ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଲା ଦର୍ପଦଳନ ଓ ନନ୍ଦିଘୋଷ ରଥ


ପୁରୀ: ଗତକାଲି ଜନ୍ମବେଦୀକୁ ଯିବାର ଅଧା ବାଟରେ ଅଟକିଥିଲା କଳାଠାକୁରଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ନବଦିନ ଯାତ୍ରାର ଆଜି ୨ୟ ଦିନ । ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା । ଗୁଣ୍ଡିଚା ମନ୍ଦିର ଅଭିମୁଖେ ଗଡିଛି ଦର୍ପଦଳନ ଓ ନନ୍ଦିଘୋଷ ରଥ। ବଡଶଙ୍ଖରେ ଦର୍ପଦଳନ ଅଟକି ରହିଥିଲା। ସେହିପରି ଗଳଗଣ୍ଡି ଛକରେ ଅଟକି ଯାଇଥିଲା କଳା ସାଆନ୍ତଙ୍କ ନନ୍ଦିଘୋଷ ରଥ।

ଆଜି ସକାଳୁ ସକାଳୁ  ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଉଛନ୍ତି ଭକ୍ତ । ଘଣ୍ଟ ଓ ଶଙ୍ଖ ଧ୍ବନିରେ ପ୍ରକମ୍ପିତ ହେଉଛି ବଡଦାଣ୍ଡ। ଭକ୍ତି ଭାବରେ ଭିଜୁଛନ୍ତି ଭକ୍ତ। ଗତକାଲିଠାରୁ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଛି ।