Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ଲୁଟ ହେଉଛି ବିଏସକେଓ୍ଵାଇ ଟଙ୍କା

ଧର୍ମଗଡ଼: ବିଭିନ୍ନ ଉନ୍ନୟନମୂଳକ ଯୋଜନାରେ ଆସୁଥିବା ଟଙ୍କାର ବାଟମାରଣା ହେବା ଖବର ଅନେକ ସମୟରେ ଶୁଣିବାକୁ ମିଳୁଥିଲା। ଏବେ ସ୍ଵାସ୍ଥ୍ୟ ସମ୍ବନ୍ଧିତ ଏକ ଯୋଜନାରେ ଟଙ୍କା ଲୁଟ ହେଉଥିବା ଖବର ଚର୍ଚ୍ଚାକୁ ଆସିଛି । ଦଲାଲ ଲଗାଇ ଛତିଶଗଡ଼ ରାଜ୍ୟ ରାୟପୁରର କିଛି ନର୍ସିଂହୋମ ମାଲିକ ଓଡ଼ିଶା ସରକାରଙ୍କ ଦ୍ଵାରା ପ୍ରଚଳିତ ବିଏସକେଓ୍ଵାଇ ଯୋଜନାର ଅର୍ଥ ହରିଲୁଟ କରୁଥିବା ଚର୍ଚ୍ଚା ହେଉଛି। ଏହି ଯୋଜନା ପ୍ରଚଳନ ହେବା ପରେ ବିଭିନ୍ନ ନର୍ସିଂହୋମ ମାନଙ୍କରେ ପ୍ରସବ କାଳୀନ ସିଜରିଂ କେସ ଅହେତୁକ ଭାବେ ବୃଦ୍ଧି ପାଇଥିବା ବେଳେ ପଡୋଶୀ ରାଜ୍ୟ ଛତିଶଗଡ଼ ରାଜ୍ୟ ରାୟପୁରର କିଛି ନିର୍ଦ୍ଧିଷ୍ଟ ନର୍ସିଂହୋମରେ ମଧ୍ୟ ସୀମାନ୍ତ ଅଞ୍ଚଳର ରୋଗୀଙ୍କ ସଂଖ୍ୟା ବୃଦ୍ଧି ପାଇଛି। ତେବେ ଧର୍ମଗଡ଼ ଉପଖଣ୍ଡ ଅନ୍ତର୍ଗତ ବିଭିନ୍ନ ବ୍ଳକର ବିଏସକେଓ୍ଵାଇ ହିତାଧିକାରୀଙ୍କୁ ଅଭିନବ ଉପାୟରେ ଶୋଷଣ କରାଯାଉଛି।‌‌ କୋକସରା, ଜୟପାଟଣା, ଧର୍ମଗଡ଼ ଅଞ୍ଚଳରେ ବେଶ ସକ୍ରିୟ ଅଛନ୍ତି। ପୂର୍ବରୁ ଦଲାଲ ଲଗାଇ ଏହି ନର୍ସିଂହୋମ ମାନଙ୍କୁ ନିଆଯାଉଥିଲା । ନର୍ସିଂହୋମ ମାଲିକ ଏଥିପାଇଁ ଦଲାଲମାନଙ୍କୁ କମିଶନ ଦେଉଥିଲା । ଏବେ ଦଲାଲ ସହ ରୋଗୀଙ୍କ ସମ୍ପର୍କୀୟଙ୍କୁ ମଧ୍ୟ ଟଙ୍କା ଦିଆଯାଇଛି। କେତେକ ସ୍ଥଳରେ ରୋଗୀଙ୍କୁ ମଧ୍ୟ ଟଙ୍କା ଦିଆଯାଉଛି। ବିଏସକେଓ୍ଵାଇ କାର୍ଡରୁ ଟଙ୍କା ଉଠାଇ ସମସ୍ତଙ୍କ ସଲାସୁତୁରାରେ ଭାଗବଣ୍ଟା କରାଯାଉଛି। ପରୀକ୍ଷାନିରୀକ୍ଷା ସହ ଔଷଧ ବାବଦକୁ ଯେଉଁ ରୋଗ ପାଇଁ ୫ହଜାର ଟଙ୍କା ଖର୍ଚ୍ଚ ହେବା କଥା ସେହି ରୋଗ ପାଇଁ ୭୫ହଜାର ଟଙ୍କା ବିଲ କରି ବିଏସକେଓ୍ଵାଇ କାର୍ଡରୁ କ୍ଳେମ କରାଯାଉଛି। ସେଥିରେ ଦଲାଲର ଭାଗ ୨ହଜାର,ଗାଡ଼ି ଖର୍ଚ୍ଚ ୩ହଜାର ,ରୋଗୀ ଏବଂ ସମ୍ପର୍କୀୟଙ୍କୁ ୧୦ହଜାର ଏମିତି ପ୍ରାଯ ୧୫ହଜାର ଟଙ୍କା ଦିଆଯାଇଛି। ଟଙ୍କା ପାଇ ଦଲାଲ ଖୁସ,ରୋଗୀ ଖୁସ, ସମ୍ପର୍କୀୟ ବି ଖୁସ, ୫ ହଜାର ଟଙ୍କା ଜାଗାରେ ୫୦/୬୦ହଜାର ଟଙ୍କା ପାଇ ନର୍ସିଂ ହୋମ ମାଲିକ ବି ଖୁସ।

ଶୁଣିବାକୁ ମିଳୁଛି କୋକସରା ଅଞ୍ଚଳରେ କାହାର ପଇସା ଦରକାର ତେବେ ବିଏସକେଓ୍ଵାଇ କାର୍ଡ ଅଛି କି ବୋଲି ପଚାରୁଛନ୍ତି। ଯଦି ବିଏସକେଓ୍ଵାଇ କାର୍ଡ ରହିଛି ତେବେ ତାକୁ ରାୟପୁର ନେଇ ହସ୍ପିଟାଲ ଆଡମିଟ ଦେଖାଇ ଟଙ୍କା କ୍ଳେମ କରାଯାଉଛି। ଟଙ୍କା ରିଲିଜ ହେଲେ ଅଧେ ଅଧେ ଭାଗ ହେଉଛି। ଆଗକୁ ଖରିଫ ଋତୁ ଥିବାରୁ ଏଭଳି ମାମଲା ବଢିବ ବୋଲି ଅନୁମାନ କରାଯାଉଛି। ଲଡୁଗାଁ ଅଞ୍ଚଳରୁ ଏହି ସବୁ କାରବାର ନିୟନ୍ତ୍ରଣ ହେଉଥିବାବେଳେ ଏଥିରେ କୋକସରା ବ୍ଲକର ଜଣେ ଜନପ୍ରତିନିଧି ମଧ୍ୟ ସାମିଲ ଥିବା ଚର୍ଚ୍ଚା ହେଉଛି। ଜନପ୍ରତିନିଧି ଜଣକ କୁଆଡେ ବିଭିନ୍ନ ସଭାସମିତିରେ ରାୟପୁରର ସେଇ ନିର୍ଦ୍ଧିଷ୍ଟ ନର୍ସିଂହୋମକୁ ଯିବାକୁ ପରାମର୍ଶ ଦିଅନ୍ତି। ରୋଗୀ ଉନ୍ନତ ଚିକିତ୍ସା ପାଇଁ କେଉଁ ହସ୍ପିଟାଲ ଯିବ ତାହା ତା ଇଚ୍ଛାଧୀନ ବ୍ୟାପାର। ସରକାର ମଧ୍ୟ ଗରିବ ଲୋକ ଯେପରି ରାଜ୍ୟ କିମ୍ବା ରାଜ୍ୟ ବାହାରେ ଉନ୍ନତ ଚିକିତ୍ସା ପାଇପାରିବ ସେଥିପାଇଁ ଏହି ସ୍ଵାସ୍ଥ୍ୟ ସେବା ଯୋଜନା ପ୍ରଣୟନ କରିଛନ୍ତି। ଏଥିପାଇଁ ରାଜ୍ୟ ବାହାରର ବେସରକାରୀ ହସ୍ପିଟାଲ ସହ ଅନୁବନ୍ଧିତ ରହିଛି। କିନ୍ତୁ କିଛି ବେପାରୀ ଲୋକ ଏଥିରୁ ନିଜ ବେପାର କିପରି ବଢାଇବାରେ ଲାଗିଛନ୍ତି। ମାତ୍ର କିଛି ଟଙ୍କାର ପ୍ରଲୋଭନରେ ପଡ଼ି ଗରିବ ହିତାଧିକାରୀ ମଧ୍ୟ ସେମାନଙ୍କ ଜାଲରେ ପଡୁଛି।