଥିରୁ ଅଧିକ ଥର ରାଜ୍ୟସଭା ସଦସ୍ୟ ରହି ସାରିଛନ୍ତି। ଏହା ସହିତ ହରଦୀପ ସିଂ ପୁରୀ ଏବଂ ଜ୍ୟୋତିରାଦିତ୍ୟ ସିନ୍ଧିଆ ମଧ୍ୟ ୨୦୨୪ରେ ଲୋକସଭା ନିର୍ବାଚନରେ ନିଜର ଭାଗ୍ୟ ପରୀକ୍ଷା ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇ ପାରନ୍ତି।

ଏହା ପୂର୍ବରୁ ମଧ୍ୟ ମୁଖତାର ଅବାସ ନକଭିଙ୍କୁ ପାର୍ଟି ମନ୍ତ୍ରୀ ହେବା ପରେ ମଧ୍ୟ ରାଜ୍ୟସଭାକୁ ପଠାଇ ନଥିଲା। କାରଣ ସେ ୨ ଥର ରାଜ୍ୟସଭାର ସଦସ୍ୟ ରହି ସାରିଥିଲେ। କୌଣସି ଗୃହର ସଦସ୍ୟ ନ ହୋଇଥିବା କାରଣରୁ ନକଭିଙ୍କୁ କେନ୍ଦ୍ର ମନ୍ତ୍ରିମଣ୍ଡଳରୁ ଇସ୍ତଫା ଦେବାକୁ ପଡ଼ିଥିଲା।

ଓଡ଼ିଶାରୁ ଲୋକସଭା ନିର୍ବାଚନ ଲଢିବେ ଧର୍ମେନ୍ଦ୍ର
ବିଜେପି ଧର୍ମେନ୍ଦ୍ର ପ୍ରଧାନଙ୍କୁ ୨୦୧୨ ଏବଂ ୨୦୧୮ରେ ଦ୍ଵିତୀୟ ଥର ରାଜ୍ୟସଭାକୁ ପଠାଇଥିଲା। ତାଙ୍କର କାର‌୍ୟ୍ୟକାଳ ୨୦୨୪ ଏପ୍ରିଲରେ ସରୁଛି। ତେଣୁ ପାର୍ଟି ଧର୍ମେନ୍ଦ୍ର ପ୍ରଧାନଙ୍କୁ ପୁନର୍ବାର ରାଜ୍ୟସଭା ପଠାଇବ ନାହିଁ ଏବଂ ଦଳୀୟ ନେତୃତ୍ଵ ଏହାର ସ୍ପଷ୍ଟ ସଙ୍କେତ ମଧ୍ୟ ଦେଇ ସାରିଛନ୍ତି। ତେଣୁ ଧର୍ମେନ୍ଦ୍ର ପ୍ରଧାନ ଢେଙ୍କାନାଳ କିମ୍ବା ସମ୍ବଲପୁରରୁ ଲୋକସଭା ନିର୍ବାଚନ ଲଢିବା ପାଇଁ ପ୍ରସ୍ତୁତି ଆରମ୍ଭ କରି ଦେଲେଣି। ଧର୍ମେନ୍ଦ୍ର ମଧ୍ୟ ନିଜ ଆଡ଼ୁ ନିର୍ବାଚନ ଲଢିବାର ଇଚ୍ଛା ପ୍ରକାଶ କରି ସାରିଛନ୍ତି। ତେଣୁ ସେ ଢେଙ୍କାନାଳ ଏବଂ ସମ୍ବଲପୁର ଲୋକସଭା ଆସନ ଘନ ଘନ ଗସ୍ତ କରି ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦାନ ଦେବା ସହ ଅନେକ ଉନ୍ନୟନ ମୂଳକ କାର‌୍ୟ୍ୟକ୍ରମ ଉଦଘାଟନ ଏବଂ ଶିଳାନ୍ୟାସ୍ କରୁଛନ୍ତି। ଏହି ଅଞ୍ଚଳରେ ନିଜର ଜନାଧାର ବଢାଇବା ପାଇଁ ଉଦ୍ୟମ ଜାରି ରଖିଛନ୍ତି।

ଏହି ନେତାମାନେ କଣ କରିବେ
ମୋଦୀ ସରକାରଙ୍କ ଅନ୍ୟ ଏକ ଟାଣୁଆ ନେତା ଭୂପେନ୍ଦ୍ର ଯାଦବଙ୍କୁ ବିଜେପି ଦୁଇ ଥର ରାଜ୍ୟସଭାକୁ ପଠାଇ ସାରିଛି। ୨୦୧୮ ଏପ୍ରିଲରେ ଭୂପେନ୍ଦ୍ର ଦ୍ଵିତୀୟ ଥର ରାଜ୍ୟସଭାକୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ତାଙ୍କର କାର୍ଯ୍ୟକାଳ ୨୦୨୪ ମାର୍ଚ୍ଚରେ ସରୁଛି। ସୂତ୍ର ଅନୁଯାୟୀ, ସେ ରାଜସ୍ଥାନର ଆଜମେର କିମ୍ବା ହରିୟାଣାର ଭିବାନୀ-ମହେନ୍ଦ୍ରଗଡ଼ ଆସନରୁ ଲୋକସଭା ନିର୍ବାଚନ ଲଢିବାକୁ ଇଚ୍ଛା ପ୍ରକାଶ କରିଛନ୍ତି।

କେନ୍ଦ୍ର ମନ୍ତ୍ରୀ ପୁରୁଷୋତ୍ତମ ରୂପାଲାଙ୍କ ରାଜ୍ୟସଭାରେ ତୃତୀୟ କାର୍ଯ୍ୟକାଳ ଚାଲିଛି। ୨୦୨୪ ମାର୍ଚ୍ଚରେ ତାଙ୍କର କାର୍ଯ୍ୟକାଳ ସରିବାକୁ ଯାଉଛି। ତେଣୁ ଗୁଜରାଟର ଏହି ବରିଷ୍ଠ ନେତା ଯଦି ଲୋକସଭା ଜରିଆରେ ସଂସଦକୁ ନିର୍ବାଚିତ ହେବାକୁ ଚାହାନ୍ତି ତେବେ ନିଜର ଗୃହ ରାଜ୍ୟ ଗୁଜରାଟର ଅମରେଲି କିମ୍ବା ରାଜକୋଟ ସିଟରୁ ନିର୍ବାଚନ ଲଢିବାର ସମ୍ଭାବନା ଖୋଜି ପାରିବେ।

ଏହା ବ୍ୟତୀତ କେନ୍ଦ୍ର ସ୍ଵାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭିୟ ମଧ୍ୟ ନିଜ ପାଇଁ ସୁରକ୍ଷିତ ଏବଂ ମଜବୁତ ଲୋକସଭା ସିଟ୍ ସନ୍ଧାନ କରି ପାରନ୍ତି। ମାଣ୍ଡଭିୟଙ୍କ ମଧ୍ୟ ରାଜ୍ୟସଭାରେ ଦ୍ଵିତୀୟ କାର୍ଯ୍ୟକାଳ ୨୦୨୪ ମାର୍ଚ୍ଚରେ ସରୁଛି। ସୂତ୍ର ଅନୁଯାୟୀ ସ୍ଵାସ୍ଥ୍ୟ ମନ୍ତ୍ରୀ ଗୁଜରାଟର ଭାବନଗରରୁ ଲୋକସଭା ନିର୍ବାଚନ ଲଢି ପାରନ୍ତି। କିନ୍ତୁ ଗୁଜରାଟର ରାଜନୈତିକ ସମୀକରଣକୁ ଦେଖିଲେ ପୋରବନ୍ଦର ଲୋକସଭା ଆସନ ତାଙ୍କ ପାଇଁ ନିରାପଦ ରହିପାରେ।

ନିର୍ମଳ ଲଢି ପାରନ୍ତି ନିର୍ବାଚନ
ଏଥିସହ କେନ୍ଦ୍ର ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣଙ୍କୁ ମଧ୍ୟ ନିଜ ପାଇଁ ନିରାପଦ ଆସନ ଖୋଜିବାକୁ ପଡ଼ିବ। ସେ ପ୍ରଥମ ଥର ୨୦୧, ଦ୍ଵିତୀୟ ଥର ୨୦୧୬ରେ ଏବଂ ତୃତୀୟ ଥର ୨୦୨୨ରେ ରାଜ୍ୟସଭାକୁ ନିର୍ବାଚିତ ହୋଇଛନ୍ତି। ହେଲେ ୨୦୧୪ର ପ୍ରଥମ କାର୍ଯ୍ୟକାଳ ୨ ବର୍ଷ ଥିଲା। ଏମିତିରେ ନିର୍ମଳାଙ୍କ ରାଜ୍ୟସଭା କାର୍ଯ୍ୟକାଳ ୨୦୨୮ ଜୁନରେ ସରୁଛି। କିନ୍ତୁ ପାର୍ଟି ହାଇକମାଣ୍ଡଙ୍କ ସଙ୍କେତ ଏବଂ ତାମିଲନାଡୁରେ ପାର୍ଟିର ବିସ୍ତାରକୁ ଦୃଷ୍ଟିରେ ରଖି ସୀତାରମଣ ନିଜ ଗୃହ ରାଜ୍ୟରେ ନିଜ ପାଇଁ ଏକ ନିରାପଦ ସିଟ୍ ସନ୍ଧାନ କରି ପାରନ୍ତି। ସଂପ୍ରତି ନିଜ ରାଜ୍ୟରେ ତାଙ୍କର ସକ୍ରିୟତା ଦେଖିବାକୁ ମିଳୁଛି।