ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନି, ଜାରି ହୋଇପାରେ ନିର୍ଦ୍ଦେଶାବଳୀ


ଭୁବନେଶ୍ଵର: ରାଜ୍ୟରେ ସଂପ୍ରତି ଆଖିଧରା ରୋଗ ଲୋକଙ୍କ ଚିନ୍ତା ବଢାଇଛି। ରାଜ୍ୟର ଅନେକ ସ୍କୁଲରେ ପିଲାଙ୍କଠାରେ ଆଖିଧରା ରୋଗ ଦେଖିବାକୁ ମିଳିଛି। ଏହାକୁ ନେଇ ଛାନିଆ ଅଭିଭାବକ। ସ୍ଥିତିକୁ ଦୃଷ୍ଟିରେ ରଖି ସ୍କୁଲକୁ ଲାଗି ଜାରି ହୋଇପାରେ ନିର୍ଦ୍ଦେଶାବଳୀ । ଏ ନେଇ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର ମଙ୍ଗଳବାର ସୂଚନା ଦେଇଛନ୍ତି ।

ଏବେ ରାଜ୍ୟରେ ସ୍କୁଲ ଯାଉଥିବା ଛାତ୍ରଛାତ୍ରୀଙ୍କଠାରେ ଅଧିକ ଆଖିଧରା ରୋଗ ଦେଖାଯାଉଥିବା ଖବର ଆସୁଛି । ତେବେ କେତେ ଜଣ ଛାତ୍ରଛାତ୍ରୀ ଆଖିଧରାରେ ସଂକ୍ରମିତ ହୋଇଛନ୍ତି, ଏହାଦ୍ଵାରା ଶିକ୍ଷାଦାନ କେତେ ବ୍ୟାହତ ହେଉଛି ତା ଉପରେ ତଥ୍ୟ ଆସିନି । ସେ ତଥ୍ୟ ଆସିବା ପରେ ଆବଶ୍ୟକ ପଡିଲେ ସ୍କୁଲ ଲାଗି ସ୍ଵାସ୍ଥ୍ୟ ବିଭାଗ ନିର୍ଦ୍ଦେଶାବଳୀ ଜାରି କରାଯିବ ବୋଲି ନିର୍ଦ୍ଦେଶକ କହିଛନ୍ତି।

ଆଖି ଧରିଥିଲେ ପିଲାଙ୍କୁ ସ୍କୁଲ ଛାଡ଼ନ୍ତୁ ନାହିଁ । ଘରେ ପିଲାଙ୍କ ଆବଶ୍ୟକ ଯତ୍ନ ନିଅନ୍ତୁ।  ଏହାଛଡ଼ା ସେ ଡ଼ାକ୍ତରଙ୍କୁ ଦେଖାଇ ଚିକିତ୍ସା କରନ୍ତୁ ବୋଲି ଅଭିଭାବକଙ୍କୁ ଅନୁରୋଧ କରିଛନ୍ତି ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକ ଡାକ୍ତର ନିରଞ୍ଜନ ମିଶ୍ର। ନିକଟରେ ଏକ ସ୍କୁଲରେ 30ରୁ ଅଧିକ ଛାତ୍ର-ଛାତ୍ରୀଙ୍କଠାରେ ଆଖିଧରା ରୋଗ ଦେଖିବାକୁ ମିଳିଥିଲା।