Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମଣିପୁରରେ ଥମୁନି ହିଂସା; ସର୍ବଦଳୀୟ ବୈଠକ ପୂର୍ବରୁ ମନ୍ତ୍ରୀଙ୍କ ଗୋଦାମରେ ନିଆଁ ଲଗାଇଲେ ଦୁର୍ବୃତ୍ତ, ଘର ଜାଳିବାକୁ ବି ଉଦ୍ୟମ

ଇମ୍ଫାଲ: ପାଖାପାଖି ୨ ମାସ ହେବ ଜାତିଆଣ ହିଂସାକୁ ନେଇ ମଣିପୁର ଜଳୁଛି। ହିଂସା ଥମିବାର ନାଁ ମଧ୍ୟ ନେଉ ନାହିଁ। ଏହି କ୍ରମରେ ସର୍ବଦଳୀୟ ବୈଠକ ପୂର୍ବରୁ ଦୁର୍ବୃତ୍ତମାନେ ରାଜ୍ୟ ସରକାରଙ୍କ ଖାଦ୍ୟ ଉପଭୋକ୍ତା ମନ୍ତ୍ରୀ ଏଲ ସୁଶୀନ୍ଦ୍ରଙ୍କ ଇମ୍ଫାଲର ପୂର୍ବ ଜିଲ୍ଲା ଚିନଗାରେଲ ସ୍ଥିତ ଘରୋଇ ଗୋଦାମରେ ନିଆଁ ଲଗାଇ ଦେଇଛନ୍ତି। ଶନିବାର ପୋଲିସ ଏହାର ସୂଚନା ଦେଇଛି। ଏପରିକି ମନ୍ତ୍ରୀଙ୍କ ଏହି ଜିଲ୍ଲାର ଖୁରଇ ଅଞ୍ଚଳରେ ସ୍ଥିତ ବାସଭବନ ଏବଂ ଅନ୍ୟ ସମ୍ପତ୍ତିରେ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଛି। ହେଲେ ସୁରକ୍ଷାବଳ ଠିକ୍ ସମୟରେ ପହଞ୍ଚି ଏହାକୁ ପଣ୍ଡ କରିଛନ୍ତି।

ସ୍ଥିତି ନିୟନ୍ତ୍ରଣ ପାଇଁ ଗତକାଲି ମଧ୍ୟରାତ୍ରରେ ସୁରକ୍ଷାବଳ ଲୁହବୁହା ଗ୍ୟାସ୍ ପ୍ରୟୋଗ କରି ଭିଡ଼କୁ ଘଉଡାଇଥିଲେ, ଯଦ୍ଵାରା ମନ୍ତ୍ରୀଙ୍କ ବାସଭବନକୁ ଭିଡ଼ କବଳରୁ ବଞ୍ଚା ଯାଇ ପାରିବ। ଘଟଣାରେ କାହାରି ମୃତାହତ ଖବର ନାହିଁ। ଏହା ପୂର୍ବରୁ ରାଜ୍ୟର ଅନ୍ୟ ଏକ ମନ୍ତ୍ରୀ ନେଚମା କିପଗେନଙ୍କ ଇମ୍ଫାଲ ପଶ୍ଚିମ ଜିଲ୍ଲାର ଲାମଫେଲ ଅଞ୍ଚଳରେ ସ୍ଥିତ ଘରକୁ ଜୁନ ୧୪ ରାତିରେ କିଛି ଅଜଣା ଲୋକ ନିଆଁ ଲଗାଇ ଦେଇଥିଲେ। ଏହାର ପରବର୍ତ୍ତୀ ଦିନ ଅର୍ଥାତ ଜୁନ ୧୫ରେ କେନ୍ଦ୍ର ମନ୍ତ୍ରୀ ଆରକେ ରଞ୍ଜନ ସିଂଙ୍କ ଘର ଉପରେ ମଧ୍ୟ ଆକ୍ରମଣ କରାଯାଇଥିଲା ଏବଂ ନିଆଁ ଲଗାଇବାକୁ ଉଦ୍ୟମ କରାଯାଇଥିଲା।

ସୂଚନାଯୋଗ୍ୟ, ମଣିପୁରରେ ମେଇତି ଏବଂ କୁକି ଆଦିବାସୀ ଜନଜାତି ସମୁଦାୟ ମଧ୍ୟରେ ଜାରି ସଂଘର୍ଷରେ ଏ ପର୍ଯ୍ୟନ୍ତ ୧୨୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ଘଟି ସାରିଲାଣି। ମେଇତି ସମୁଦାୟକୁ ଅନୁସୂଚିତ ଜନଜାତି ବର୍ଗରେ ସାମିଲ୍ କରାଯିବା ଦାବିକୁ ବିରୋଧ କରି ଜୁନ ୩ରେ ଆୟୋଜିତ ଆଦିବାସୀ ଏକଜୁଟତା ରାଲି ପରେ ମଣିପୁରରେ ହିଂସା ଆରମ୍ଭ ହୋଇଥିଲା। ରାଜ୍ୟରେ ମେଇତି ସମୁଦାୟଙ୍କ ଜନସଂଖ୍ୟା ୫୩ ପ୍ରତିଶତ ଏବଂ ଏମାନଙ୍କ ମଧ୍ୟରୁ ଅଧିକାଂଶ ଇମ୍ଫାଲ ଘାଟିରେ ବସବାସ କରନ୍ତି। ଅନ୍ୟପଟେ କୁକି ଜନଜାତିଙ୍କ ଜନସଂଖ୍ୟା ପ୍ରାୟ ୪୦ ପ୍ରତିଶତ ଏବଂ ଏମାନେ ଅଧିକାଂଶ ପାହାଡ଼ିଆ ଅଞ୍ଚଳରେ ରୁହନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ