ସୋନପୁର: ସାଧାରଣ ନିର୍ବାଚନକୁ ଆଉ ଗୋଟିଏ ବର୍ଷରୁ କମ ସମୟ ବାକି ରହିଛି। ରାଜ୍ୟର ସମସ୍ତ ରାଜନୈତିକ ଦଳ ପ୍ରାକ ନିର୍ବାଚନୀ ପ୍ରସ୍ତୁତିରେ ଲାଗି ଗଲେଣି। ଲୋକସଭା ଏବଂ ବିଧାନସଭା ଆସନରେ ନିର୍ବାଚନ ଲଢିବା ପାଇଁ ପ୍ରତି ଦଳରେ ଆଶାୟୀଙ୍କ ଲମ୍ବା ଲାଇନ ରହିଛି। ବିଶେଷ କରି ଶାସକ ବିଜେଡି ଦଳ କେଉଁ ଆସନୁ କାହାକୁ ପ୍ରାର୍ଥୀ କରିବ ସେ ନେଇ ଅଙ୍କକଷା ଆରମ୍ଭ କରି ଦେଲାଣି। କାରଣ ଅନେକ ଆସନରେ ବିଦ୍ରୋହ ଦେଖା ଦେଲାଣି. ଏହି କ୍ରମରେ ପଶ୍ଚିମ ଓଡ଼ିଶାର ସୁବର୍ଣ୍ଣଜିଲ୍ଲାର ବୀରମହାରାଜପୁର ନିର୍ବାଚନୀ ମଣ୍ଡଳୀ ଏକ ପ୍ରମୁଖ ଆସନ। ଦୀର୍ଘ ଦୁଇ ଦଶନ୍ଧି ଧରି ରାଜ୍ୟରେ କ୍ଷମତାସୀନ ବିଜୁ ଜନତା ଦଳ କବଜାରେ ରହିଛି ଏହି ନିର୍ବାଚନୀ ମଣ୍ଡଳୀ। ଏଠାରେ ବିଜେଡିର ପ୍ରମୁଖ ବିରୋଧୀ ଦଳ ହେଉଛି ବିଜେପି। କିନ୍ତୁ କଂଗ୍ରେସ ମଧ୍ୟ ନିଜର ସଂଗଠନ ମଜବୁତ କରିବାରେ ଲାଗିଛି। ହେଲେ ବିଜେଡିକୁ ଏଠାରେ ଦଳୀୟ ନେତାଙ୍କ ବିଦ୍ରୋହର ସମ୍ମୁଖୀନ ସମ୍ଭାବନାକୁ ଏଡ଼ାଇ ଦିଆଯାଇ ନ ପାରେ।
ଦଳର ବରିଷ୍ଠ ନେତା ପଦ୍ମନାଭ ବେହେରା ୨୦୦୯, ୨୦୧୪ ଓ ୨୦୧୯ ନିର୍ବାଚନରେ ଏଠାରୁ ଜିତି ଆସୁଛନ୍ତି। ୨୦୧୯ରେ ବିଜୟୀ ହୋଇ ପରିବହନ, ଯୋଜନା ଓ ସମନ୍ୱୟ ମନ୍ତ୍ରୀ ହୋଇଥିଲେ ପଦ୍ମନାଭ। ପୂର୍ବରୁ ସେ ଫୁଲବାଣୀ ଲୋକସଭା ଆସନରୁ ଦୁଇଥର ସାଂସଦ ଓ ବିଧାୟକ ହୋଇ ମନ୍ତ୍ରୀ ମଧ୍ୟ ହୋଇଥିଲେ । ଏଠାକାର ରାଜନୀତି ପାଣିପାଗ ଏବଂ ଦୁଇ ପ୍ରମୁଖ ବିରୋଧୀ ବିଜେପି ଓ କଂଗ୍ରେସ ସ୍ଥିତିକୁ ଦେଖିଲେ ଆଗାମୀ ବିଧାନସଭା ନିର୍ବାଚନରେ ପଦ୍ମନାଭଙ୍କ ବିଜୟ ସେତେଟା ସହଜ ହେବ ନାହିଁ। ସେପଟେ ଦଳୀୟ କନ୍ଦଳ ପଦ୍ମନାଭଙ୍କ ପାଇଁ ଅଡ଼ୁଆ ପରିସ୍ଥିତି ସୃଷ୍ଟି କରିପାରେ। ତାଙ୍କ ରାସ୍ତାରେ କଣ୍ଟା ସାଜିଛନ୍ତି ବିଜେଡିର ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା । ବୀରମହାରାଜପୁର, ଉଲୁଣ୍ଡା ଏବଂ ବିନିକା ବ୍ଲକ୍ର ବିଭିନ୍ନ ଅଞ୍ଚଳରେ ନାରାୟଣ ସମାନ୍ତରାଳ ସଂଗଠନ କରୁଛନ୍ତି । ସେ ବିଦ୍ରୋହୀ ପ୍ରାର୍ଥୀ ହେଲେ ବିଜେଡିକୁ ଅଡୁଆରେ ପକାଇବେ । ତେଣୁ ପଦ୍ମନାଭ ଦଳୀୟ କନ୍ଦଳ ଏଡ଼ାଇବାକୁ ପ୍ରୟାସ ଚଲାଇଛନ୍ତି।
ସୂଚନାଯୋଗ୍ୟ, ୨୦୧୯ରେ ପଦ୍ମନାଭ ୬୫,୦୪୬ ଭୋଟ ପାଇଁ ବିଜୟଲାଭ କରିଥିଲେ। ବିଜେପି ପ୍ରାର୍ଥୀ ରଘୁନାଥ ଜଗଦଲା ୫୧,୯୨୦ ଓ କଂଗ୍ରେସ ପ୍ରାର୍ଥୀ ବିନୋଦ ପାତ୍ର ୪୦, ୬୪୯ ଖଣ୍ଡ ଭୋଟ ପାଇଥିଲେ । ଏହିପରି ୨୦୧୪ ତୁଳନାରେ ୨୦୧୯ ନିର୍ବାଚନରେ ବିଜେପି ଓ କଂଗ୍ରେସର ଭୋଟହାର ବଢିଥିଲା । ତେବେ ଉଲ୍ଲେଖନୀୟ କଥା ସୁବର୍ଣ୍ଣପୁରରେ କଂଗ୍ରେସର ସ୍ଥିତି ଖରାପ ଥାଇ ବି ବିନୋଦ ପାତ୍ର ନିଜସ୍ଵ ନେତୃତ୍ଵ ଏବଂ ସଂଗଠନ ବଳରେ ୪୦ ହଜାରରୁ ଉର୍ଦ୍ଧ୍ଵ ଭୋଟ୍ ପାଇବାରେ ସଫଳ ହୋଇଥିଲେ। ଏହି ଚାରି ବର୍ଷ ମଧ୍ୟରେ ସେ ତୃଣମୂଳସ୍ତରରେ ବୁଲି ନିଜର ସଂଗଠନ ମଜବୁତ କରିବାରେ ଲାଗି ପଡ଼ିଛନ୍ତି। ଯଦି ଏଥର ତାଙ୍କୁ କଂଗ୍ରେସ ଦଳ ଟିକେଟ୍ ଦିଏ ତେବେ ବିନୋଦ ନିର୍ବାଚନ ଜିତିବାର ସମ୍ଭାବନା ରହିଛି। ଏମିତି ହେଲେ ପଦ୍ମନାଭ ବେହେରାଙ୍କ ଚତୁର୍ଥ ପାଳି ବିଜୟ ଲାଭ କରିବା କଷ୍ଟକର ହୋଇପାରେ।
ଯଦି ଗତ ପଞ୍ଚାୟତ ନିର୍ବାଚନର ଫଳାଫଳ ଉପରେ ନଜର ପକାଇବା ତେବେ ବିଜେଡିର ପ୍ରଦର୍ଶନ ଦମଦାର ରହିଛି। ଦଳ ଜିଲ୍ଲା ପରିଷଦ ଅଧ୍ୟକ୍ଷ ଆସନ ହାତେଇବା ସହିତ ପୌର ନିର୍ବାଚନରେ ବିନିକା ଓ ତରଭା ଏନଏସି ଦଖଲ କରିଥିଲା। ବୀରମହାରଜପୁର ବ୍ଲକର ୨ଟି ଜିଲ୍ଲା ପରିଷଦ ଜୋନରୁ ଗୋଟିଏ କଂଗ୍ରେସ କବଜାରେ ଥିବା ବେଳେ ଅନ୍ୟଟି ବିଜେଡି କବ୍ଜାରେ ରହିଛି । ବିନିକା ବ୍ଲକରେ ମଧ୍ୟ ୨ଟି ଜିଲ୍ଲା ପରିଷଦ ଜୋନରୁ ଗୋଟିଏ ବିଜେପି ଦଖଲରେ ରହିଛି । ସେହିପରି ଉଲୁଣ୍ଡା ବ୍ଲକର ଦୁଇଟି ଯାକ ଜିଲ୍ଲା ପରିଷଦ ଜୋନ ବିଜେଡି ଦଖଲରେ ରହିଛି । ୨୦୧୪ ନିର୍ବାଚନ ପରେ ୨୦୧୯ରେ ବିରୋଧୀ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ବଦଳାଇ ଥିଲେ ମଧ୍ୟ ସଫଳତା ପାଇପାରିନଥିଲେ । କିନ୍ତୁ ଦଳର ଭୋଟ ହାର ବଢିଥିଲା। ଆଗାମୀ ଦିନରେ ବିଜେଡିରୁ ବିଦ୍ରୋହ ପ୍ରାର୍ଥୀ ଲଢ଼ିଲେ ବିଜେପି ଓ କଂଗ୍ରେସ ଫାଇଦାରେ ରହିବେ ବୋଲି ଚର୍ଚ୍ଚା ହେଉଛି । ଦେଖିବାକୁ ବାକି ରହିଲା ପଦ୍ମନାଭ ବେହେରାଙ୍କ ପାଇଁ କିଏ ମୁସ୍କିଲ ପରିସ୍ଥିତି ସୃଷ୍ଟି କରୁଛନ୍ତି ଦଳୀୟ ନେତା ନା ବିରୋଧୀ ପାର୍ଟି।