ବାହାନଗା ଟ୍ରେନ ଦୁର୍ଘଟଣା; କାହିଁକି ହୋଇଥିଲା ଏତେ ବଡ ଦୁର୍ଘଟଣା?, ଜଣାପଡିଲା ସତ


ବାଲେଶ୍ବର: ବାହାନଗା ଟ୍ରେନ ଦୁର୍ଘଟଣାକୁ ଏହା ଭିତରେ ମାସେ ବିତିଗଲାଣି। ଏହି ଦୁର୍ଘଟଣା ଓଡିଶା ଇତିହାସରେ ପ୍ରଥମ। ଦୁର୍ଘଟଣା ଯୋଗୁ ଛାରଖାର୍‌ ହୋଇଗଲା ଅନେକ ପରିବାର। ଏଥିରେ ଏପର୍ଯ୍ୟନ୍ତ ୨୯୩ ଜଣ ଯାତ୍ରୀଙ୍କର ମୃତ୍ୟୁ ହୋଇଛି । କାହିଁକି ଓ କେମିତି ଏତେ ବଡ ଦୁର୍ଘଟଣା ଘଟିଲା ସେ ‌ନେଇ ଚାଲିଥିଲା ତଦନ୍ତ। ଏହାର ତଦନ୍ତ କରୁଥିଲା ସିବିଆଇ। ତେବେ ଦୁର୍ଘଟଣାର ମାସେ ପରେ ଆସିଛି ତଦନ୍ତ ରିପୋର୍ଟ ।

ରିପୋର୍ଟ ଅନୁଯାୟୀ ସିଗନାଲିଂ ଏବଂ ଦୂରସଞ୍ଚାର ବିଭାଗର ତ୍ରୁଟି ପାଇଁ ଏତେ ବଡ଼ ଟ୍ରେନ ଦୁର୍ଘଟଣା ଘଟିଥିବା ଜଣାପଡିଛି। ଏ ନେଇ ରେଳ ସୁରକ୍ଷା କମିଶନ ରିପୋର୍ଟ ଦାଖଲ କରିଛନ୍ତି । ରେଳବୋର୍ଡ଼ ନିକଟରେ ଏହି ରିପୋର୍ଟ ଦାଖଲ ହୋଇଛି । ଏହାସହିତ ତ୍ରୁଟିପୂର୍ଣ୍ଣ ୱେୟାରିଂ ମଧ୍ୟ ଆଉ ଏକ କାରଣ ବୋଲି ରିପୋର୍ଟରେ ଉଲ୍ଲେଖ ରହିଛି । ବାହାନଗା ବଜାର ଷ୍ଟେସନରେ ଲେଭଲ କ୍ରସିଂ ଫାଟକ-୯୪ରେ ଇଲେକ୍ଟ୍ରିକ ଲିଫ୍ଟିଙ୍ଗ ବ୍ୟାରିୟରକୁ ବଦଳାଇ କାର୍ଯ୍ୟ ନ କରାଯିବା ମଧ୍ୟ ଏକ ଭୁଲ ଥିଲା ବୋଲି କୁହାଯାଇଛି ।