ଭୂଦୋବର ନିକଟରେ ସଡକ ଦୁର୍ଘଟଣା ; ଟିଉସନ ଶିକ୍ଷକ ମୃତ , ରାସ୍ତା ରୋକ

ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ଅନ୍ତର୍ଗତ ଭୁଦୋବର ନିକଟସ୍ଥ ନିଲୁ ଢାବା ନିକଟରେ ଗୁରୁବାର ରାତ୍ରିରେ ସଡକ ଦୁର୍ଘଟଣା ଘଟିଛି । ସାଇକେଲ ରେ ଯାଉଥିବା ଜଣେ ଯୁବକଙ୍କ ପଛପଟୁ ଏକ ବୁଲେଟ ଧକ୍କା ଦେବାରୁ ସାଇକେଲ ଚାଳକ ଙ୍କ ମୃତ୍ୟୁ ଘଟିଛି ।ମୃତ ଯୁବକ ଜଣକ ହେଲେ ମହଦା ପଞ୍ଚାୟତ ପାର୍ବତୀପୁର ଗ୍ରାମର ଗୌର ଭୋଇ ଙ୍କ ଏକ ମାତ୍ର ପୁତ୍ର ତ୍ରିଲୋଚନ ଭୋଇ(୨୩) ବୋଲି ଜଣା ପଡିଛି ।ମୃତ ଯୁବକ ଜଣେ ଟିଉସନ ଶିକ୍ଷକ ଅଟନ୍ତି । ମିଳିଥିବା ସୁଚନା ଅନୁସାରେ ମୃତ ତ୍ରିଲୋଚନ ସବୁଦିନ ପରି ଗୁରୁବାର ସନ୍ଧ୍ୟାରେ ଭୂଦୋବର ଗ୍ରାମକୁ ଟିଉସନ ପଢାଇବାକୁ ଆସି ଟିଉସନ ଛୁଟି କରି ନିଜ ସାଇକେଲ ରେ ନିଜ ଘର ପାର୍ବତୀପୁର କୁ ଫେରୁ ଥିଲେ I ବାଟରେ ଭୂଦୋବର ନିକଟସ୍ଥ ନିଲୁ ଢାବା ନିକଟରେ ବୀରମହାରାଜପୁର ପଟରୁ ଯାଉଥିବା ଏକ ବୁଲେଟ(ଓଆର ୧୭ ଏଲ ୯୫୨୦) ପଛ ପଟୁ ଧକ୍କା ଦେଇଥିଲା l ବୁଲେଟ ଚାଳକ ସୁବର୍ଣ୍ଣପୁର ହସ୍ତତନ୍ତ ବିଭାଗର ବୈଷୟିକ ସହାୟକ ଅଶୋକ ମିଶ୍ର ଥିଲେ । ଦୂର୍ଘଟଣା ସ୍ଥଳରୁ ତ୍ରିଲୋଚନ ଙ୍କୁ ଗୁରୁତର ଅବସ୍ଥାରେ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ କୁ ନିଆଯାଇଥିଲା । ମାତ୍ର ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଖବର ପ୍ରଚାର ହେବା ପରେ ଦୁର୍ଘଟଣା ସ୍ଥଳରେ ଉତ୍ତେଜନା ପରିସ୍ଥିତି ଦେଖାଯାଇଥିଲା । ଉତ୍ୟକ୍ତ ଲୋକେ ବୀରମହାରାଜପୁର-ସୋନପୁର ମୁଖ୍ୟ ରାସ୍ତା ର ଭୂଦୋବର ନିକଟରେ ରାସ୍ତାରୋକ କରି ଥିଲେ । ଫଳରେ ରାସ୍ତାର ଉଭୟ ପାର୍ଶ୍ବରେ ଶତାଧିକ ଗାଡିମଟର ଅଟକି ରହିଥିଲା । ଖବର ପାଇ ବୀରମହାରାଜପୁର ଉପଖଣ୍ଡିୟ ପୋଲିସ ଅଧିକାରୀ ଡୋଳାମଣୀ ଭୋଇ , ଥାନା ଅଧିକାରୀ ରାଜେଶ୍ବରୀ ଭୋଇ ଙ୍କ ସମେତ ଏକ ପ୍ଲାଟୁନ ପୋଲସ ଘଟଣା ସ୍ଥଳରେ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିବାପରେ ଗମନାଗମନ ସ୍ୱାଭାବିକ ହୋଇଛି । ତେବେ ମୃତ ଯୁବକ ଜଣକ ଜଣେ ମେଳାପି ଓ ମେଧାବି ଛାତ୍ର ସହିତ ଜଣେ ଭଲ ଟିଉସନ ଶିକ୍ଷକ ଥିଲେ । ମୃତକଙ୍କ ପରିବାର କୁ ସରକାରୀ ସହାୟତା ପ୍ରଦାନ କରିବାକୁ ସାଧାରଣରେ ଦାଵୀ ହେଉଛି ।