Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଗୋବରା chc ରେ 10 ବଦଳରେ ଜଣେ ଡାକ୍ତର ରେ ଚାଲିଛି ରୋଗୀସେବା,10 ବର୍ଷ ହେଲା ସବୁ ବିଷେସଂଜ୍ଞା ପଦବୀ ଖାଲି,

ବେଲଗୁଣ୍ଠା, 15/07, ମେଡ଼ିକାଲ୍ ପରିସର ବେଶ୍ ଚକାଚକ୍ I ମନକୁ ଶାନ୍ତି ଦେବା ପାଇଁ ମେଡ଼ିକାଲ୍ ପରିସର ଭିତରେ ମନ୍ଦିର ଏବଂ ସମୟ କାଟିବା ପାଇଁ ଅଛି ପାର୍କ୍ ର ବ୍ୟବସ୍ଥା I ତଥାପି ଏଠାରେ ରୋଗୀଙ୍କ ମନରେ ଶାନ୍ତି ନାହିଁଁ I ଉପଯୁକ୍ତ ସେବା ନପାଇ ନିରାଶରେ ଫେରିବା ସହ ପ୍ରାଣ ବିକଳରେ ଦୌଡୁଛନ୍ତି ଅନ୍ୟ ମେଡ଼ିକାଲ୍ ଭରଷାରେ I ଏହିଭଳି ଅଭାବନୀୟ ଅବସ୍ଥା ଦେଖିବାକୁ ମିଳିଛି ଗଞ୍ଜାମ ମାନଚିତ୍ରର ଏକ ସ୍ଵତନ୍ତ୍ର ସ୍ଥାନ ହାସଲ୍ କରିଥିବା ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ I ବେଲଗୁଣ୍ଠା ବ୍ଳକ୍ ର ଅନ୍ୟତମ ଜନବହୁଳ ଅଞ୍ଚଳ ହେଉଛି ଗୋବରା I ପାଖାପାଖି ଆଠଟି ପଂଚାୟତର କେନ୍ଦ୍ର ସ୍ଥଳରେ ରହିଛି ଏହି ଅଞ୍ଚଳ I ଏଠାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରେ ଏହି ଆଠଟି ପଂଚାୟତର 96 ଗ୍ରାମର ରୋଗୀ ନିର୍ଭର କରିଥାନ୍ତି I କିନ୍ତୁ ଦୀର୍ଘ ଦିନ ଧରି ଏହି ଡାକ୍ତରଖାନାରେ ଲାଗି ରହିଥିବା ଡ଼ାକ୍ତରୀ ସମସ୍ୟା ଯୋଗୁଁ ସ୍ଥାନୀୟ ରୋଗୀଙ୍କ ଅବସ୍ଥା କହିଲେ ନସରେ I ପ୍ରତିଦିନ ଏହି ସ୍ୱାସ୍ଥ୍ୟ କେନ୍ଦ୍ରକୁ 150 ରୁ 200 ଜଣ ରୋଗୀ ଆସୁଥିବା ବେଳେ ସେମାନଙ୍କ ଚିକିତ୍ସା ପାଇଁ ଆବଶ୍ୟକ ଡ଼ାକ୍ତର ନଥିବା ଯୋଗୁଁ ବହୁ ରୋଗୀ ଚିକିତ୍ସା ନପାଇ ନିରାଶରେ ଫେରିଯାଉଛନ୍ତି I ଏନେଇ ସ୍ଥାନୀୟ ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ଅଧୀକ୍ଷକ ଡ଼ାକ୍ତର ବାଲୁଙ୍କେଶ୍ଵର ଷଡଙ୍ଗୀଙ୍କ ପ୍ରତିକ୍ରିୟା ନେବାପରେ ସେ ଯାହା କହିଲେ ତାହା କେବଳ ଗୋବରା ନୁହେଁ ସମଗ୍ର ଗଂଜାମ ଜିଲ୍ଲାର ବିକଳ ସ୍ୱାସ୍ଥ୍ୟ ବ୍ୟବସ୍ଥାକୁ ପଦାରେ ପକାଇଦେଇଛି I ଡ଼ାକ୍ତର ଷଡ଼ଙ୍ଗୀ କହିବା ଅନୁସାରେ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶିଶୁ,ପ୍ରସୂତି, ଅସ୍ତ୍ରୋପଚାର, ଭେଷଜ ଭଳି ବିଭିନ୍ନ ବିଭାଗରେ ଦଶ ଜଣ ଡ଼ାକ୍ତର ରହିବା ବଦଳରେ ସେଠାରେ ନିଜେ ଡ଼ାକ୍ତର ଷଡ଼ଙ୍ଗୀ ଏକୁଟିଆ ମେଡ଼ିକାଲ୍ ଦାୟିତ୍ୱରେ ଅଛନ୍ତି I ଦୁଃଖର ବିଷୟ 10 ବର୍ଷ ହେଲା ଜଣେ ହେଲେ ବିଷେସଂଜ୍ଞା ଏଠାରେ ନିଯୁକ୍ତି ପାଇନାହାଜ଼ନ୍ତି ।ଏହା ସହିତ ଡାକ୍ତର ଷଡଙ୍ଗୀ ଗୋବରା ଗୋଷ୍ଠୀ ସ୍ଵାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ, ବେଲଗୁଣ୍ଠା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ଏବଂ ବେଲଗୁଣ୍ଠା ବ୍ଳକ୍ ର ଜନସ୍ୱାସ୍ଥ୍ୟ ଅଫିସର ଭାବେ ତିନୋଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଛନ୍ତି I ଜଣେ ଲୋକ ତିନଟି ଗୁରୁତ୍ୱପୂର୍ଣ୍ଣ ପଦବୀରେ ରହିଥିବାରୁ ରୋଗୀ ଦେଖିବା ତାଙ୍କପାଇଁ କଷ୍ଟକର ବ୍ଯାପାର ହୋଇପଡ଼ିଛି I ଏହି ସମସ୍ୟା କେବଳ ଦିନେ ଦୁଇଦିନର ନୁହେଁ, ଏହା ଦୀର୍ଘ ଦିନଧରି ଚାଲିଛି I ଡ଼ାକ୍ତର ଷଡଙ୍ଗୀଙ୍କ କହିବା ପ୍ରକାରେ ସେ ଏଠାରେ ନିଯୁକ୍ତି ପାଇବା ପରଠାରୁ କେବେ ମଧ୍ୟ ଏଠାରେ ଚାରି ଜଣରୁ ଅଧିକ ଡ଼ାକ୍ତର ଥିବା ଜାଣିନାହାନ୍ତି I ଏବେ ପୁଣି ଏକୁଟିଆ ତାଙ୍କୁ ସମସ୍ତ ଦାୟିତ୍ୱ ସମ୍ଭାଳିବାକୁ ପଡୁଥିବାରୁ ସେ ଅସହାୟ ହୋଇପଡିଛନ୍ତି I କେବଳ ଡାକ୍ତର କଥା ନୁହେଁ, ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଅନ୍ୟ କର୍ମଚାରୀଙ୍କ ଅଭାବ ମଧ୍ୟା ରୋଗୀଙ୍କ ଦୂର୍ଦ୍ଦଶା ବଢାଇଦେଇଛି I ଏଠାରେ ଛଅ ଜଣ ନର୍ସିଙ୍ଗ କର୍ମଚାରୀ ଥିବା ବେଳେ ସେଥିରୁ ତିନି ଜଣ ନର୍ସିଙ୍ଗ କର୍ମଚାରୀ ଡ଼େପୁଟେସନ୍ ରେ ଅନ୍ୟ ମେଡ଼ିକାଲ୍ ରେ ଯାଇ କାର୍ଯ୍ୟକରିବା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି I ସେହିଭଳି ଦୁଇ ଜଣ ଫାର୍ମାସିଷ୍ଟଙ୍କ ବଦଳରେ ଜଣେ ମାତ୍ର ଫାର୍ମାସିଷ୍ଟ ଏଠାରେ କାର୍ଯ୍ୟକରୁଛନ୍ତି I ସ୍ୱାସ୍ଥ୍ୟକେନ୍ଦ୍ରରେ 24 ଘଣ୍ଟିଆ ସେବା ପାଇବା ରୋଗୀଙ୍କ ପାଇଁ ସ୍ଵପ୍ନ ପାଲଟିଛି I ବର୍ତ୍ତମାନ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ଯିଏ ଆସୁଛି, ଡ଼ାକ୍ତର ଅଭାବ ଯୋଗୁଁ ତାକୁ ପ୍ରାଥମିକ ଚିକିତ୍ସା ମିଳିବା କଷ୍ଟକର ହେଊଛି I ଜରୁରୀ ଆବଶ୍ୟକତା ଥିବା ରୋଗୀ ଏଠାକୁ ଆସିବା ହିଁ ନିଜର ବୋକାମୀ ବୋଲି ଭାବୁଛନ୍ତି I ବହୁ ସମୟରେ ରୋଗୀ ବାଧ୍ୟ ହୋଇ ଏଠାରୁ 13 କିଲୋମିଟର୍ ଦୂର ଭଞ୍ଜନଗର ଉପଖଣ୍ଡ ମେଡ଼ିକାଲ୍ କୁ ଯିବାକୁ ବାଧ୍ୟ ହେଉଛନ୍ତି I ଫଳରେ ରୋଗୀଙ୍କ ଅବସ୍ଥା ବେହାଲ ହୋଇପଡ଼ୁଛି, ଏପିରିକି ପ୍ରାଥମିକ ଚିକିତ୍ସା ଅଭାବରୁ ରାସ୍ତାରେ ରୋଗୀର ଜୀବନ ଚାଲି ଯିବାଟା ଅସମ୍ଭବ ନୁହେଁ I ଏନେଇ ସ୍ୱାସ୍ଥ୍ୟକେନ୍ଦ୍ର ଅଧୀକ୍ଷକ ବାରମ୍ବାର ଉଚ୍ଚ କର୍ତ୍ତୃପକ୍ଷଙ୍କୁ ଜଣାଇଥିଲେ ମଧ୍ୟ ଉଚ୍ଚ କର୍ତ୍ତୁପକ୍ଷ ଡାକ୍ତରୀ ପଦବୀ ପୂରଣ ଦିଗରେ କୌଣସି ପଦକ୍ଷେପ ଗ୍ରହଣ ସାରିବାପାଇଁ ଉଚିତ୍ ମନେ କରିନାହାଁନ୍ତି I ଅନ୍ୟପଟେ ସରକାର ଉତ୍ତମ ସ୍ୱାସ୍ଥ୍ୟ ବ୍ୟବସ୍ଥାର ଡିଣ୍ଡିମ ପିଟି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ କାୟାକଳ୍ପ ପୁରସ୍କାର ପ୍ରଦାନ କରିଛନ୍ତି I ଏପରିକି ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଏକ ପାର୍କ୍ ଏବଂ ଧ୍ଵନ୍ଵନ୍ତରୀ ଦେବଙ୍କ ମନ୍ଦିର ରହିଛି I କିନ୍ତୁ ସ୍ୱାସ୍ଥ୍ୟକେନ୍ଦ୍ରର ମୂଳ ସମ୍ବଳ ଡ଼ାକ୍ତର ଅଭାବ ଘଟଣା ଜନସାଧାରଣଙ୍କୁ ଗଭୀର ଆଘାତ ଦେଇଛି I ଡ଼ାକ୍ତର ଅଭାବ ଯୋଗୁଁ ଦିନକୁ ଦିନ ଗୋବରା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଉପରୁ ଲୋକଙ୍କ ଭରସା ତୁଟୁ ଥିବା ବେଳେ ରୋଗୀ ଏବଂ ରୋଗୀଙ୍କ ମନରେ ଅସନ୍ତୋଷ ଦାନା ବାନ୍ଧୁଛି I ସ୍ଥାନୀୟ ଜନସାଧାରଣ ଏବଂ ଜନପ୍ରତିନିଧି ତୁରନ୍ତ ଏହି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ସମସ୍ୟା ଦୂରକରି ଆବଶ୍ୟକ ଡ଼ାକ୍ତର ନିଯୁକ୍ତି ପାଇଁ ସରକାରଙ୍କୁ ଅନୁରୋଧ କରିଛନ୍ତି, ଅନ୍ୟଥା ଆଗାମୀ ଦିନରେ ଏକ ସ୍ୱାସ୍ଥ୍ୟ ସେବାକୁ ସଜାଡ଼ିବାକୁ ଅଞ୍ଚଳରେ ଏକ ବିରାଟ ଜନ ଆନ୍ଦୋଳନ ମୁଣ୍ଡ ଟେକିବା ନିଶ୍ଚିତ ବୋଲି ବହୁ ଜନପ୍ରତିନିଧି ପ୍ରକାଶ କରିଛନ୍ତି I