Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଥମୁନି ମଣିପୁର ହିଂସା; ୧୨ ବଙ୍କର ଧ୍ବଂସ, ୧୩୫ ଗିରଫ, ୬ ଜିଲ୍ଲାରେ ସର୍ଚ୍ଚ ଅପରେସନ ଜାରି

ଇମ୍ଫାଲ: ଗତ ୨୪ ଘଣ୍ଟା ମଧ୍ୟରେ ହିଂସା ପ୍ରଭାବିତ ମଣିପୁରର ଉଗ୍ରବାଦୀଙ୍କ ଦ୍ବାରା ବିଭିନ୍ନ ଜିଲ୍ଲାରେ ନିର୍ମିତ ହୋଇଥିବା ୧୨ଟି ବଙ୍କରକୁ ପୋଲିସ ଏବଂ କେନ୍ଦ୍ରୀୟ ସୁରକ୍ଷା ବାହିନୀ ଧ୍ୱଂସ କରିଦେଇଛି। ଏ ନେଇ ପୋଲିସ ପକ୍ଷରୁ ସୂଚନା ଦେଇଛି। ମଣିପୁର ପୋଲିସ ଦ୍ବାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ ରାଜ୍ୟ ପୋଲିସ ଏବଂ କେନ୍ଦ୍ରୀୟ ବାହିନୀ ୬ଟି ଜିଲ୍ଲାରେ ସର୍ଚ୍ଚ ଅପରେସନ କରିବା ସହିତ ୧୨ ଟି ବଙ୍କର ଧ୍ବଂସ କରିଛନ୍ତି।

ମଣିପୁର ପୋଲିସ କହିଛି ଯେ ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ରହିଥିବା ସତ୍ତ୍ବେ ବି କେତେକ ସ୍ଥାନରେ ନିୟନ୍ତ୍ରଣରେ ଅଛି। ରାଜ୍ୟର ଅଧିକାଂଶ ଜିଲ୍ଲାରେ ପରିସ୍ଥିତି ସ୍ୱାଭାବିକ। ଏପର୍ଯ୍ୟନ୍ତ ୧୫ ଜଣଙ୍କୁ ଗିରଫ କରାଯାଇଥିବା ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି। କର୍ଫ୍ୟୁ ଉଲ୍ଲଂଘନ, ପରିତ୍ୟକ୍ତ ଘରେ ଚୋରି, ଅଗ୍ନିକାଣ୍ଡ ଇତ୍ୟାଦି ମାମଲାରେ ସେମାନେ ୧୩୫ ଜଣଙ୍କୁ ଗିରଫ କରିଛନ୍ତି ବୋଲି ବିବୃତ୍ତିରେ କୁହାଯାଇଛି।

ବିବୃତ୍ତିରେ କୁହାଯାଇଛି ଯେ “ଏପର୍ଯ୍ୟନ୍ତ ମୋଟ ୧୧୦୦ ଅସ୍ତ୍ରଶସ୍ତ୍ର, ୧୩୭୦୨ ଗୁଳି ଏବଂ ବିଭିନ୍ନ ପ୍ରକାରର ୨୫୦ଟି ବୋମା ଉଦ୍ଧାର କରାଯାଇଛି। ରାଜ୍ୟର ବିଭିନ୍ନ ସ୍ଥାନରେ ଫ୍ଲାଗ ମାର୍ଚ ଓ ସର୍ଚ୍ଚ ଅପରେସନ ଚାଲିଛି।”ଏହା ଭିତରେ ମଣିପୁର ହିଂସାକୁ ୨ ମାସରୁ ଅଧିକ ସମୟ ବିତିଗଲାଣି। ତଥାପି ଥମିବାର ନାଁ ନେଉନି ହିଂସା । ଏପର୍ଯ୍ୟନ୍ତ ହିଂସାରେ ପାଖାପାଖି ୧୨୦ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୩୦୦୦ରୁ ଅଧିକ ଆହତ ହୋଇଥିବା ସୂଚନା ରହିଛି ।