ବୀରମହାରାଜପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ପିତାମହୁଲ ପଞ୍ଚାୟତର ଠାକୁରପୁର ଓ ଅନୁଗୋଳ ଜିଲ୍ଲା କିଆକଟା ପଞ୍ଚୟତର ଶଙ୍ଖମାଳ ମଧ୍ୟରେ ଥିବା କେରାଣ୍ଡି ଯୋର ଉପରେ ବିଜୁ ସେତୁ ଯୋଜନାରେ ୨୦୨୧ ମସିହାରେ ଗୋଟିଏ ପୋଲ ନିର୍ମାଣ କରାଯାଇଥିଲା । ଏଥିପାଇଁ ୭ କୋଟି ୪୬ ଲକ୍ଷ ୯୪ ହଜାର ଟଙ୍କା ବ୍ୟୟ ଅଟକଳ ହୋଇଥିଲା । କିନ୍ତୁ ସେତୁର ଉଭୟ ପାର୍ଶ୍ଵରେ ରାସ୍ତା ନିର୍ମାଣ ଅସମ୍ପୂର୍ଣ୍ଣ ହୋଇ ପଡ଼ିରହିଛି । ଏବେ ଉଭୟ ଠାକୁରପୁର ଓ ଶଙ୍ଖମାଳରୁ ସେତୁ ପର୍ଯ୍ୟନ୍ତ ରାସ୍ତା ଅବସ୍ଥା ଶୋଚନୀୟ ହୋଇପଡିଛି । ଠାକୁରପୁର ରାସ୍ତା କାଦୁଅମୟ ହୋଇଥିବାବେଳେ ଶଙ୍ଖମାଳରୁ ସେତୁ ପର୍ଯ୍ୟନ୍ତ ରାସ୍ତାରେ ମେଟାଲ ସବୁ ବାହାରି ପଡ଼ିଛି । ଏହି ରାସ୍ତା ଉପର ଦେଇ ଡୁଲେଶ୍ୱର ହାଇସ୍କୁଲର ଛାତ୍ରଛାତ୍ରୀଙ୍କ ସମେତ ଶହଶହ ଲୋକ ଯିବା ଆସିବା କରିଥାନ୍ତି । ସାମାନ୍ୟ ବର୍ଷାରେ ରାସ୍ତାଟି କାଦୁଅ ପଚପଚ ହୋଇ ଯାଉଥିବାରୁ ଛାତ୍ର ଛାତ୍ରୀ ତଥା ଲୋକେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସେହିଭଳି ବହଲପଦର ପଞ୍ଚାୟତ ଅନ୍ତର୍ଗତ ଚିଙ୍ଗରାନାଲି ଦେଇ ବିଶାଲପାଲି ଓ ପାତରପାଲି ଯାଏ ଲମ୍ବିଥିବା ରାସ୍ତା ଅବସ୍ତା ସାମାନ୍ୟ ବର୍ଷାରେ ଶୋଚନୀୟ ହୋଇପଡ଼ୁଛି । ସ୍ଥାନୀୟ ଅଞ୍ଚଳର ଏହା ଏକ ପ୍ରମୁଖ ରାସ୍ତା । ପ୍ରତିଦିନ ଶହ ଶହ ଲୋକ ଯିବା ଆସିବା କରିବା ପାଇଁ ଏହି ରାସ୍ତା ଉପରେ ନିର୍ଭର କରିଥାନ୍ତି । ଅମରପାଲି ହାଇସ୍କୁଲରେ ପଢୁଥିବା ଅନେକ ଛାତ୍ରଛାତ୍ରୀ ଓ ଖଣ୍ଡହତା କଲେଜ କୁ ଅନେକ ଛାତ୍ର ଛାତ୍ରୀ ଏହି ରାସ୍ତା ଦେଇ ଯାତାୟାତ କରିଥାନ୍ତି । ବର୍ଷର ଅନ୍ୟାନ୍ୟ ସମୟରେ କୌଣସିମତେ କାମ ଚଳି ଯାଉଥିବା ବେଳେ ବର୍ଷାଦିନରେ ରାସ୍ତାର ଅବସ୍ଥା ବ୍ୟବହାର ଅନୁପଯୋଗୀ ହୋଇପଡୁଛି । ଏହି ରାସ୍ତାଦେଇ ଏବେ ଯାତାୟାତ ଆଦୌ ସମ୍ଭବ ହେଉନାହିଁ ବୋଲି ସ୍ଥାନୀୟ ଲୋକେ କହିଛନ୍ତି । କିଛି ବର୍ଷ ପୂର୍ବେ ଏହି ରାସ୍ତାରେ ମୋରମ ବିଛା ଯାଇଥିବା ବେଳେ ତାହା ରକ୍ଷଣାବେକ୍ଷଣ କରାଯାଇ ନାହିଁ । ଅଞ୍ଚଳବାସୀଙ୍କ ସ୍ବାର୍ଥକୁ ଦୃଷ୍ଟିରେ ରଖି ପ୍ରଶାସନ ଏସବୁ ରାସ୍ତାର ଶୀଘ୍ର ମରାମତି କରାଯିବାକୁ ସାଧାରଣରେ ଦାବି ହେଉଛି ।
ସାମାନ୍ୟ ବର୍ଷା ହେଲେ ରାସ୍ତା କାଦୁଅ ପଚପଚ
