ଆଶଙ୍କିତ ଏକନାଥ ସିନ୍ଦେ କରିବେ ଶକ୍ତି ପ୍ରଦର୍ଶନ, ସମସ୍ତ ସାଂସଦ ଏବଂ ବିଧାୟକଙ୍କୁ ଡକାଇଲେ ଶିବାଜୀ ପାର୍କ


ମୁମ୍ବାଇ: ମହାରାଷ୍ଟ୍ରରେ ରବିବାର ଅଜିତ୍ ପାଓ୍ଵାରଙ୍କ ଏନସିପିରେ ବିଦ୍ରୋହ ପରେ ଜାତୀୟ ରାଜନୀତି ମଧ୍ୟ ସରଗରମ ହୋଇ ଉଠିଛି। ଗତକାଲିର ମହାନାଟକ କେଉଁ ମୋଡ଼ ନେଉଛି ତାହା କହିବା ମୁସ୍କିଲ। ଏହା ମଧ୍ୟରେ ଏକନାଥ ସିନ୍ଦେ ଶିବାଜୀ ପାର୍ଟିରେ ନିଜର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଡକାଇଛନ୍ତି। କୁହାଯାଉଛି ଏକନାଥ ସିନ୍ଦେ ଶକ୍ତି ପ୍ରଦର୍ଶନ କରିବାକୁ ଯାଉଛନ୍ତି। ସିନ୍ଦେ ନିଜର ସମସ୍ତ ବିଧାୟକ ଏବଂ ସାଂସଦଙ୍କୁ ଅପରାହ୍ନ ୩ଟାରେ ଶିବାଜୀ ପାର୍କରେ ଉପସ୍ଥିତ ରହିବାକୁ କହିଛନ୍ତି। ଏହି ସମୟରେ ସିନ୍ଦେ ନିଜର ରାଜନୈତିକ ଗୁରୁ ଆନନ୍ଦ ଦିଘେଙ୍କୁ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିବେ ଏବଂ ପୁଣି ସମର୍ଥକଙ୍କୁ ସମ୍ବୋଧିତ କରିବେ। କେବଳ ଏତିକି ନୁହେଁ କାର୍ଯ୍ୟକ୍ରମ ପରେ ବିଧାୟକ ଏବଂ ସାଂସଦଙ୍କ ସହିତ ବୈଠକ ମଧ୍ୟ କରିବେ।

କୁହାଯାଉଛି ଅଜିତ୍ ପାଓ୍ଵାରଙ୍କ ସହିତ ୪୦ ବିଧାୟକ ଆସିବା ପରେ ବିଜେପିକୁ ଲାଗୁଛି ତାଙ୍କ ସରକାର ମଜବୁତ ହୋଇ ଯାଇଛି। ଏମିତିରେ ଏକନାଥ ସିନ୍ଦେଙ୍କ ବିନା ମଧ୍ୟ ବିଜେପି ସରକାର ମହାରାଷ୍ଟ୍ରରେ ତିଷ୍ଠି ପାରିବ। ଅନ୍ୟପଟେ ଅଜିତ୍ ପାଓ୍ଵାରଙ୍କ ଏଣ୍ଟ୍ରି ପରେ ଏକନାଥ ସିନ୍ଦେ ନିଜର ଭବିଷ୍ୟତକୁ ନେଇ ଆଶଙ୍କାରେ ପଡ଼ିଛନ୍ତି। ଏହି କାରଣରୁ ସେ ବୈଠକ ଡକାଇଛନ୍ତି, ଯାହାକୁ ଶକ୍ତି ପ୍ରଦର୍ଶନ ଭାବେ ବର୍ଣ୍ଣନା କରାଯାଉଛି। ଏକନାଥ ସିନ୍ଦେ ଗତ ବର୍ଷ ୪୦ ବିଧାୟକଙ୍କ ସହିତ ବିଜେପିକୁ ସମର୍ଥନ କରିଥିଲେ ଏବଂ ପୁଣି ମେଣ୍ଟ କରି ସରକାର ଗଢିଥିଲେ। ଏକନାଥ ସିନ୍ଦେ ମୁଖ୍ୟମନ୍ତ୍ରୀ ହୋଇଥିବା ବେଳେ ଦେବେନ୍ଦ୍ର ଫଡଣବିସ ଉପ ମୁଖ୍ୟମନ୍ତ୍ରୀ ହୋଇଛନ୍ତି।

ରାଜନୈତିକ ବିଶେଷଜ୍ଞଙ୍କ ମତରେ ବୋଧହୁଏ ଶିବସେନାରେ ଫାଟ ସୃଷ୍ଟି ପାଇଁ ଏକନାଥ ସିନ୍ଦେଙ୍କୁ ମୁଖ୍ୟମନ୍ତ୍ରୀ କରାଯାଇଥିଲା। ଏହି ଉଦ୍ଦେଶ୍ୟ ଏବେ ପୂରା ହୋଇଥିବା ଦେଖିବାକୁ ମିଳୁଛି। ଏମିତିରେ ବିଜେପି ପାଇଁ ଏହା ଭଲ ସୁଯୋଗ ଯେ ସିନ୍ଦେଙ୍କୁ ହଟାଇ ଫଡଣବିସଙ୍କୁ ମୁଖ୍ୟମନ୍ତ୍ରୀ କରି ଦେଉ ଏବଂ ଅଜିତ୍ ପାଓ୍ଵାରଙ୍କୁ ଉପ ମୁଖ୍ୟମନ୍ତ୍ରୀ ରହିବାକୁ ଦିଆଯାଉ। ଏହା ବ୍ୟତୀତ ଏକନାଥ ସିନ୍ଦେଙ୍କୁ ହଟା ମଧ୍ୟ ଯାଇପାରେ। ଶିବସେନା ଉଦ୍ଧବ ଗୋଷ୍ଠୀ ମଧ୍ୟ ଅନେକ ଥର କହି ସାରିଛି ଯେ, ଆଗାମୀ ସମୟରେ ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ବଦଳିବାକୁ ଯାଉଛି।

ଆଜି ଶିବସେନା ଉଦ୍ଧବ ଗୋଷ୍ଠୀର ବରିଷ୍ଠ ନେତା ସଞ୍ଜୟ ରାଉତ ମଧ୍ୟ କହିଛନ୍ତି ମହାରାଷ୍ଟ୍ରରେ ମୁଖ୍ୟମନ୍ତ୍ରୀ ପଦ ବଦଳିବାକୁ ଯାଉଛି। ଏକନାଥ ସିନ୍ଦେଙ୍କୁ ହଟାଯିବ ଏବଂ ଅଜିତ୍ ପାଓ୍ଵାର ମୁଖ୍ୟମନ୍ତ୍ରୀ ହେବେ। ଏସବୁ ପରେ ବି ଆଗାମୀ ବିଧାନସଭା ନିର୍ବାଚନରେ ଶିବସେନା, ଏନସିପି ଏବଂ କଂଗ୍ରେସ ଏକଜୁଟ୍ ହୋଇ ନିର୍ବାଚନ ଲଢିବେ। ବିଜେପି ଦଳ ଶିବସେନା, ଏନସିପି ଏବଂ କଂଗ୍ରେସକୁ ଭାଙ୍ଗିବାରେ ଲାଗିଛି, ମାତ୍ର ଏଥିରେ କୌଣସି ଫାଇଦା ନାହିଁ ବୋଲି ସଞ୍ଜୟ ରାଉତ କହିଛନ୍ତି।