Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ବେଲଗୁଣ୍ଠା ପୋଲିସିର ସଫଳତା, ଏଟିଏମରୁ ହଡପ ହୋଇଥିବା ଟଙ୍କା ଫେରିପାଇଲେ ଅବସର ପ୍ରାପ୍ତ ଶିକ୍ଷକ,

ବେଲଗୁଣ୍ଠା, 17/06, କୁହାଯାଏ ପୋଲିସ୍ ହେଉଛି ଜନତାଙ୍କ ବନ୍ଧୁ I ଏହାକୁ ପ୍ରମାଣିତ କରିଛନ୍ତି ବେଲଗୁଣ୍ଠା ପୋଲିସ୍ I ମାତ୍ର ଅଳ୍ପ ଦିନର ବ୍ୟବଧାନ ମଧ୍ୟରେ ଏଟିଏମ୍ ଲୁଟ୍ ଟଙ୍କାକୁ ଜବତ କରି ଲୁଟ୍ ଯାଇଥିବା ଲୋକର ହୃଦୟ ଜିତି ପାରିଛି ବେଲଗୁଣ୍ଠା ପୋଲିସ୍ I
ବେଲଗୁଣ୍ଠା ନିଗମା ନଗର ଅବସରପ୍ରାପ୍ତ ଶିକ୍ଷକ ପ୍ରମୋଦ ଚନ୍ଦ୍ର ବେହେରା ମଇ 23 ତାରିଖ ସକାଳ ଦଶ ଘଣ୍ଟ ସମୟରେ ବେଲଗୁଣ୍ଠା ବଡଦାଣ୍ଡରେ ଥିବା ଏଟିଏମ୍ କୁ ପରିବାରର ଖର୍ଚ୍ଚ ନିମନ୍ତେ କିଛି ଟଙ୍କା ଉଠାଇବା ପାଇଁ ଯାଇଥିଲେ I କିନ୍ତୁ ଦୂର୍ବଳ ଦୃଷ୍ଟି ଶକ୍ତି ଯୋଗୁଁ କୌଣସି କାରଣ ବଶତଃ ସେ ଟଙ୍କା ଉଠାଇ ପାରୁନଥିଲେ I ପ୍ରମୋଦଙ୍କ ପଛପଟେ ଜଣେ ଅଚିହ୍ନା ବ୍ୟକ୍ତି ପ୍ରମୋଦଙ୍କ ଉପରେ ନଜର ରଖିବା ସହିତ ତାଙ୍କ ଏଟିଏମ୍ କାର୍ଡ୍ ରେ କିଛି ସମସ୍ୟା ରହିଥିବା କଥା କହିବା ସହିତ ଟଙ୍କା ଉଠାଇଦେବା ପାଇଁ କାର୍ଡ୍ ଟି ମାଗିଥିଲେ I ପ୍ରମୋଦ ଅଜଣା ବ୍ୟକ୍ତିଙ୍କୁ କାର୍ଡ୍ ଟି ଦେବା ପରେ ଅଜଣା ବ୍ୟକ୍ତି ଟି ଟଙ୍କା ନ ଉଠିବାର ବାହାନା କରିବା ସହିତ ପ୍ରମୋଦଙ୍କ ଅଲକ୍ଷ୍ଯରେ କାର୍ଡ଼ଟିକୁ ବଦଳାଇ ଦେଇଥିଲା I ଏକଥା ପ୍ରମୋଦ ଜାଣି ନପାରି ଘରକୁ ଫେରି ଆସିଥିଲେ I ପ୍ରମୋଦ ଘରକୁ ଫେରିବା ପରେ 11 ଘଣ୍ଟା 50 ମିନିଟ୍ ସମୟରେ ପ୍ରମୋଦଙ୍କ ଖାତାରୁ ଟଙ୍କା ଉଠାଣ କରାଯାଇଥିବା ନେଇ ମେସେଜ୍ ଆସିଥିଲା I ବାଲିପଦର ଏଟିଏମ୍ ରୁ ଆଠ ହଜାର ଲେଖାଏଁ ପାଞ୍ଚ ଥର ଟଙ୍କା ଉଠା ଯାଇଥିବା ବେଳେ ହିଞ୍ଜିଳିର ଏକ ଜନ ସେବା କେନ୍ଦ୍ରରେ ଟଙ୍କା ଟ୍ରାନ୍ସଫର୍ କରାଯାଇଥିବା ନେଇ ମେସେଜ୍ ଆସିଥିଲା I ପ୍ରମୋଦଙ୍କ ଖାତାରୁ ସାତୋଟି କିସ୍ତିରେ 61,500 ଟଙ୍କା ହଡ଼ପ କରାଯାଇଥିଲା I ପ୍ରମୋଦ ସଙ୍ଗେ ସଙ୍ଗେ ଏହି ସମସ୍ୟା ବିଷୟରେ ଭଞ୍ଜନଗର ଷ୍ଟେଟ୍ ବ୍ୟାଙ୍କ୍ ଶାଖା ପରିଚାଳକଙ୍କୁ ଜଣାଇବା ପରେ ସେ ଘଟଣା ସମ୍ପର୍କରେ ବେଲଗୁଣ୍ଠା ଥାନାରେ ଅଭିଯୋଗ କରିବା ପାଇଁ ପରାମର୍ଶ ଦେଇଥିଲେ I ଶାଖା ପରିଚାଳକଙ୍କ ପରାମର୍ଶ କ୍ରମେ ପ୍ରମୋଦ ବେଲଗୁଣ୍ଠା ଥାନାରେ ଏତାଲା ଦେବାପରେ ସେଠାରେ 231/23 ରେ ଏକ ମାମଲା ରୁଜୁ କରାଯିବା ସହ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ ସାହୁ ଘଟଣାକୁ ଗୁରୁତ୍ଵର ସହିତ ନେଇ ନିଜେ ଘଟଣାର ତଦନ୍ତ ଭାର ନେଇଥିଲେ I ସେ ସ୍ଥାନୀୟ ସିସିଟିଭି ଫୁଟେଜ୍ ଯାଞ୍ଚ୍ କରି ଲୁଟେରା ଜଣଙ୍କ ବାହାର ଅଞ୍ଚଳର ହୋଇଥିବା ଜାଣିବାକୁ ପାଇଥିଲେ I ଏନେଇ ସେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଥାନା ମାନଙ୍କୁ ଘଟଣା ସମ୍ପର୍କରେ ଅବଗତ କରାଇବା ସହିତ ଲୁଟେରା ମାନଙ୍କ ଉପରେ କଡ଼ା ନଜର ରଖିଥିଲେ I ରମ୍ଭା ଥାନା ଇଲାକାରେ ଏହିପରି ଟଙ୍କା ହଡ଼ପ ହୋଇଥିବା ସୂଚନା ମିଳିବା ପରେ ବେଲଗୁଣ୍ଠା ଥାନା ଅଧିକାରୀ ଶ୍ରୀ ସାହୁ ରମ୍ଭା ଥାନା ଅଧିକାରୀ ପି ସ୍ଵରୁପ କିସାନ୍ ଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ତାଙ୍କ ସହଯୋଗରେ ବିଭିନ୍ନ ସ୍ଥାନରେ ଚଢାଉ କରି ଚମାଖଣ୍ଡି ଥାନା ଅନ୍ତର୍ଗତ ସୀତାରାମ ପୁରର ଟି ହରିହର ରେଡ଼ୀ (55) ଏବଂ ଲକ୍ଷ୍ମୀପୁରର ଟି ରଘୁନାଥ ରେଡ଼ୀଙ୍କ ସମ୍ପର୍କରେ ତଦନ୍ତ କଲାପରେ ସେମାନେ ପ୍ରମୋଦଙ୍କ ଟଙ୍କାକୁ ଉଠାଇ ଆଣି ନିଜ ନିଜ ଭିତରେ ବାଣ୍ଟି ଦେଇଥିବା ଜାଣିବାକୁ ପାଇଥିଲେ I ଏହାପରେ ଉଭୟଙ୍କୁ କାବୂ କରାଯାଇ ଉଭୟଙ୍କ ଘରେ ଥିବା ଟଙ୍କାକୁ ବେଲଗୁଣ୍ଠା ପୋଲିସ୍ ଜବତ କରିବା ପରେ ସେହି ଟଙ୍କାକୁ ଗଣମାଧ୍ୟମ ପ୍ରତିନିଧିଙ୍କ ସମ୍ମୁଖରେ ପ୍ରମୋଦଙ୍କୁ ହସ୍ତାନ୍ତର କରିଥିଲେ I ଏନେଇ ପ୍ରମୋଦଙ୍କ ପ୍ରତିକ୍ରିୟା ନିଆଯିବା ପରେ ସେ ଟଙ୍କା ଫେରି ପାଇବାର ଆଶା କରିଦେଇଥିବା ବେଳେ ଗଞ୍ଜାମ ଏସ୍.ପି ଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ବେଲଗୁଣ୍ଠା ଥାନା ଅଧିକାରୀ ଏବଂ ରମ୍ଭା ଥାନା ଅଧିକାରୀଙ୍କ ଅକ୍ଲାନ୍ତ ପରିଶ୍ରମ ବଳରେ ସେ ନିଜ ଟଙ୍କା ଫେରି ପଇଥିବାରୁ ପ୍ରମୋଦ ସେମାନଙ୍କୁ ଧନ୍ୟବାଦ ଦେବା ସହିତ ଖୁସି ବ୍ୟକ୍ତ କରିଥିଲେ I ଏହା ସହିତ ଏଟିଏମ୍ ବ୍ୟବହାର ବେଳେ ସାବଧାନତା ଅବଲମ୍ବନ କରିବା ପାଇଁ ଜନ ସାଧାରଣଙ୍କୁ ଅନୁରୋଧ କରିଥିଲେ I ବିଶେଷ କରି ଏଟିଏମ୍ ବ୍ୟବହାର ବେଳେ ନିଜ ସମ୍ପର୍କୀୟଙ୍କ ସାହାଯ୍ୟ ନେବା, ଗହଳି ସମୟରେ ଏଟିଏମ୍ କୁ ନଯିବା,ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରତା ରକ୍ଷା ଏବଂ କୌଣସି ସମସ୍ୟା ହେଲେ ତୁରନ୍ତ ପୋଲିସ୍ କୁ ଜଣାଇବା ପାଇଁ ଅନୁରୋଧ କରିଥିଲେ I ଏହି ଏଟିଏମ୍ ଲୁଟେରା ଦୁଇ ଜଣଙ୍କ ନାମରେ ପୂର୍ବରୁ ବିଭିନ୍ନ ଥାନାରେ ଏଟିଏମ୍ ଲୁଟ୍ ମାମଲା ରହିଛି I ସେମାନେ ବୟସ୍କ ଲୋକ, ମହିଳା ଏବଂ ଶିଶୁ ମାନଙ୍କୁ ଟାର୍ଗେଟ୍ କରୁଥିଲେ I ଏମାନଙ୍କ ନାମରେ ପୁରୀ ଜିଲ୍ଳା କୃଷ୍ଣଚନ୍ଦ୍ର ପୁର ଥାନାରେ ଗୋଟିଏ ମାମଲା, ରମ୍ଭା ଥାନାରେ ଦୁଇଟି ମାମଲା ଏବଂ ବେଲଗୁଣ୍ଠା ଥାନାରେ ଗୋଟିଏ ମାମଲା ରହିଛି I ରମ୍ଭା ଥାନା ଅନ୍ତର୍ଗତ ପାଲୂର୍ ଜଙ୍କସନ ଏବଂ ରମ୍ଭା ବଜାରରେ ଦୁଇ ଜାଗାରୁ ଲୁଟ କରିଥିଲେ । ଆଜି ସେମାନଙ୍କୁ ଖଲ୍ଲିକୋର୍ଟ କୋର୍ଟ କୁ ଚାଲାଣ କରିଛି । ପ୍ରମୋଦଙ୍କ ଏଟିଏମ୍ କାର୍ଡ଼ଟି ସେମାନେ କାହାକୁ ବଦଳାଇଛନ୍ତି ଜଣାପଡ଼ିନଥିବା ଯୋଗୁଁ ପୋଲିସ୍ ଘଟଣା ସମ୍ପର୍କରେ ଅଧିକ ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି I ଏନେଇ ଗଞ୍ଜାମ ପୋଲିସ୍ ଉଭୟଙ୍କୁ ରିମାଣ୍ଡରେ ଆଣି ସେମାନଙ୍କ ଠାରୁ ଅଧିକ ତଥ୍ୟ ଆଦାୟ କରିବା ପାଇଁ ଯୋଜନା ପ୍ରସ୍ତୁତ କାରୁଥିବା ଜଣାପଡ଼ିଛି I