Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍କୁଲ ଅଟୋ ଓଲଟି 8 ଛାତ୍ରଛାତ୍ରୀ ସାମାନ୍ୟ ଆହତ

ବେଲଗୁଣ୍ଠା,12/07, ବେଲଗୁଣ୍ଠା ବ୍ଳକ୍ ଗାଙ୍ଗପୁର ଥାନା ଅନ୍ତର୍ଗତ ଷଡ଼ଙ୍ଗୀପଲ୍ଲୀ ଉଚ୍ଚ ବିଦ୍ୟାଳୟ ନିକଟରେ ଥିବା ନିର୍ଭର ଶିକ୍ଷା ଅନୁଷ୍ଠାନକୁ ପାଖାପାଖି ଗ୍ରାମରୁ ଅଟୋ ସାହାଯ୍ୟରେ ଛାତ୍ରଛାତ୍ରୀଙ୍କୁ ନେବାଆଣିବା କରାଯାଇଥାଏ I ଆଜି ସକାଳ ନଅ ଘଣ୍ଟା ତିରିଶି ମିନିଟ୍ ସମୟରେ ନାଟଙ୍ଗା ଗ୍ରାମରୁ ବାର ଜଣ ଛାତ୍ରଛାତ୍ରୀଙ୍କୁ ନେଇ ଏକ ଅଟୋ ବିଦ୍ୟାଳୟକୁ ଆସୁଥିବା ବେଳେ କଇଠପଲ୍ଲୀ ଗ୍ରାମ ପୂର୍ବରୁ ଏକ ଗୋଡ଼ି ଗଦା ନିକଟରେ ହୋଇଥିବା ବେଳେ ଗ୍ରାମ ପଟୁ ଏକ ଟ୍ରାକ୍ଟର ଆସିଯିବାରୁ ଅଟୋଚାଳକ ଜଣଙ୍କ ଅଟୋଟିକୁ ରାସ୍ତା ପାର୍ଶ୍ୱକୁ ନେଇଯାଇଥିଲେ I କିନ୍ତୁ ହଠାତ୍ ଅଟୋଟି ଭାରସାମ୍ୟ ହରାଇ ରାସ୍ତା କଡ଼କୁ ଓଲଟି ପଡ଼ିଥିଲା I ଫଳରେ ଅଟୋରେ ଥିବା ଛଅ ଜଣ ଛାତ୍ରଛାତ୍ରୀ ସାମାନ୍ୟ ଆହତ ହୋଇଥିବା ବେଳେ ଜଣଙ୍କର ହାତ ଭାଙ୍ଗିଯାଇଥିଲା ଏବଂ ଅନ୍ୟ ଜଣଙ୍କର ମୁଣ୍ଡ ଫାଟିଯାଇଥିଲା I ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକଙ୍କ ସହାୟତାରେ ଛାତ୍ରଛାତ୍ରୀଙ୍କୁ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା I ସେଠାରେ ସାମାନ୍ୟ ଆହତ ଛଅ ଜଣ ଛାତ୍ରଛାତ୍ରୀଙ୍କୁ ପ୍ରାଥମିକ ଚିକିତ୍ସା ପରେ ଘରକୁ ଛାଡ଼ି ଦିଆଯାଇଥିବା ହାତ ଭାଙ୍ଗିଥିବା ଏବଂ ମୁଣ୍ଡ ଫାଟିଥିବା ଦୁଇଜଣଙ୍କୁ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା କରାଯାଇଥିବା ଖବର ହସ୍ତଗତ ହୋଇଛି I ଆହତ ହୋଇଥିବା ସମସ୍ତ ଛାତ୍ରଛାତ୍ରୀ ନାଟଙ୍ଗା ଗ୍ରାମର ହୋଇଥିବା ବେଳେ ସେମାନେ ହେଲେ ପିଣ୍ଟୁ ଲେଙ୍କାଙ୍କ ପୁଅ ନିର୍ମଳ(4), ପୁରୁଷୋତ୍ତମ ସ୍ୱାଇଁଙ୍କ ପୁଅ ରମେଶ(6), ବାଳକୃଷ୍ଣ ଜେନାଙ୍କ ଝିଅ ବିଦ୍ୟାଶ୍ରୀ (6),ଜୂରିଆ ବିଶ୍ୱାଳଙ୍କ ପୁଅ ସାଇ ସୁଧା (6),କାର୍ତ୍ତିକ ପାତ୍ରଙ୍କ ଝିଅ କୀର୍ତ୍ତିକା(5),ଅଭିରାମ ନାଇକଙ୍କ ପୁଅ ଅଭିଜିତ୍ (5) ଏବଂ ଝିଅ ଅଭିଲିପ୍ସା (13) ଏବଂ ଶ୍ରାବଣୀ ପରିଡ଼ା I ତେବେ ଛାତ୍ରଛାତ୍ରୀମାନେ ଏକ ବଡ଼ ଦୁର୍ଘଟଣାରୁ ବର୍ତ୍ତି ଯାଇଥିବାରୁ ଅଭିଭାବକ ଏବଂ ସ୍କୁଲ୍ କର୍ତ୍ତୃପକ୍ଷ ଈଶ୍ଵରଙ୍କୁ ଧନ୍ୟବାଦ ଜଣାଇଛନ୍ତି I ଅଟୋଟି ବାଲିଭାଗ ଗ୍ରାମର ବୋଲି ଜଣାପଡ଼ିଛି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ