Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କିଛି ସମୟ ପୂର୍ବରୁ ଫିଟାଇଥିଲେ ହାତଗଣ୍ଠି, ଦିଗପହଣ୍ଡି ବସ୍ ଦୁର୍ଘଟଣାରେ ଚାଲିଗଲା ଜୀବନ

ଦିଗପହଣ୍ଡି: ବେଶ ଆନନ୍ଦ ଏବଂ ଜାକଜମକର ସହ ଭୋଜିଭାତ ହେଲା ବାହାଘର ସରିଲା। ହସଖୁସିରେ କନ୍ୟାଯାତ୍ରୀ ଘରକୁ ଫେରୁଥିଲେ। ହେଲେ କିଏ ବା ଜାଣିଥିଲା ବିଧାତା ଏମିତି ନିଷ୍ଠୁର ହେବ ଏବଂ ବିବାହର ଖୁସି ଏବଂ ଜୀବନ ଦୀପ ଛଡାଇ ନେବ। ରବିବାର ବିଳମ୍ବିତ ରାତିରେ ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି କଲେଜ୍ ଛକ ନିକଟରେ କନ୍ୟାଯାତ୍ରୀ ବସ୍‌କୁ ଧକ୍କା ଦେଇଥିଲା ଓଏସ୍‌ଆର୍‌ଟିସି ବସ୍ । ଏହି ମର୍ମନ୍ତୁଦ ଦୁର୍ଘଟଣାରେ ୧୨ ଜଣଙ୍କ ମୃତ୍ୟୁ ଘଟିଛି। ମୃତକଙ୍କ ମଧ୍ୟରେ ହାତଗଣ୍ଠି ଫିଟାଇଥିବା ଝିଅ ବି ସାମିଲ୍। ଯେଉଁଠି ବାହାଘର ପାଇଁ ହସଖୁସିରେ ଘର ଉଚ୍ଛୁଳି ପଡ଼ୁଥିଲା ସେଠି ଏବେ କାନ୍ଦବୋବାଳି ଘର ଫାଟି ପଡ଼ୁଛି। ନିମିଷକେ ଉଜୁଡ଼ିଗଲା ଅନେକ ଘର ସଂସାର।

ଦୁର୍ଘଟଣାରେ ପ୍ରଥମେ ୧୧ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଏକାଧିକ ଲୋକେ ଆହତ ହୋଇଥିଲେ। କିନ୍ତୁ ଏବେ ଆଉ ଜଣଙ୍କ ମୃତ୍ୟୁ ହୋଇଛି । ଫଳରେ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା ୧୨ରେ ପହଞ୍ଚିଛି । ୫ ଜଣଙ୍କ ଅବସ୍ଥା ଏବେ ମଧ୍ୟ ଗୁରୁତର ରହିଛି। ବାହାଘରରେ ଯେଉଁ ଝିଅଟି ହାତଗଣ୍ଠି ଫିଟାଇଥିଲା କିଏ ଜାଣିଥିଲା କିଛି ସମୟ ପରେ ଏମିତି ବସ୍ ଦୁର୍ଘଟଣାରେ ତାଙ୍କର ଜୀବନ ଚାଲିଯିବ ।

ଏହି ଦୁଃଖଦ ଘଟଣାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗଭୀର ଶୋକ ପ୍ରକାଶ କରିବା ସହ ମୃତକଙ୍କ ପରିବାର ପ୍ରତି ଅନୁକମ୍ପାମୂଳକ ସହାୟତା ରାଶି ଘୋଷଣା କରିଛନ୍ତି। ମୃତକଙ୍କ ପରିବାର ସଦସ୍ୟଙ୍କୁ ୨ ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ଘୋଷଣା କରିଥିବା ବେଳେ ଆହତଙ୍କ ଲାଗି ୫୦ ହଜାର ଲେଖାଏଁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଶୋକ ବ୍ୟକ୍ତ କରି ମୃତକଙ୍କ ପରିବାରକୁ ତିନି ଲକ୍ଷ ଲେଖାଏଁ ଅନୁକମ୍ପା ରାଶି ମଧ୍ୟ ଘୋଷଣା କରିଛନ୍ତି।

ସୂଚନାଯୋଗ୍ୟ, ବ୍ରହ୍ମପୁର ପଟୁ ଆସୁଥିବା କନ୍ୟା ଯାତ୍ରୀ ବସକୁ ବିପରୀତ ଦିଗରୁ ଆସୁଥିବା ଗୁଡ଼ାରୀ ଭୁବନେଶ୍ବର ଓଏଆରଟିସି ବସ୍ ଧକ୍କା ଦେଇଥିଲା । ବ୍ରହ୍ମପୁରରେ ଏକ ବାହାଘର ଭୋଜି ସାରି ପୋଡାମାରି ଫେରୁଥିବା ବେଳେ କଲେଜ ନିକଟରେ ଦୁର୍ଘଟଣା ଘଟିଥିଲା। ଖବର ପାଇ ଦିଗପହଣ୍ଡି ପୋଲିସ ଅଗ୍ନିଶମ ବାହିନୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ