ଚାଲିଥିଲା ବିବାହ ଶୋଭାଯାତ୍ରା; ବରଯାତ୍ରୀଙ୍କ ଉପରେ ଚଢିଗଲା ଟ୍ରକ୍, ଫେରିଗଲା ବର


କେନ୍ଦୁଝର: ରୋଷଣୀ କରି କନ୍ୟା ଘରକୁ ଯାଉଥିଲା ବର। ସାଙ୍ଗରେ ଥିଲେ ବରଯାତ୍ରୀ। ହେଲେ ଅଚାନକ ଖୁସିର ମାହୋଲରେ ଖେଳିଯାଇଥିଲା ଦୁଃଖର ଛାୟା। କନ୍ୟାଘର ସାମ୍ନାରେ ନାଚୁଥିବା ବେଳେ ବରଯାତ୍ରୀଙ୍କ ଉପରେ ଚଢିଯାଇଥିଲା ଟ୍ରକ୍ । ଏହି ଦୁର୍ଘଟଣାରେ ୫ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୯ଜଣ ଗୁରୁତର ଥିବା ଜଣାପଡିଛି । ୯ଗୁରୁତରଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। କେନ୍ଦୁଝର ଟାଉନ ଥାନା ଯୁଡିଆଘାଟି ଷଠୀଘର ନିକଟରେ ଦୁର୍ଘଟଣା ହୋଇଛି । ତେବେ ଦୁର୍ଘଟଣା ଯୋଗୁଁ ବର ଫେରି ଯାଇଛି, ବାହାଘର ହୋଇପାରି ନାହିଁ ।

ବିବାହ ଶୋଭାଯାତ୍ରା ଚାଲିଥିଲା । ହରିଚନ୍ଦନପୁର ବ୍ଲକ୍ ଜଙ୍ଘିରା ନିକଟସ୍ଥ ମାନପୁର ଗ୍ରାମରୁ ଏକ ବରଯାତ୍ରୀ ଦଳ କେନ୍ଦୁଝର ଆସିଥିଲେ । ଷଠୀଘର ସାହିରେ କନ୍ୟାଘର ସମ୍ମୁଖରେ  ବରଯାତ୍ରୀମାନେ ନାଚୁଥିଲେ । ଏହି ସମୟରେ ଶୁଆକାଟୀ ପଟୁ ହଠାତ୍ ଏକ ଟ୍ରକ୍ ଦ୍ରୁତବେଗରେ ଆସି ବରଯାତ୍ରୀଙ୍କ ଉପରେ ମାଡ଼ି ଯାଇଥିଲା । ଫଳରେ ୫ ଜଣ ଦୁର୍ଘଟଣାସ୍ଥଳରେ ମୃତ୍ୟୁ ହୋଇଥିବା ବେଳେ ୯ ଜଣ ଗୁରୁତର ଆହତ ହୋଇଛନ୍ତି ।ମୃତକଙ୍କ ମଧ୍ୟରେ ୩ ଜଣ କନ୍ୟାଘରର ବୋଲି ଜଣାପଡ଼ିଛି । ଘଟଣାସ୍ଥଳରେ ପୋଲିସ ଓ ଅଗ୍ନିଶମ ବିଭାଗ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛି ।