ବାଇକ୍-ଟେମ୍ପୋ ମଧ୍ୟରେ ମୁହାମୁହିଁ ଧକ୍କା ; ଦୁଇ ଗୁରୁତର , ଚାରି ଆହତ


ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲା ସୁବଲୟା ଥାନା ଅନ୍ତର୍ଗତ ସୁବଲୟା – ଖଣ୍ଡହତା ରାସ୍ତା ର ଗୁଡିପାଲି ନିକଟରେ ବୁଧୁବାର ପୂର୍ବାହ୍ନରେ ବାଇକ ଓ ଟେମ୍ପୋ ମୁହାଁ ମୁହିଁ ଧକ୍କା ହୋଇ ଦୁର୍ଘଟଣା ଘଟିଛି । ଫଳରେ ୨ ଜଣ ଗୁରୁତର ହୋଇଥିବା ବେଳେ ଅନ୍ୟ ୪ଜଣ ବ୍ୟକ୍ତି ଆହତ ହୋଇଥିବା ଜଣା ପଡିଛି । ମିଳିଥିବା ସୁଚନା ଅନୁସାରେ ଖଣ୍ଡହତା ନିକଟସ୍ଥ ନୂଆଁପାଲି ରୁ ଏକ ଟେମ୍ପୋ ରେ ସମ୍ବଲପୁର ଜିଲ୍ଲା କଦଲିଗଡ ନିକଟସ୍ଥ ନୂଆପଡା କୁ ଟଙ୍କଧର ପଧାନଙ୍କ ସପରିବାର ଝିଅ ର ଶାଶୁ ଘରକୁ ଝିଅ ଛାଡିବାକୁ ଯାଉଥିଲେ । ସେହି ସମୟରେ ସୁବଳୟା ପଟରୁ ଏକ ବାଇକ ଯୋଗେ ଉକ୍ତ ଗାଁ ର ଦେବେନ୍ଦ୍ର ପଧାନ ଏବଂ ତାଙ୍କ ସ୍ତ୍ରୀ ଆସୁଥିବା ସମୟରେ ଗୁଡିପାଲି ନିକଟରେ ଟେମ୍ପୋ ସହିତ ମୁହାଁମୁହିଁ ଧକ୍କା ହୋଇଥିଲା । ଧକ୍କା ଫଳରେ ବାଇକ ରାସ୍ତାରେ ଛିଟିକି ପଡିଥିବା ବେଳେ ଟେମ୍ପୋଟି ରାସ୍ତା ତଳ କୁ ଜମି ଭିତରକୁ ଖସି ପଡି ଓଳଟି ପଡିଥିଲା । ଟୋମ୍ପୋରେ ବସିଥିବା ଟଙ୍କଧରଙ୍କ ନାବାଳକ ପୁଅ ସମେତ ୨ ଜଣ ଗୁରୁତର ହୋଇଥିବା ବେଳେ ୪ ଜଣ ଆହତ ହୋଇଥିଲେ । ଖବର ପାଇ ସୁବଲୟା ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଆହତ ମାନଙ୍କୁ ଡାକ୍ତରଖାନା କୁ ଚିକିତ୍ସା ପାଇଁ ପଠେଇ ଥିବା ବେଳେ ଗୁରୁତର ମାନଙ୍କୁ ସୋନପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟ ରେ ଭର୍ତ୍ତି ହୋଇଥିବା ଜଣାଯାଇଛି ।