କୋକଲୁଣ୍ଡା ଛକରେ ସାଇକେଲକୁ ଧକାଦେଲା ବୋଲର, ଜଣେ ମୃତ


ବେଲଗୁଣ୍ଠା, 14/07,ଆଜି ଅପରାହ୍ଣ ଦୁଇ ଘଣ୍ଟା ସମୟରେ ବେଲଗୁଣ୍ଠା ଥାନା ଅନ୍ତର୍ଗତ ଗଜେନ୍ଦ୍ରା ଗ୍ରାମର ପର୍ଶୁରାମ୍ ପାତ୍ର (55) ସେ ଏକ ସାଇକେଲ୍ ରେ କୌଣସି କାମରେ କୋକଲୁଣ୍ଡା ଯାଇ ଫେରୁଥିଲେ I କୋକଲୁଣ୍ଡାରୁ ନିଜ ଗ୍ରାମକୁ ଫେରିବା ବେଳେ କୋକଲୁଣ୍ଡା ରାସ୍ତାରୁ ବେଲଗୁଣ୍ଠା-ଜଗନ୍ନାଥପ୍ରସାଦ ରାସ୍ତାକୁ ବାହାରିବା ସମୟରେ ଜଗନ୍ନାଥପ୍ରସାଦ ପଟୁ ବେଲଗୁଣ୍ଠା ଅଭିମୁଖେ ଆସୁଥିବା OD120775 ନମ୍ବର୍ ବିଶିଷ୍ଟ ଏକ ବୋଲେରୋ ପର୍ଶୁରାମଙ୍କ ସାଇକେଲ୍ କୁ ଧକ୍କା ଦେଇଥିଲା I ଫଳରେ ପର୍ଶୁରାମ ଛିଟିକି ପଡ଼ି ଗୁରୁତର ଆହତ ହୋଇଥିଲେ I ସ୍ଥାନୀୟ ଲୋକେ ପର୍ଶୁରାମଙ୍କୁ ଉଦ୍ଧାର କରି ପ୍ରଥମେ ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଏବଂ ପରେ ଭଞ୍ଜନଗର ଉପଖଣ୍ଡ ଚିକିତ୍ସାଳୟକୁ ନେଉଥିବା ସମୟରେ ରାସ୍ତାରେ ପର୍ଶୁରାମଙ୍କ ପ୍ରାଣବାୟୁ ଉଡ଼ିଯାଇଥିଲା I ଭଞ୍ଜନଗର ମେଡ଼ିକାଲ୍ ରେ ଡ଼ାକ୍ତର ପର୍ଶୁରାମଙ୍କୁ ମୃତ ଘୋଷଣା କରିଥିଲେ I ଖବର ପାଇ ବେଲଗୁଣ୍ଠା ଥାନା ଅଧିକାରୀ ପ୍ରକାଶ କୁମାର ସାହୁଙ୍କ ନିର୍ଦ୍ଦେଶ କ୍ରମେ ଏଏସ୍ଆଇ ବିଶ୍ଵନାଥ ମଲ୍ଲିକ ଘଟଣାସ୍ଥଳରେ ପହଞ୍ଚି ପର୍ଶୁରାମଙ୍କ ଶବକୁ ଜବତ କରିବା ସହ ବ୍ୟବଚ୍ଛେଦ କରାଇ ତାଙ୍କ ପରିବାରକୁ ହସ୍ତାନ୍ତର କରିଥିଲେ I ଏନେଇ 304/23 ରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଛନ୍ତି I ଦୁର୍ଘଟଣାଗ୍ରସ୍ତ ବୋଲେରୋଟିକୁ ଥାନାରେ ଅଟକ ରଖି ଜେରା କରାଯାଉଥିବା ପୋଲିସ୍ ପ୍ରକାଶ କରିଛି I