Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗାଙ୍ଗପୁର ପୋଲିସ ର ସଫଳତା 4 ଦିନ ଭିତରେ ପ୍ରବାସୀ ଓଡ଼ିଆଙ୍କ ଫେରାଇଲା ଲୁଟ ଟଙ୍କା ଓ ସାମଗ୍ରୀ

ବେଲଗୁଣ୍ଠା, 23/07, ଗାଙ୍ଗପୁର ପୋଲିସ୍ କୁ ମିଳିଛି ବଡ଼ ସଫଳତା I ମାତ୍ର ଚାରିଦିନ ମଧ୍ୟରେ ଲୁଟ୍ ହୋଇଥିବା ଲକ୍ଷାଧିକ ଟଙ୍କା ଏବଂ ଗୁରୁତ୍ୱପୂର୍ଣ୍ଣ ସାମଗ୍ରୀ ଜବତ କରିବା ସହ ଲୁଟ୍ ର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଫେରାଇ ଜନସାଧାରଣଙ୍କ ଭରସା ଜିତି ପାରିଛି I ଏହା ସହ ମାତ୍ର ଚାରିଦିନ ଭିତରେ ସମସ୍ତ ଲୁଟେରାଙ୍କୁ କାବୁ କରି ଅଞ୍ଚଳର ଅସାମାଜିକ ବ୍ୟକ୍ତିଙ୍କ ହୃଦ୍ ସ୍ପନ୍ଦନ ବଢାଇ ଦେଇଛି ଗାଙ୍ଗପୁର ପୋଲିସ୍ I ଗତ ଶନିବାର ଦିନ ବିଦେଶରୁ ଗାଙ୍ଗପୁର ଥାନା କେନ୍ଦୁପଦର ଗ୍ରାମର ଦିଲ୍ଲୀପ ପାତ୍ର ନାମକ ଜଣେବ୍ୟକ୍ତି ବିମାନ ଯୋଗେ ବିଶାଖାପାଟଣା ଆସି ସେଠାରୁ ରେଳ ଯୋଗେ ବ୍ରହ୍ମପୁର ଏବଂ ବ୍ରହ୍ମପୁରରୁ ବସ୍ ଯୋଗେ ଆସିକା ଆସି କିଛି କାମ ଥିବାରୁ ସେଠାରେ ଓହ୍ଲାଇଥିଲେ I ସେଠାରେ କlମ ସାରି ନିଜ ଗ୍ରାମ କେନ୍ଦୁପଦରକୁ ଆସିବା ପାଇଁ ସେ ବସ୍ କୁ ଅପେକ୍ଷା କରିଥିଲେ I ସେହି ସମୟରେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ସାଦରା ଗ୍ରାମର ଦୁଇଜଣ ଏବଂ ବାଲିସିରା ଗ୍ରାମର ଜଣେ ଯୁବକ ତାଙ୍କ କାର୍ ରେ ଦିଲ୍ଲୀପଙ୍କୁ ଲିଫ୍ଟ ଦେବାର ବାହାନା କରି ତାଙ୍କୁ ଡାକି ଆଣିଥିଲେ I କିନ୍ତୁ ଗାଡ଼ି କେନ୍ଦୁପଦର ଅତିକ୍ରମ କରିଯିବା ପରେ ନ ଅଟକିବାରୁ ଦିଲ୍ଲୀପ ପ୍ରତିବାଦ କରିଥିଲେ I କିନ୍ତୁ ସେମାନେ ଦିଲୀପଙ୍କୁ କେନ୍ଦୁପଦର ଠାରେ ନ ଓହ୍ଳାଇ ତାଙ୍କୁ ଜୋର୍ ଜବରଦସ୍ତ ଗାଙ୍ଗପୁର ନିକଟସ୍ଥ ଖଇରପୁଟି ଗ୍ରାମ ମାଆ ସିଦ୍ଧେଶ୍ଵରୀ ମନ୍ଦିର ରାସ୍ତାର ନିଛାଟିଆ ସ୍ଥାନକୁ ନେଇ ଆସି ସେଠାରୁ ତାଙ୍କୁ ମାଡ଼ ମାରିବା ସହ ତାଙ୍କ ପର୍ସରେ ଥିବା ପନ୍ଦର ହଜାର ଟଙ୍କା ଏବଂ ବ୍ୟାଗ୍ ରେ ଥିବା ଏକ ଲକ୍ଷ ଟଙ୍କା ନେଇଯିବା ସହ ଦିଲ୍ଲୀପଙ୍କ ଭିସା, ପାସପୋର୍ଟ, ବିଭିନ୍ନ ଦରକାରୀ କାଗଜପତ୍ର, ବ୍ୟାଗ୍, ସୁଟକେଶ୍ ସବୁ ଛଡ଼ାଇନେଇଥିଲେ I ଦିଲ୍ଲୀପ ସେଠାରେ ଅଚେତ୍ ଅବସ୍ଥାରେ ପଡ଼ି ରହିଥିଲେ I ସ୍ଥାନୀୟ ଦୁଇଜଣ ବ୍ୟକ୍ତି ଏହା ଜାଣି ଦିଲ୍ଲୀପଙ୍କ ଘରକୁ ଖବର ଦେବାପରେ ଦିଲ୍ଲୀପଙ୍କ ବାପା ଆସି ଗୁରୁତର ଅବସ୍ଥାରେ ଦିଲ୍ଲୀପଙ୍କୁ ଉଦ୍ଧାର କରିବା ସହିତ ରବିବାର ସକାଳେ ଗାଙ୍ଗପୁର ଥାନାରେ ଏତାଲା ଦେଇଥିଲେ I ପ୍ରଥମେ ପୋଲିସ୍ ଏହାକୁ ମିଛ ବୋଲି ଭାବିଥିବା ବେଳେ ପରବର୍ତ୍ତୀ ସମୟରେ ଗାଙ୍ଗପୁର ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ଏହାକୁ ଏକ ଚ୍ୟାଲେଞ୍ଜ୍ ଭାବେ ନେଇ , ଲୁଟ୍ ସମ୍ପର୍କରେ ସୁରାକ ମିଳିବା ପରେ ପ୍ରଥମେ ଗାଡିଟି ଚିହ୍ନଟ ହୋଇଥିଲା I ଗାଡ଼ିଟି ଗାଙ୍ଗପୁର ଥାନା ଅଞ୍ଚଳର ହୋଇଥିବାରୁ ପୋଲିସ୍ ପ୍ରଥମେ ଗାଙ୍ଗପୁର ଥାନା ଅନ୍ତର୍ଗତ ବଡ଼ ସାଦରା ଗ୍ରାମରେ ଚଢ଼ାଉ କରିଥିଲେ I ଚଢ଼ାଉ ସମୟରେ ପ୍ରଥମ କିସ୍ତିରେ ନଗଦ 39000 ଟଙ୍କା ଏବଂ କିଛି ସାମଗ୍ରୀ ମିଳିଥିଲା I ଘଟଣାରେ ସଂପୃକ୍ତ ବଡ଼ସାଦରା ଗ୍ରାମର ନାରାୟଣ ପ୍ରଧାନ ଏବଂ ପ୍ରତାପ ବିଷୋୟୀଙ୍କୁ କୋର୍ଟଚାଲାଣ କରାଯାଇଥିଲା I ପରବର୍ତ୍ତୀ ସମୟରେ ଘଟଣାରେ ସମ୍ପୃକ୍ତ ବାଲିସିରା ନିକଟସ୍ଥ ପଣିବନ୍ଧ ଗ୍ରାମର ରମେଶ ସ୍ଵାଇଁ ଏବଂ ନାରୟଣପ୍ରଧାନଙ୍କ ସ୍ତ୍ରୀ ଶାନ୍ତିଲତା ପ୍ରଧାନକୁ ଗିରଫ କରି ତା ନିକଟରୁ ପୋଲିସ୍ କିଛି ନଗଦ ଟଙ୍କା ଏବଂ ଲୁଟ୍ ସାମଗ୍ରୀ ଜବତ କରି ଉଭୟଙ୍କୁ କୋର୍ଟଚାଲାଣ କରିଥିଲା I ଦିଲ୍ଲୀପଙ୍କୁ ମରଣାନ୍ତକ ମାଡ଼ ହୋଇଥିବାରୁ ସେ ବ୍ରହ୍ମପୁର ମେଡ଼ିକାଲ୍ ରେ ଚିକିତ୍ସିତ ହେଉଥିଲେ I ଆଜି ଦିଲ୍ଲୀପ ସୁସ୍ଥ ହୋଇ ଫେରିବା ପରେ ନିଜ ବାପା ଏବଂ ମାଆ ଙ୍କ ସହିତ ଗାଙ୍ଗପୁର ଥାନାରେ ପହଞ୍ଚିବା ପରେ ଗାଙ୍ଗପୁର ପୋଲିସ୍ ଏକ ସାମ୍ବାଦିକ ସମ୍ମିଳନୀ କରି ଦିଲ୍ଲୀପଙ୍କୁ ଲୁଟ୍ ହୋଇଥିବା ଏକ ଲକ୍ଷ ପନ୍ଦର ହଜାର ଟଙ୍କା, ଭିସା, ପାସପୋର୍ଟ ଏବଂ ଅନ୍ୟାନ୍ୟ ସାମଗ୍ରୀ ହସ୍ତାନ୍ତର କରିଥିଲା I ଦିଲ୍ଲୀପ ଲୁଟ୍ ଟଙ୍କା ଏବଂ ସାମଗ୍ରୀ ଫେରି ପାଇବାର ଆଶା ଛାଡ଼ିଦେଇଥିବା ବେଳେ ପୋଲିସ୍ ମାତ୍ର ଚାରି ଦିନ ମଧ୍ୟରେ ସମସ୍ତ ଲୁଟ୍ ଟଙ୍କା ଏବଂ ସାମଗ୍ରୀ ଉଦ୍ଧାର କରି ଫେରାଇ ଦେଇଥିବାରୁ ଦିଲ୍ଲୀପ ଏବଂ ତାଙ୍କ ପରିବାର ସଦସ୍ୟ ଗଞ୍ଜାମ ପୋଲିସ୍ ଏବଂ ଗାଙ୍ଗପୁର ଥାନା ପୋଲିସ୍ କୁ କୃତଜ୍ଞତା ଜଣାଇବା ସହିତ କେହି ମଧ୍ଯ ଟଙ୍କା କିମ୍ବା ମୂଲ୍ୟବାନ୍ ସାମଗ୍ରୀ ଧରି କୌଣସି ଅଚିହ୍ନା ବ୍ୟକ୍ତିଙ୍କ ସହ ନଯିବା ପାଇଁ ସାମ୍ବାଦିକ ସମ୍ମିଳନୀରେ ଜଣସାଧାରଣଙ୍କୁ ପରାମର୍ଶ ଦେଇଥିଲେ I ଏହି ମାମଲାରେ 528/23 ରେ ମାମଲା ରୁଜୁ ହୋଇଥିବା ବେଳେ ସମସ୍ତ ଚାରି ଅଭିଯୁକ୍ତ କୋର୍ଟଚାଲାଣ ହୋଇଥିବା ଘଟଣାର ତଦନ୍ତକାରୀ ଅଫିସର୍ ଗାଙ୍ଗପୁର ଥାନା ଏସ ଆଇ ସୁବ୍ରଜିତ ସାମନ୍ତରାୟ ଓ ଥାନା ଅଧିକାରୀ ଶୁଭେନ୍ଦୁ କୁମାର ସାହୁ ସୂଚନା ଦେଇଛନ୍ତି I

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ