ବେଲଗୁଣ୍ଠା ର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହେଲା ମହାପ୍ରଭୁଙ୍କ ଘୋଷଯାତ୍ରା,


ବେଲଗୁଣ୍ଠା, 20/06, ବେଲଗୁଣ୍ଠା ବ୍ଳକ୍ ର ବିଭିନ୍ନ ଗ୍ରାମରେ ମହାପ୍ରଭୁଙ୍କ ଘୋଷଯାତ୍ରା ଆନନ୍ଦ ଉଲ୍ଲାସର ସହ ପାଳିତ ହୋଇଯାଇଛି I ଆଜି ବେଲଗୁଣ୍ଠା ସ୍ଥିତ ପେଣ୍ଠ ସାହି ଏବଂ ବାଲିଡ଼ି ସାହିରେ ରୀତିନୀତି ମୁତାବକ ପୂଜାବିଧି ସମ୍ପନ୍ନ ହେବା ସହିତ ପହଣ୍ଡି ବିଜେ ଏବଂ ଛେରା ପହଁରା ନୀତି ପରେ ରଥ ଟଣା ଯାଇଥିଲା I ବେଲଗୁଣ୍ଠା ପେଣ୍ଠ ସାହିରେ ବୁଲୁ ପାତ୍ର ଛେରା ପହଁରା କରିଥିବା ବେଳେ ଓମ ପ୍ରକାଶ ସାହୁ, ନିଳାଞ୍ଚଳ ମହାପାତ୍ର ,ବାଲିଡ଼ି ସାହିରେ ସନ୍ତୋଷ କୁମାର ପଣ୍ଡା ଛେରା ପହଁରା କରିଥିଲେ I କାର୍ଯ୍ୟକ୍ରମରେ ମନ୍ଦିର ପରିଚାଳନା କମିଟି ସଦସ୍ୟ ଚିଦାନନ୍ଦ ପାତ୍ର, ରାଧାମୋହନ ଦାସ, ବୁଢା ପଣ୍ଡା, ପ୍ରଶାନ୍ତ ସାହୁ ପ୍ରମୁଖ ସହଯୋଗୀ କରିଥିଲେ I ସେହିପରି ବ୍ଳକ୍ ର ଗୋବରା, ଜୟନ୍ତୀଗଡ଼,ପାଇଲିପଡ଼ା ପ୍ରମୁଖ ଗ୍ରାମରେ ଉତ୍ସାହର ସହିତ ମହାପ୍ରଭୁଙ୍କ ରଥଟଣା ନୀତି ସମ୍ପନ୍ନ ହୋଇଛି I ରଥ ଯାତ୍ରା ଅନୁଷ୍ଠିତ ହୋଇଥିବା ସମସ୍ତ ଗ୍ରାମରେ ହଜାର ହଜାର ଲୋକ ଭକ୍ତିର ସହ ରଥ ଟାଣିଥିଲେ I ଗ୍ରାମଗୁଡିକରେ ଜନ ସମୁଦ୍ର ସୃଷ୍ଟି ହୋଇଥିବା ବେଳେ ହରିବୋଲ, ହୁଳହୁଳି ,ଗିନି,ଝାଞ୍ଜ,ମୃଦଙ୍ଗ ଏବଂ ପାରମ୍ପରିକ ବାଦ୍ୟରେ ଗାଆଁ ଦାଣ୍ଡ ଉଛୁଳି ପଡ଼ିଥିଲା I ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁ ଏବଂ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁଙ୍କ ନେତୃତ୍ୱରେ ପୋଲିସ୍ ବାହିନୀ ଆଇନ୍ ଶୃଙ୍ଖଳା ପରିସ୍ଥିତି ଉପରେ ତୀକ୍ଷ୍ଣ ନଜର ରଖିଥିଲେ I