Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ବିଜେପିର ହିନ୍ଦୁତ୍ବ ବନାମ ବିଜେଡ଼ିର ମନ୍ଦିର ରୁପାନ୍ତରଣ

ଧର୍ମଗଡ଼,ତା ୧୬/୭(ଲକ୍ଷ ଜ୍ୟୋତି ଜାଲ)- ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇନାହିଁ। କିନ୍ତୁ ନିର୍ବାଚନ ମାହୋଲ ସୃଷ୍ଟି ହେଲାଣି। ସମସ୍ତ ରାଜନୈତିକ ଦଳ ଆଗାମୀ ସାଧାରଣ ନିର୍ବାଚନ ପାଇଁ ନିଜକୁ ପ୍ରସ୍ତୁତ କରୁଛନ୍ତି। ବିଜେପି ପୁଣିଥରେ ମୋଦିଙ୍କ ଚେହେରା ଓ ହିନ୍ଦୁତ୍ଵକୁ ନେଇ ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହେବ । ବିଜେପିର ଏହି ରଣକୌଶଳ ବିଗତ କିଛି ରାଜ୍ୟର ନିର୍ବାଚନରେ ମିଶ୍ରିତ ଫଳ ପ୍ରଦାନ କରିଛି। ଓଡ଼ିଶା ମଧ୍ୟ ବିଜେପି ପାଇଁ ହିନ୍ଦୁତ୍ଵର ପ୍ରୟୋଗାଶାଳା ସାଜିଛି। ବିଗତ କିଛି ବର୍ଷ ହେବ ଗୋ ରକ୍ଷା ନାଁ ରେ ହେଉ ଅବା ଧର୍ମାନ୍ତରୀକରଣ ନାଁ ରେ ହେଉ ବିଜେପି ତା’ର ହିନ୍ଦୁତ୍ଵବାଦୀ ଚେହେରାକୁ ଉଜ୍ଜୀବିତ ରଖିଛି। ଅନେକ ସମୟରେ ଏହାକୁ ନେଇ ଉଗ୍ରତା ମଧ୍ୟ ପ୍ରଦର୍ଶିତ ହୋଇଛି। କିନ୍ତୁ ବାକି ରାଜ୍ୟ ଭଳି ଓଡ଼ିଶାରେ ଉଗ୍ରତାରୁ ସେଭଳି କିଛି ଲାଭ ମିଳିନି। ବରଂ ଓଡ଼ିଶା ଭଳି ଏକ ଶାନ୍ତିପ୍ରିୟ ରାଜ୍ୟରେ ଲୋକେ ଉଗ୍ର ହିନ୍ଦୁତ୍ଵକୁ ଅଣଦେଖା କରିଛନ୍ତି। ଅନେକ ପ୍ରସଙ୍ଗରେ ହିନ୍ଦୁ ମୁସଲମାନର ରଙ୍ଗ ଦେବାକୁ ମଧ୍ୟ ପ୍ରୟାସ ହୋଇଛି। ପରିସ୍ଥିତି ଦେଖି ବିଜେପି ମଧ୍ୟ ତା’ର ରଣକୌଶଳରେ ପରିବର୍ତ୍ତନ କରି ହିନ୍ଦୁତ୍ଵ ସହ ବିକାଶକୁ ପ୍ରସଙ୍ଗ କରିଛି। ଏବେ ଘର ଘର ବୁଲି ବିଜେପି ନେତା କର୍ମୀ ଗତ ୯ବର୍ଷର ହିସାବ ଦେଉଛନ୍ତି। ସରକାରଙ୍କ ବିଭିନ୍ନ ଉନ୍ନୟନମୂଳକ ଯୋଜନାର ହିସାବ ଦେବା ସହ ସରକାର ଲୋକଙ୍କ ବିକାଶ ପାଇଁ ପ୍ରତିବଦ୍ଧ ବୋଲି କହୁଛନ୍ତି। ତେବେ ସମୟ ବଦଳୁଛି।ସମୟ ସହ ତାଳ ଦେଇ ଲୋକଙ୍କ ମାନସିକତା ମଧ୍ୟ ବଦଳୁଛି। ସୋସିଆଲ ମିଡିଆ ଖୋଲିଲେ ମନେ ହେଉଛି ରାଜ୍ୟରେ ଧିରେ ଧିରେ ହିନ୍ଦୁତ୍ଵ ପ୍ରତି ସମର୍ଥନ ବଢୁଥିବା ବେଳେ ନବୀନଙ୍କ ଦୀର୍ଘ ବର୍ଷର ଶାସନ ପରେ ଲୋକଙ୍କ ମଧ୍ୟରେ ବର୍ତମାନର ଶାସନ ବ୍ୟବସ୍ଥା ପ୍ରତି କିଛି ପରିମାଣରେ ଅସନ୍ତୋଷ ଦେଖିବାକୁ ମିଳିଛି। ତେବେ ବିଜେପିର ଏହି ହିନ୍ଦୁତ୍ଵକୁ ଚେକମେଟ ଦେବାକୁ ବିଜେଡି ଅଭିନବ ଉପାୟ କରିଛି। ବିଜେପିର ଉଗ୍ର ହିନ୍ଦୁତ୍ଵ ଜାଲରେ ନପଡ଼ି ନିଜ ଧର୍ମନିରପେକ୍ଷ ଚେହେରା ବଜାୟ ରଖିବାକୁ ବିଜେଡି ମନ୍ଦିର ରୁପାନ୍ତରଣ କାମ ହାତକୁ ନେଇଛି। ଏଥିପାଇଁ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ବ୍ୟୟ ବରାଦ ହେଉଛି। ଲୋକଙ୍କ ଭାବାବେଗ ସହ ଜଡ଼ିତ ସ୍ଥାନୀୟ ଅଞ୍ଚଳର ପ୍ରସିଦ୍ଧ ଶୈବପୀଠ ସହ ଆରାଧ୍ୟ ଦେବୀ ପୀଠ ମାନଙ୍କର ରୁପାନ୍ତରଣ ସୌନ୍ଦର୍ଯ୍ୟକରଣ ପାଇଁ ଏହି ଅନୁଦାନ ରାଶି ବର୍ଷା ହେଉଛି। କେବଳ କଳାହାଣ୍ଡି ଜିଲ୍ଲାରେ ୧୮୭ଟି ଶୈବପୀଠ ଓ ଶକ୍ତିପୀଠ ପାଇଁ ପ୍ରାୟ ୨୩୬୪ଲକ୍ଷ ଟଙ୍କା ଅନୁଦାନ ଅନୁମୋଦନ କରିଛନ୍ତି। ମୁଖ୍ୟମନ୍ତ୍ରୀ ସ୍ଵତନ୍ତ୍ର ସହାୟତା ଯୋଜନାରେ ଏହି ପ୍ରକଳ୍ପ ଗୁଡିକୁ ସାମିଲ କରାଯାଇଛି। ଏଥିରେ ଜାତି ସମାଜ ଭବନ ନିର୍ମାଣ ପାଇଁ ମଧ୍ୟ ୧୦/୧୨ଟି ପ୍ରକଳ୍ପ ଅନୁମୋଦିତ ରହିଛି। କେବଳ ଶୈବପୀଠ କିମ୍ବା ଶକ୍ତିପୀଠ ନୁହେଁ କବ୍ରସ୍ଥାନ ଓ ମସଜିଦ ରୁପାନ୍ତରଣ ମଧ୍ୟ ବ୍ୟୟ ବରାଦ ହୋଇଛି। ଖୋଦ ୫-ଟି ସଚିବ ବିଭିନ୍ନ ଜିଲ୍ଲା ଗସ୍ତ କରି ଏହି ସବୁ ଘୋଷଣା ଓ ସୁଚନା ପ୍ରଦାନ କରୁଛନ୍ତି। ମୋଟାମୋଟି କହିବାକୁ ଗଲେ ନବୀନ ସରକାର ବିଜେପିକୁ ଚେକମେଟ ରାଜ୍ୟ ରାଜକୋଷ ଖୋଲି ଦେଇଛନ୍ତି। ଧର୍ମ ଓ ଆସ୍ଥାକୁ ନେଇ ବଞ୍ଚୁଥିବା ମଣିଷ ପଥରକୁ ମଧ୍ୟ ବିଶ୍ଵାସ କରେ। ପରମ୍ପରା ପ୍ରକୃତିକୁ ନେଇ ବଞ୍ଚୁଥିବା ମଣିଷ ଗାଁ ରେ ବି ଅନେକ ଦେବାଦେବୀଙ୍କୁ ଉପାସନା କରେ । ବିଭିନ୍ନ ଶୈବ ଓ ଶକ୍ତିପୀଠକୁ ଅନୁଦାନ ପରେ ଗାଁରେ ଯେମିତି ସରକାରଙ୍କ ପ୍ରତି ଏକ ନକାରାତ୍ମକ ଭାବନା ସୃଷ୍ଟି ନହୁଏ ସେଥିପ୍ରତି ପଞ୍ଚାୟତମାନଙ୍କୁ ମଧ୍ୟ ୫୦ ଲକ୍ଷ ଟଙ୍କା ପ୍ରଦାନ କରାଯାଇଛି। ଏହି ୫୦ଲକ୍ଷ ଟଙ୍କା ମଧ୍ୟରୁ ୧୦ଲକ୍ଷ ଟଙ୍କା ଗାଁ ର ବିଭିନ୍ନ ଦେବୀପୀଠ ଓ ମନ୍ଦିରର ରୁପାନ୍ତରଣ ଓ ସୌନ୍ଦର୍ଯ୍ୟକରଣ ପାଇଁ ଖର୍ଚ୍ଚ ହେବ। ବାକି ଟଙ୍କା ଲାଇବ୍ରେରୀ , ଡିଜିଟାଲ ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବା ବ୍ୟବସ୍ଥା ରହିଛି। ତେବେ ଦେଖିବାକୁ ରହିଲା କିଏ କେତେ ସଫଳତା ହାସଲ କରୁଛି।