Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଯେଉଁଠି ବିଜେପି ଦୁର୍ବଳ, ସେଠାରେ କାହିଁକି ଦଙ୍ଗା ହେଉଛି ? ଶରଦ ପାଓ୍ଵାରଙ୍କ ସଙ୍ଗୀନ ଅଭିଯୋଗ

ନୂଆଦିଲ୍ଲୀ: ରାଷ୍ଟ୍ରବାଦୀ କଂଗ୍ରେସ ପାର୍ଟି(ଏନସିପି) ସୁପ୍ରିମୋ ଶରଦ ପାଓ୍ଵାର ବିଜେପି ଉପରେ ଗମ୍ଭୀର ଆରୋପ ଲଗାଇଛନ୍ତି। ସେ କହିଛନ୍ତି ମହାରାଷ୍ଟ୍ରର ଏକନାଥ ସିନ୍ଦେ ସରକାର ସମଗ୍ର ରାଜ୍ୟରେ ୨ ସଂପ୍ରଦାୟ ମଧ୍ୟରେ ଅଶାନ୍ତି ସୃଷ୍ଟି କରୁଛନ୍ତି। ବୁଧବାର ପାର୍ଟିର ସ୍ଥାପନ ଦିବସକୁ ସମ୍ବୋଧିତ କରି ପାଓ୍ଵାର କହିଛନ୍ତି, ଯେଉଁଠି ବିଜେପି ଦୁର୍ବଳ ସେଠାରେ ସାଂପ୍ରଦାୟିକ ଦଙ୍ଗା କରାଯାଉଛି, ଯଦ୍ଵାରା ସେଠାରେ ରାଜନୈତିକ ଫାଇଦା ଉଠାଯାଇ ପାରିବ। ଯଦି ଆଇନ ଶୃଙ୍ଖଳା ବ୍ୟବସ୍ଥା ଖରାପ ତେବେ ଏହାର ମୂଲ୍ୟ ଦେବାକୁ ପଡ଼ିବ।

ପାଓ୍ଵାର କହିଛନ୍ତି, ଗତ କିଛି ମାସରେ ରାଜ୍ୟରେ ୬ଟି ସାଂପ୍ରଦାୟିକ ସଂଘର୍ଷ ଘଟିଛି। ମହାରାଷ୍ଟ୍ରର ଅକୋଲା, ଔରଙ୍ଗାବାଦ ଏବଂ ଅହମ୍ମଦନଗର ସହିତ ବିଭିନ୍ନ ଜିଲ୍ଲାରେ ଅନେକ ସାଂପ୍ରଦାୟିକ ସଂଘର୍ଷ ଘଟିଛି। ଏହା ଦର୍ଶାଉଛି ଯେ, ଯେଉଁଠି ବିଜେପି ଦୁର୍ବଳ ସେଠାରେ ଦଙ୍ଗା ହେଉଛି। ରାଜ୍ୟର ଆଇନ ଶୃଙ୍ଖଳା ବ୍ୟବସ୍ଥା ଏମିତି ଯେ, ଗତ ୫ ମାସରେ ରାଜ୍ୟର ୩,୧୫୨ ମହିଳା ନିଖୋଜ ଅଛନ୍ତି। ଏହି ୫ ମାସରେ କେବଳ ମହାରାଷ୍ଟ୍ରରେ ୩୯୧ କୃଷକ ଆତ୍ମହତ୍ୟା କରିଛନ୍ତି।

ସେ କହିଛନ୍ତି, ପିଏମ ମୋଦୀ ବର୍ତ୍ତମାନ ଆମେରିକା ଗସ୍ତରେ ଅଛନ୍ତି। ମାତ୍ର ଦେଶର ଆଭ୍ୟନ୍ତରୀଣ ସ୍ଥିତି ଉପରେ ଧ୍ୟାନ କେନ୍ଦ୍ରିତ କରିବା ଉଚିତ୍। ପ୍ରଧାନମନ୍ତ୍ରୀ ଯେଉଁଠି କି ଯିବା କଥା ଯାଆନ୍ତୁ କିନ୍ତୁ ପ୍ରଥମେ ତାଙ୍କୁ ଆଭ୍ୟନ୍ତରୀଣ ସ୍ଥିତିର ମୁକାବିଲା କରିବା ଉଚିତ୍। ଏଥିପାଇଁ ହାତରେ ଥିବା ଶକ୍ତିର ଦୁରୁପଯୋଗ କରିବା ଉଚିତ୍ ନୁହେଁ। ବିଜେପି ସରକାରରେ ସଂସ୍ଥା ଏବଂ ସାମ୍ବିଧାନିକ ପଦର ସମ୍ମାନ କରାଯାଉ ନାହିଁ ବୋଲି ଶରଦ ପାଓ୍ଵାର କହିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ