ରଥଯାତ୍ରାରେ ବିଭ୍ରାଟ; ରଥ ଉପରେ ଭୋକରେ ରହିଛନ୍ତି ମହାପ୍ରଭୁ 


ପୁରୀ: ଶରଧାବାଲିରେ ଭକ୍ତଙ୍କୁ ‌ଦର୍ଶନ ଦେଉଛନ୍ତି ତିନିଠାକୁର। ତେବେ ଏହା ଭିତରେ ରଥଯାତ୍ରାରେ ଦେଖାଦେଇଛି ବିଭ୍ରାଟ । ରଥ ଉପରେ ଭୋକ ଉପାସରେ ରହିଛନ୍ତି ମହାପ୍ରଭୁ । ଗୋପାଳବଲ୍ଲଭ ନୀତିରେ ବିଳମ୍ବ ପରିଲକ୍ଷିତ ହୋଇଛି । ଅବକାଶ ନୀତି ସରିଥିଲେ ହେଁ ଏ ଯାଏ ଗୋପାଳବଲ୍ଲଭ ନୀତି ହୋଇପାରି ନାହିଁ । ଯେଉଁଥିପାଇଁ ଉପାସରେ ଅଛନ୍ତି ତିନିଠାକୁର।

ଗତକାଲି ଶ୍ରୀମନ୍ଦିରରୁ ଜନ୍ମବେଦୀକୁ ଯିବା ବେଳେ ଅଧା ବାଟରେ ଅଟକିଥିଲା କଳାଠାକୁରଙ୍କ ନନ୍ଦିଘୋଷ ରଥ ଓ ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ରଥ। ଆଜି ସକାଳୁ ପୁଣି ଆରମ୍ଭ ହୋଇଛି ରଥଟଣା । ବଡଶଙ୍ଖରେ ଦର୍ପଦଳନ ଅଟକି ରହିଥିଲା। ସେହିପରି ଗଳଗଣ୍ଡି ଛକରେ ଅଟକି ଯାଇଥିଲା କଳା ସାଆନ୍ତଙ୍କ ନନ୍ଦିଘୋଷ ରଥ।

ଆଜି ସକାଳୁ ସକାଳୁ  ଦେବୀ ସୁଭଦ୍ରା ଓ କାଳିଆ ସାଆନ୍ତଙ୍କ ରଥକୁ ଗୁଣ୍ଡିଚା ମନ୍ଦିର ଅଭିମୁଖେ ଟାଣି ଟାଣି ନେଇଛନ୍ତି ଭକ୍ତ । ଗତକାଲିଠାରୁ ବଡଭାଇ ବଳଭଦ୍ରଙ୍କ ତାଳଧ୍ୱଜ ରଥ ଶରଧାବାଲିରେ ପହଞ୍ଚି ଯାଇଥିଲା । ତିନି ଠାକୁର ଶରଧାବାଲିରେ ପହଞ୍ଚିବା ପରେ ମଙ୍ଗଳ ଆଳତି ଓ ଅବକାଶ ନୀତି ହୋଇଥିଲା । ହେଲେ ତା ପରବର୍ତ୍ତୀ ନୀତି ହେବାରେ ବିଳମ୍ବ ହୋଇଥିବା ଜଣାପଡିଛି।