ଉଲୁଣ୍ଡା ବ୍ଲକ ତଲେଣ୍ଡା ଗ୍ରାମ ରେ ମେଗା ସ୍ୱାସ୍ଥ୍ୟ ଶିବିର ଆୟୋଜିତ ; ହଜାରେ ରୁ ଉର୍ଦ୍ଧ୍ବ ରୋଗୀଙ୍କ ମାଗଣାରେ ଚିକିତ୍ସା


ବୀରମହାରାଜପୁର : କଟକ ସାମନ୍ତସାହି କେନାଲ ରୋଡ୍ ସ୍ଥିତ ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ପକ୍ଷରୁ ୪୭ ତମ ମେଗା ସ୍ୱାସ୍ଥ୍ୟ ଶିବିର ରବିବାର ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ନିମ୍ନା ପଞ୍ଚୟତ ତେଲେଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରକୁ ମିଳିତ ଭାବରେ ପୂର୍ବତନ ମନ୍ତ୍ରୀ ତଥା ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଓ ସମ୍ବଲପୁର ପୂର୍ବତନ ସାଂସଦ ଭବାନୀ ଶଙ୍କର ହୋତା , ସୁବର୍ଣ୍ଣପୁର ଜିଲ୍ଲାପାଳ ବିମଳେନ୍ଦୁ ରାୟ ପ୍ରମୁଖ ଯୋଗ ଦେଇ ଉଦ୍‌ଘାଟନ କରିଥିଲେ । ଟ୍ରଷ୍ଟର ମୁଖ୍ୟ ପରାମର୍ଶ ଦାତା ଓଡ଼ିଶା ସ୍ୱାସ୍ଥ୍ୟ ବିଜ୍ଞାନ ବିଶ୍ୱ ବିଦ୍ୟାଳୟର କୂଳପତି ପ୍ରଫେସର ଦତ୍ତେଶ୍ୱର ହୋତା , ଟ୍ରଷ୍ଟର ଅଧ୍ୟକ୍ଷ ଗୋଧନେଶ୍ୱର ହୋତା ଓ ସଂପାଦକ ରାଜେଶ୍ୱର ହୋତା ପ୍ରମୁଖ ଉପସ୍ଥିତ ଥିଲେ । କାର୍ଯ୍ୟକ୍ରମରେ ବୀରମହାରାଜପୁର ଉପଜିଲ୍ଲାପାଳ ଅଶୋକ କୁମାର ଭୋଇ ଉଲ୍ଲୁଣ୍ଡା ବିଡିଓ , ସୋନପୁରର ବହୁ ପ୍ରଶାସନିକ ଅଧିକାରୀ ପ୍ରମୁଖ ମଧ୍ୟ ଉପସ୍ଥିତ ରହି ଥିଲେ I ବିଭିନ୍ନ ବିଭାଗର କଟକ , ସମ୍ବଲପୁର , ବୁର୍ଲା , ବଲାଙ୍ଗୀର , ସୋନପୁରର ୧୯ଜଣ ସ୍ପେଶାଲିଷ୍ଟ ଓ ସୁପରସ୍ପେଶାଲିଷ୍ଟ ଡାକ୍ତର ଉପସ୍ଥିତ ରହି ଶିବିରରେ ୧୧୨୩ ରୁ ଉର୍ଦ୍ଧ୍ୱ ରୋଗୀଙ୍କ ଚିକିତ୍ସା କରିଥିଲେ । ଏଥିସହ ରୋଗୀମାନଙ୍କର ବିଭିନ୍ନ ରକ୍ତ ନମୂନା ଓ ଫୁସ୍‌ଫୁସ୍ ଫଙ୍କସନ୍ ପରୀକ୍ଷା କରାଯିବା ସହ ଇସିଜି ଟେଷ୍ଟ ମଧ୍ୟ କରାଯାଇଥିଲା । ରୋଗୀମାନଙ୍କ ଚକ୍ଷୁ ପରୀକ୍ଷା କରାଯାଇ ୧୫୬ ଜଣଙ୍କୁ ମାଗଣାରେ ଚଷମା ଦିଆଯାଇଥିଲା । ସମସ୍ତ ରୋଗୀଙ୍କୁ ମାଗଣାରେ ଔଷଧ ଓ ଖାଦ୍ୟ ପ୍ରଦାନ କରାଯାଇଥିଲା । ଏହି ୪୭ ତମ ମେଗା ସ୍ୱାସ୍ଥ୍ୟସେବା ଶିବିର ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଦତ୍ତେଶ୍ୱର ହୋତା , ଅଧ୍ୟକ୍ଷ ଗୋଧନେଶ୍ୱର ହୋତା ଓ ସମ୍ପାଦକ ରାଜେଶ୍ୱର ହୋତା ଏବଂ ପଞ୍ଚାୟତର ଅନ୍ୟ ସହଯୋଗୀ ପ୍ରମୁଖ ଉପସ୍ଥିତ ରହି ପରିଚାଳନା ରେ ସହଯୋଗ କରିଥିଲେ l
ଚିତ୍ତଜ୍ଞାନୀ ଚାରିଟେବୁଲ୍ ଟ୍ରଷ୍ଟ ଏହିପରି ମେଗା ସ୍ୱାସ୍ଥ୍ୟସେବା ଶିବିର ରାଜ୍ୟର ବିଭିନ୍ନ ଦୁର୍ଗମ ଓ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳରେ ୨୦୦୪ରୁ ଆୟୋଜନ କରି ଆସୁଛି । ଅନୁନ୍ନତ ଓ ଦୁର୍ଗମ ଅଞ୍ଚଳରେ ଉନ୍ନତମାନର ସ୍ୱାସ୍ଥ୍ୟ ସେବାରୁ ବଞ୍ଚିତ ରହୁଥିବା ଲୋକମାନଙ୍କୁ ମାଗଣା ସ୍ୱାସ୍ଥ୍ୟ ସେବା ଯୋଗାଇଦେବା ଏହାର ଲକ୍ଷ୍ୟ ବୋଲି ଡ଼କ୍ଟର ଦତ୍ତ୍ୱେଶ୍ୱର ହୋତା ପ୍ରକାଶ କରିଥିଲେ ।